ପଲ୍ଲି ସନ୍ଧ୍ୟା – ଡଃ ମାୟାଧର ମାନସିଂହ

ଗରିଆ ଧରି ହାତେ, ତରୁଣୀ ଘାଟେ ଚଳେ

ସନ୍ଧ୍ୟା ହେଲା ବୋଲି ତୁରିତେ ପଦ ପଡ଼େ  

ଚପଳ ପଦ-ପାତେ, ଅଧିରେ ବାଜେ ବଳା

ମାନେ ନା ତରୁଣୀ ସେ ସନ୍ଧ୍ୟା ହେଲା ପରା  

କନକ-ରବି କରେ ବଦନ ଦିଶେ ଝଳି

ସରମେ ଚାଲେ ନାରୀ ନୟନ ନତ କରି  

ଓଢ଼ଣା କେଶୁଁ ଖସି ଚରମେ ଅଛି ପଡ଼ି

ସୁନାର ନୋଥ, ନାକେ ବେଳେକେ ଉଠେ ଥରି  

ସନ୍ଧ୍ୟା ହେଲା ଅବା ବୋଲି ସେ ଦିଏ ଚାହିଁ

ଚକିତ ଦେଖେ ପଥେ ପୁରୁଷ ଅଛି କାହିଁ !

ସରମେ ମାଥେ ଆଣେ ଓଢ଼ଣା ଟାଣି ପୁଣି

ରସାଳ-ହାତେ କାଚ ବାଜଇ ଊଣଝୁଣି  

ହାତର ଗରା କାଖେ ଯତନେ ରଖି ନାରୀ

ଗତିକି ଖର କରେ, ଆଣିବ ବୋଲି ବାରି  

ଭେଟିଲା ପଥେ ଏବେ ମିତଣୀ ଦଳ ତାର

ଶିଥିଳ ଗତି ଧରି କାଖରେ ବାରି-ଭାର  

କାଖରେ ବାରି ଧରି ଶରୀର ପଡେ ନଇଁ

ମୁଖର ପଥ ସାରା ସକାଳେ କଥା କହି  

ଭାଷେ ସେ ‘ଆଲୋ ଅପା, ଡାକିଲୁ ନାହିଁ ମୋତେ

ସାଥୀ ମୁଁ ବୋଲି କାରେ ଡାକିବି ଏ ଜଗତେ ? ’

ରମଣୀ ଦଳୁଁ ଅପା କହିଲା ‘ଶୁଣ ନେତ

ଡାକିଲି କେତେ ତତେ ନ ହେଲା କିନ୍ତୁ ଭେଟ’

