ଗୋଟିଏ ଦିନରେ ଦାଶ ବେନହୁରଙ୍କ ୧୨ ଟି ପୁସ୍ତକ ଲୋକାର୍ପିତ

ଶିଶୁ ସାହିତ୍ୟିକ ଦାଶ ବେନହୁରଙ୍କ ୬୦ବର୍ଷ ପୂର୍ତ୍ତି ଅବସରରେ ଗତକାଲି ତାଙ୍କ ରଚିତ ୧୨ଟି ପୁସ୍ତକ ଲୋକାର୍ପିତ ହୋଇଛି । ସ୍ଥାନୀୟ ରେଡକ୍ରସ ଭବନରେ ‘ଆମ ଓଡିଶା’ ପକ୍ଷରୁ ପ୍ରକାଶିତ ୩ଟି ପୁସ୍ତକ ଲୋକାର୍ପିତ ହୋଇଥିବାବେଳେ ଜୟଦେବ ଭବନରେ ଅନୁଷ୍ଠିତ ଉତ୍ସବରେ ୯ଟି ପୁସ୍ତକ ଉନ୍ମୋଚିତ ହୋଇଛି । ଜୟଦେବ ଭବନରେ ଦାଶ ବେନହୁରଙ୍କ ଗୁଣ ମୁଗ୍ଧ ସଜ୍ଜନମଣ୍ଡଳୀ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ,ଭାଷା ସାହିତ୍ୟକୁ ବଞ୍ଚାଇବାକୁ ହେଲେ ଶିଶୁମାନଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବାକୁ ପଡିବ ।

ବର୍ତ୍ତମାନ ଆମ ସାହିତ୍ୟ ପାଠକ ହରାଇଛି । ତେଣୁ ସାହିତ୍ୟିକମାନେ ଅଧିକ ସଂଖ୍ୟକ ଶିଶୁ ସାହିତ୍ୟ ଲେଖିବା ସହିତ ଏହାକୁ ଏକ ଆନ୍ଦୋଳନ ଭାବେ ଗଢି ଅଟୋଲିବାକୁ ଶ୍ରୀ ଅପଟ୍ଟନାୟକ ଆହ୍ଵାନ ଦେଇଥିଲେ । ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ବରେଣ୍ୟ ଗଦ୍ୟଶିଳ୍ପୀ ଚନ୍ଦ୍ରଶେଖର ରଥ କହିଥିଲେ ଯେ ଶିଶୁ ସାହିତ୍ୟ ଲେଖିବାକୁ ହେଲେ ନିଜକୁ ଶିଶୁ ଭଳି ମନେକରିବାକୁ ପଡିବ । ଶିଶୁ ମାନସିକତା ନେଇ ସାହିତ୍ୟ ରଚନା କରିବା କଷ୍ଟକର । ଏ କ୍ଷେତ୍ରରେ ଶିଶୁ ସାହିତ୍ୟିକ ଦାଶ ବେନହୁର ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ବୋଲି ଶ୍ରୀ ରଥ କହିଥିଲେ ।

ତେଣୁ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ , ଆଧୁନିକ ଓଡିଶାରେ ସାହିତ୍ୟର ଅନେକ ବିକାଶ ହୋଇଛି । ମାତ୍ର ଯେତିକି ଶିଶୁ ସାହିତ୍ୟ ଦରକାର ସେତିକି ବର୍ତ୍ତମାନ ଆମ ପାଖରେ ନାହିଁ । ତେଣୁ ଶିଶୁ ସାହିତ୍ୟ ରଚନା ଉପରେ ଗୁରୁତ୍ଵ ଦିଆଯିବା ଉଚିତ । ଏହି ଅବସରରେ ଦାଶ ବେନହୁରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ନିଜ ସମ୍ବର୍ଦ୍ଧନା ର ଉତ୍ତରରେ ଦାସ ବେନହୁର କହିଥିଲେ ଯେ ସାହିତ୍ୟ ଆମ ଜୀବନର ଗତିକି ଚଳଚଞ୍ଚଳ କରିଥାଏ । ଶିଶୁ ସାହିତ୍ୟ ରଚନା କରି ଆତ୍ମ ସନ୍ତୋଷ ମିଳିଛି ବୋଲି ସେ କହିଥିଲେ ।

ଏହି ଅବସରରେ ତାଙ୍କ ଦ୍ଵାରା ଲିଖିତ ୯ଟି ପୁସ୍ତକ ର ଉନ୍ମୋଚନ କରାଯାଇଥିଲା । ଶ୍ରେଷ୍ଠଗଳ୍ପ,ଗାନ୍ଧୀ ଟେଲର୍ସ ଫର୍ମ ଓଡିଶା,ପକ୍ଷୀଜଗତ,କବାଟ ଖୁଦୁଖୁଡୁ, ହରସର ମୂଲକ,ନୂଆ ସକାଳର ଗୀତ,ଶରତ ପାଇଁ ଗୀତ, ଛୁନୁର ଛବିତା ବହି ଓ ପିଲାଙ୍କ ଗୀତବାକ୍ସ ଉନ୍ମୋଚିତ ହୋଇଥିଲା । ଇଟିକିଲି ମିଟିକିଲିର ସମ୍ପାଦକ ଶରତ କୁମାର ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Share in top social networks!
Powered By Indic IME