କୋଣାର୍କ

 - ସଚ୍ଚିଦାନନ୍ଦ ରାଉତରାୟ

(କବିତାର ପୃଷ୍ଠଭୂମି: କୋଣାର୍କ କବିତାଟି କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ ରଚିତ “ପାଣ୍ଡୁଲିପି” କବିତା ସଙ୍କଳନରୁ ଆସିଛି । ଓଡ଼ିଶାର ରାଜା ଲାଙ୍ଗୁଳା ନରସିଂହଦେବେ ମନ୍ତ୍ରୀ ଶିବେଇ ସାନ୍ତରାଙ୍କ ମନ୍ତ୍ରଣା କ୍ରମେ ଚନ୍ଦ୍ରଭାଗା ନଦୀ ମୂହାଣରେ ବିଶ୍ୱବିଖ୍ୟାତ ସୂର୍ଯ୍ୟ ମନ୍ଦିର ନିର୍ମାଣ କରାଇଥିଲେ । ସେ ମନ୍ଦିରକୁ ବିଶୁ ମହାରଣା ସମେତ ବାରଶହ ବଢ଼େଇ ବାର ବର୍ଷ କାଳ କାମ କରି ଶେଷ କରିଥିଲେ । ଏଇ କବିତାଟିରେ କବି ଶ୍ରୀ ରାଉତରାୟ ମନ୍ଦିର ନିର୍ମାଣରେ ଶ୍ରମିକମାନଙ୍କର ଶ୍ରମଦାନକୁ ଅଧିକ ଗୌରବ ପ୍ରଦାନ କରିଛନ୍ତି । ପୂର୍ବରୁ କଳ୍ପନାବିଳାସୀ କବିମାନେ କୋଣାର୍କର ପଥର ଦେହରେ ରମ୍ୟକଳାର ରୂପକୁ ଦେଖି ମୁଗ୍‌ଧ ହୋଇଛନ୍ତି କିନ୍ତୁ କୋଣାର୍କ ମନ୍ଦିର ନିର୍ମାଣରେ ଶ୍ରମଦାନ କରିଥିବା କାରିଗରମାନଙ୍କର ଜୀବନଛବି କେଉଁଠି ପ୍ରତିଫଳିତ ହୋଇ ନଥିବାର କବି ଶ୍ରୀ ରାଉତରାୟ ଅନୁଭବ କରିଛନ୍ତି । ଏ ସଂପର୍କରେ କବିଙ୍କର ମାନବବାଦୀ ପ୍ରତିକ୍ରିୟା ଏହି କବିତାରେ ସ୍ଥାନ ପାଇଛି ।)

 

ତୁମେ ଦେଖିଅଛ ଶିଳାରେ ତାର ତ

ରମ୍ୟ କଳାର ରୂପ,

ମୁଁ ଦେଖିଛି ତହିଁ କୋଟି କଂକାଳ

ଭଗ୍ନ ବୁକୁର ସ୍ତୂପ

ତୁମେ ଦେଖିଅଛ ଫୁଟିଚି କିପରି

କଳା କାଉଁରୀ ଲାଗି,

ରାତ୍ରିର କଳା ଯବନିକା ପରେ

ସ୍ୱର୍ଣ୍ଣ ଉଷାର ଛବି

ଦେଖିଚ କିପରି କବିତା ଫୁଟିଚି

ପାଷାଣର ମୂକ ଦେହେ,

ତଂଦ୍ରାମଗନ ଅଳସ ସପନେ

ବୁଡ଼ିଚ ନିବିଡ଼ ସ୍ନେହେ

ତୁମେ ଚାଖିଅଛ ରସର ଝର୍ଣା

ଚାରୁ ମଂଦିର ତଳେ,

ଗଂଡୁଷ ଭରି ପିଇଚ ପୀୟୁଷ

ନିଭାଇ ତୃଷ୍ଣାନଳେ

ମୁଁ ଫେରିଚି ହାୟ ଦୀନ ବେରସିକ

ତାହାରି ସିଂହଦ୍ୱାରୁ

ପୁଂଜିତ ବ୍ୟଥା ଅବସାଦ ଗୁରୁ

ବଳିଅଛି ହୃଦ ଭାରୁ

ମୂଲିଆର ଆଖି ନେଇ –

ମୁଁ ଦେଖିଚି ସେଇ ମଂଦିର ରୂପ ବ୍ୟଥାର ଆରତି ଦେଇ

ମୁଁ ଦେଖିଛି ସେଇ ଶିଳାର କବରେ

କେତେ କାରିଗର ଛାତି,

ତିଳେ ତିଳେ ହାୟ ଲଭିଲା ସମାଧି,

ସହିଲା କଷଣ  ତାତି

କେତେ ମଜଦୂର ଗର୍ଦଭ ପରି

ବହି ବହି ଶିଳା ଭାର,

ବଂକା କଲେଟି ନିଜ ମେରୁ ହାଡ଼

ହିସାବ ଅଛି କି ତାର ?

