ଉତ୍କଳ ବିଶ୍ଵବିଦ୍ୟାଳୟ: ଡବଲ ପିଜିକୁ ନେଇ ବିବାଦ

ବାଣୀବିହାର, ସବୁବେଳେ ବିବାଦ ଘେରରେ। ଗୋଟିଏ ବିବାଦ ପରେ ଅଉ ଗୋଟିଏ  ବିବାଦ ମୁଣ୍ଡ ଟେକୁଛି। ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ  ଛାତ୍ର ଗଣ୍ଡଗୋଳ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ଚଳିତ ବର୍ଷ ବିଶ୍ଵବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏନେଇ ବିଶ୍ଵବିଦ୍ୟାଳୟର କୁଳପତି ପିକେ ସାହୁଙ୍କ ଅଧ୍ୟକ୍ଷତାରେ ପିଜି କାଉନସିଲରେ ଏକ ବୈଠକ ବସିଥିଲା। ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ଅପରାଧ ମାମଲା ଥିଲେ କୌଣସି ଛାତ୍ରଛାତ୍ରୀଙ୍କୁ ବିଶ୍ଵବିଦ୍ୟାଳୟରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ। ଏହାସହ ବିଶ୍ଵବିଦ୍ୟାଳୟରେ ଜଣେ ଥରେ ପିଜି କରିସାରିବା ପରେ ଦ୍ଵିତୀୟ ଥର ପିଜି କରିବାକୁ ମଧ୍ୟ ଅନୁମତି ମିଳିବ ନାହିଁ। ଏସବୁ ଦ୍ଵାରା ବିଶ୍ୱବିଦ୍ୟାଳୟ ପରିସରରେ ଶାନ୍ତି ବଜାୟ ରହିବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ହେଲେ ବର୍ତ୍ତମାନ ଏହି ନିଷ୍ପତ୍ତିକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଛି। ପିଜି କାଉନସିଲ ଅଧ୍ୟକ୍ଷଙ୍କ କହିବା ଅନୁସାରେ ଏଠାକୁ ପାଠପଢିବାକୁ ଆସୁଥିବା କିଛି ପିଲା ରାଜନୀତି କରୁଛନ୍ତି, ଗୋଟିଏ ପରେ ଗୋଟିଏ ବିଷୟରେ ପିଜି କରି ଏଠାରେ ଥିବା ହଷ୍ଟେଲରେ ଆଡ୍ଡା ଜମାଇ ଅନ୍ୟ ଛାତ୍ରଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି କରୁଛନ୍ତି। ସେହିପରି ସେମାନେ ଗୋଟିଏ ପରେ ଗୋଟିଏ କୋର୍ସ କରିଚାଲିବା ଦ୍ଵାରା ନୂଆ କରି ଆସୁଥିବା ପିଲାମାନେ ସିଟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହିସବୁ ସମସ୍ୟାର ଦୂର ନିମନ୍ତେ ଏପରି ନିଷ୍ପତ୍ତି ନେବାକୁ ଆମେ ବାଧ୍ୟ ହେଲୁ।

 

 

Share in top social networks!