ଶୁଣି ସେ ନ ଶୁଣିଲା ଚଳିଲା ଖରେ ନାରୀ

ସନ୍ଧ୍ୟା ହେଲା ପରା ଆଣିବ ବୋଲି ବାରି…

—————୨—————

କ୍ଳାନ୍ତ ପଦ ଚାଲି ପଗଡ଼ି ଭିଡ଼ି ଶିରେ

ସ୍କନ୍ଧେ ହଳ ଥୋଇ କୃଷକ ଫେରେ ଧୀରେ

ଆଗରେ ଚାଲେ ଧୀରେ ବଳଦ ଦୁଇ ତାର

ଗତିକି ଖର କରେ ଯଷ୍ଟି ମୃଦୁ ଭାର

କୃଷକ ପଛେ ଆସେ ବାହୁଡ଼ା ଗୋରୁ ପଲ

ହମ୍ବା-ରଡ଼ି ଘନ, କମ୍ପେ ଗ୍ରାମ-ତଳ

ଉଡ଼ଇ ଘନ ଧୂଳି ଶତ ସେ ଖୁରା-ଘାତେ

ଗୋପାଳ ଶିଶୁ ଗାଏ ଗୀତ ତା ସାଥୀ ସାଥେ

ଦାଣ୍ଡେ ଯେତେ ଶିଶୁ ଧୂଳିର ଘର କାଟି

ଗୃହୀ-ଗୃହିଣୀ ସାଜି ପସରା ଥିଲେ ପାତି,

‘ଆସିଲେ ଗୋରୁ’ ବୋଲି ଧୂଳିର ଘର ଛାଡ଼ି

ପଳାଇଗଲେ ଘରେ ଯେ ଯାହା ପଥ ମାଡ଼ି

—————୩—————

ସନ୍ଧ୍ୟା ହେଲା ଏବେ ପୋଖରୀ ନୀଳ ଜଳେ

କନକ ରବି-ରେଖା ଲହରୀ ପରି ଥରେ

ପୋଖରୀ-ହୁଡ଼ା ପରେ ବିରାଟ ବଟ ଛିଡ଼ା

ଲକ୍ଷ ବିହଗର ଲାଗିଛି ଶେଷ କ୍ରୀଡ଼ା

ଦୂରରୁ ଆସେ କେହୁ, ବସି କେ ଝାଡ଼େ ପଖି

ଉଡ଼େ କେ ଆକାଶରେ ବସାରେ ଆଖି ରଖି

ଗଭୀର କୋଳାହଳ ସାଥୀରେ ଡାକ ହାକ

ଯୋଗାଡ଼ ହେବ କେହ୍ନେ ଶୟନ ରାତି ଯାକ

ସେ ବଟ-ତଳ-ଘାଟେ ବାଳିକା ନିଏ ପାଣି

ଚଳିଲା ନିଜ ପଥେ ଓଢ଼ଣା ଦେଇ ଟାଣି

ବାଳକ ଦୂରେ ଏକ ବାଟୁଳି ମାରେ ଲାଖି

ବାଜିଲା କାହିଁ ବୋଲି ଆକାଶେ ରଖି ଆଖି

—————୪—————

ସନ୍ଧ୍ୟା ହେଲା ଏବେ ବଟ ବିରାଟ ଛାୟା

ସୁଦୂର ବିଲ ମାଳେ ବଢ଼ାଇଦେଲା କାୟା

ପୋଖରୀ ନୀଳ ଜଳେ ପଦ୍ମ ମୁଦି ଆସେ

କୁମୁଦ ଫୁଟି ଉଠେ ସଧୀରେ ତାରି ପାଶେ

କମଳ-ଦଳ ପରେ ଚଳଇ ଖଞ୍ଜନ,

ପ୍ରିୟାରେ ଧରି ସାଥେ ସାଁଉଟି ତା ଭୋଜନ

ସରସୀ ଜଳ ତେଜି କନକ ରବି-ରେଖା

ସୁଦୂର ନଭେ ଉଠି ଦେଲାଣି ଶେଷ ଦେଖା

ପଥିକ ଚାଲି ଆସେ ସନ୍ଧ୍ୟା ହେଲା ବୋଲି

ମଥାର ଗୁରୁ ଭାର ମଥାରୁ କରେ ତୋଳି

ଶୁଭଇ ଗ୍ରାମ ପଥେ ଚଳ-ଶକଟ ଗତି

ସନ୍ଧ୍ୟା ହେଲା ବୋଲି ଚଳଇ ଗ୍ରାମପ୍ରତି

—————୫—————

ସନ୍ଧ୍ୟା ହେଲା ଏବେ ଆକାଶ-ଅଗଣାରେ

ଲାଗିଲେ ଦେବ-ବାଳା ପ୍ରଦୀପ ଜାଳିବାରେ

ରଜନୀ-ନାରୀ ଏବେ ଆକାଶ-ବିଲ ମାଡ଼ି

ଆସିଲା କଳା ତାର ବସନ ପଥେ ପାରି

ସନ୍ଧ୍ୟା ଦୀପ ଜାଳି ଘରଣୀ ତୁଳସୀରେ

ଯଚନା ଘରେ ଘରେ କଲେଣି ନତ ଶିରେ

ଗ୍ରାମର ଶେଷେ ବାଜେ ଦେଉଳେ ଆରତିର

ଶଙ୍ଖ-ଘଣ୍ଟା, ଶୁଣେ ଭକ୍ତ ନୋଇଁ ଶିର

ନୀରବ ହୋଇ ଆସେ କ୍ରମଶଃ ଗ୍ରାମ-ଘର

ବଟୁଆ ମେଲି ଚାଷୀ ନିଏ ତାର ଅବସର

ମଳିନ-ଆଲୋକିତ ଭା’ଗତ-ଘରୁ ଆସେ

‘ଭଣଇ ଜଗନ୍ନାଥ’ ଶୋରତା ନାହିଁ ପାଶେ

ହଳଦୀ-ଲେପେ ଡରି ଶିଶୁ ରୋଦଇ କାହିଁ

ବିଲୁଆ ଡାକ ଦେଲା ରଜନୀ ହେଲା ଭାଇ…

——————————-

~ଡଃ ମାୟାଧର ମାନସିଂହ

Share in top social networks!