କେତେ ଯେ ବଟାଳି, ନିହାଣ, ମୁଗୁର

ରଜାର ହୁକୁମ ମାନି,

କଳା ମୁଗୁନିର ଦିହରୁ ରକତ

ପୋଷ ପୋଷ କଲା ପାଣି

କେତେ ଯେ ବଢ଼େଇ, ମିସ୍ତ୍ରୀ, କମାର

ଶୋଣିତ ଗଲାରେ ମିଳି,

ସାଗରର ଲୁଣି ପାଣି ସେ କଥାକୁ

ଲୁଣ ପରି ଦେଲା ଗିଳି

ଦେଖିଲା ଜଗତ ବିରାଟ ଦେଉଳ !

ଘୋଷିଲା ରାଜାର ଜୟ,

ପଂଡ଼ିତ କହେ ଦେଶର କୁଆଡ଼େ

ଲେଖା ଏଥି ପରିଚୟ

x            x            x            x

ପଚାରିନି କିଏ କେତେ ବା ଜୀବନ

ସେ-ଲାଗି ହୋଇଚି କ୍ଷୟ,

କେତେ ବା ବାରିଶି, କରତ, କୁଠାର

ଲଭିଅଛି ପରାଜୟ

କେତେ କ୍ଷୁଧାତୁର ମଣିଷ ଖାଇଚି

କ୍ଷୁଧାରେ ସେ-ଦିନ ମାଟି,

ରମ୍ୟ କଳାର ଦରବାରେ ତାର –

କିଛି ନାଇ ପରିପାଟୀ –

ନାଇ ତା ଚରଣ-ଲିପି,

ଶିଳ୍ପ ରହିଚି, ନାଇ ନାଇ ସେଠି, କଳାକାର ବା ଶିଳ୍‌ପୀ

x            x            x            x

କୋଟି କୋଟି ବିଶୁ ମହାରଣା,

ପୁଣି ଶିବେଇ ସାମନ୍ତ କେତେ;

ଏଇ ମଂଦିର ତଳେ ଶୋଇଛନ୍ତି,

କଳାର ଫସଲ ଖେତେ

ଗଢ଼ିବାକୁ ଏଇ ମଂଦିର କଲା

ଶ୍ରମିକ ରକ୍ତ ଦାନ,

କୃଷକ ଦେଲା ତା’ କନକ ଶସ୍ୟ,

ରାଜ କୋଷେ ଆକଳନ

ଅଥଚ କଳାର ଦରବାରେ ନାଇ

ତାଙ୍କ ବ୍ୟଥାର ସ୍ଥାନ

ହାସ୍ୟ ବା ଲୁହ, ଅଥବା କେଉଁଠି

ଫସଲ କଟାର ଗାନ

x            x            x            x

ସେଠି ଅଛି ଖାଲି ଫୁଲର ଫସଲ

ସପନର ନୀଳ ଢେଉ,

ହୀରାର ସୂର୍ଯ୍ୟ ପାହାଂତି ପ୍ରହରେ

ପ୍ରଣାମ ତା’ ନେଉ ନେଉ

କହିଯାଏ ଧରା କାନେ –

ଜୀବନର ଯେତେ କ୍ଷତ, ଅପମାନ,

ଗାଇ ନାଇ କିଏ ଗାନେ

ରମ୍ୟ କଳାର ଲୀଳା !

କିଛି ତ କହିନି ମଣିଷର କଥା –

କହିବାର ଯାହା ଥିଲା

 

(କବି ପରିଚୟ : କବି ସଚ୍ଚିଦାନନ୍ଦ ରାଉତରାୟ(୧୯୧୬-୨୦୦୪) ଆଧୁନିକ କବିତାର ଯୁଗପ୍ରବର୍ତ୍ତକ କବି ସେ ଏକାଧାରରେ କବି, ଗାଳ୍ପିକ, ଔପନ୍ୟାସିକ ତଥା ସୁସମାଲୋଚକ ସେ ତାଙ୍କର ସାହିତ୍ୟ ସୃଷ୍ଟି ପାଇଁ ୧୯୬୨ରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ତଥା ୧୯୮୬ରେ ମର୍ଯ୍ୟାଦାସଂପନ୍ନ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ “ପଲ୍ଲିଶ୍ରୀ”, “ବାଜିରାଉତ”, “ପାଣ୍ଡୁଲିପି”, “କବିତା ୧୯୬୨”, “ଅଭିଯାନ”, “ଏସିଆର ସ୍ୱପ୍ନ” ଆଦି କବିତା ଗ୍ରନ୍ଥ, “ମଶାଣିର ଫୁଲ”, “ମାଟିର ତାଳ”, “ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ” ଆଦି ଗ୍ରନ୍ଥ, “ଚିତ୍ରଗ୍ରୀବ” ପରି ଉପନ୍ୟାସ ରଚନା କରି ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି କବି ଯେତିକି ରୋମାଣ୍ଟିକ୍‌ ସେତିକି ବାସ୍ତବବାଦୀ, ଗଦ୍ୟଛନ୍ଦର ସଫଳ ପ୍ରବର୍ତ୍ତକ, ଜଣେ ବିଶିଷ୍ଟ ମାନବବାଦୀ କବି )

Share in top social networks!