ତୁଙ୍ଗ ଶିଖରୀ ଚୂଳ – ପଣ୍ଡିତ ଗୋଦାବରୀଶ ମିଶ୍ର

ତୁଙ୍ଗ ଶିଖରୀ ଚୂଳ

କୁଞ୍ଜ କାନନ-ମାଳ

ପୁଣ୍ୟ ଜଳଧି-ଜଳ

ଖେଳି ଉଠେ ସଘନେ

ପ୍ରାଚୀ ଗଗନ ଶିରେ

ଭାସି କନକ ନୀରେ

ଆସ ତପନ ଉଇଁ

ଏ ଉତ୍କଳ ଭୂବନେ । (ଘୋଷା)

 

ଆଜିକି ସରଙ୍ଗ ଛବି ରାଜେ ରୁଚିର

କି ନବଜୀବନେ ଭରା କୋଟି ଅନ୍ତର

କିବା ଏ ସମ୍ପଦ ଶିରୀ

ହୃଦେ, ହୃଦେ ଆସେ ପୁରି

କି ପୁଲକ ଧାରା ଖେଳି

ଆସେ କୋଟି ବଦନେ । (୧)

 

ଆହା ଏ ଉତ୍କଳ କିବା ସରଗ ଭୂମି

ବିଲ ବନ ଶୈଳ ସିନ୍ଧୁ ସୁଷମା ଘେନି !

ଜନମି ଏ ଦେଶେ ଆଜି

ଏ ଜନନୀ କୋଳେ ରାଜି

ଧନ୍ୟ କୋଟି ନର ନାରୀ

ମର ନର ଜୀବନେ । (୨)

 

ଲଳିତ ଅନଙ୍ଗ ବୀର ପ୍ରତାପ ଯାର

ପୁଣ୍ୟ ତେଜେ ଧରାମୁଖ କଲେ ଉଜ୍ଜ୍ୱଳ

ଶାସିଲେ ଅତୁଲ୍ୟ ବଳେ

ପାଳିଲେ ସ୍ନେହର ଭାରେ

ଏସବୁ, ଓଡ଼ିଆ, ଦିନେ

ଦେଖିଛ ହେ ନୟନେ । (୩)

 

ବିପୁଳ ଓଡ଼ିଆ ସେନା ବାହୁ ବିଜୟେ

ହିମାଳୟ ଚୂଡ଼ୁଁ ଦିନେ କୁମାରୀ ଯାଏ

ହୃଦୟ – ଶୋଣିତ ଢାଳି

ଦେଇ ନିଜ ଶିର ବଳି

କୀର୍ତ୍ତି ଧ୍ୱଜା ଉଡ଼ାଇଲେ

କି ପୁଲକେ ପରାଣେ । (୪)

 

ବାରବାଟୀ ଦୁର୍ଗେ ବୀର ଓଡ଼ିଆ ସୂତ

ଶତ ଶତ୍ରୁ ସେନା ନାଶି କିବା ମହତ !

ଭାଙ୍ଗିଛି ସେ ବାରବାଟୀ

ସେ ଶିରୀ ଯାଇଛି ତୁଟି

(ତେବେ) ରହିଛି ସେ ଯଶ ମିଶି

ଜଳେ ସ୍ଥଳେ ପବନେ । (୫)

 

କୋଣାର୍କ-ଜୀର୍ଣ୍ଣ-ସୌଧେ ଉତ୍କଳ-କୀର୍ତ୍ତି

ଦଶ ଦିସେ ଆଜି କିବା ବିକଶେ ଫୁଟି

ନୀଳାଚଳେ ଜଗନ୍ନାଥ

ଯୁଗେ ଯୁଗେ ବିରାଜିତ

ଉତ୍କଳ ମହିମା ଘୋଷି

ଏ ଭାରତ ଭୂବନେ । (୬)

 

ବିମଳ-ଚିଲିକା-ବକ୍ଷେ ଖେଳୁଛି ସେ ବୀଚି

ଉଠୁ ମହୋଦଧି-ବାରୀ ଅମୃତ ସିଞ୍ଚି

ମହେନ୍ଦ୍ର ଶ୍ୟାମଳ ଚୂଳେ

ଫୂଟ ଚିତ୍ରୋତ୍ପଳା ନୀରେ

ଢାଳୁ ସେ ସମ୍ପଦ ଶିରୀ

ଗ୍ରାମ ବିଲ କାନନେ । (୭)

 

ତୋ ଭଳି ଜନନୀ ଥାଉଁ, ଜନମ ଭୂମି,

କି ଦୁଃଖ ଏ ଓଡ଼ିଆର ପରାଣେ ପୁଣି ?

ମୋହନ ମୂରତି ସେହି

ଦିଅ ଗୋ ମା ଆଜି ଫେଇ

କୋଟିଏ ସନ୍ତାନ ତୋର

ପ୍ରଣମୁଁ ଏ ଚରଣେ । (୮)

 

~ ପଣ୍ଡିତ ଗୋଦାବରୀଶ ମିଶ୍ର

Share in top social networks!