ରାଜ୍ୟରେ କୃଷିର ବିକାଶ ଦିଗରେ ନାବାର୍ଡର ଭୂମିକା ଗୁରୁତ୍ୱପୂର୍ଣ୍ଣ

NABARD-Day-Photoରାଷ୍ଟ୍ରୀୟ କୃଷି ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ର ୩୧ତମ ପ୍ରତିଷ୍ଠା ଦିବସ ସମାରୋହ ନୂଆଦିଲ୍ଲୀସ୍ଥିତ ନିଜସ୍ୱ ବ୍ୟାଙ୍କ ପରିସରରେ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟ କୃଷି,ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି କହିଲେ ଯେ, ରାଜ୍ୟସରକାର ୨୦୧୩ ମସିହାରେ ନୂତନ କୃଷିନୀତି -୨୦୧୩ ପ୍ରଚଳନ କରିବା ସଙ୍ଗେସଙ୍ଗେ ବିଧାନସଭାରେ ସ୍ଵତନ୍ତ୍ର କୃଷି ବଜେଟ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ପ୍ରୟାସକୁ ସଫଳ କରିବା ଦିଗରେ ବ୍ୟାଙ୍କ ମାନଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ । ରାଜ୍ୟରେ କୃଷି ବିକାଶ ଦିଗରେ ନାବାର୍ଡ ର ଭୂମିକା ଗୁରୁତ୍ଵ ପୂର୍ଣ୍ଣ ।

କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ତଥା ଗ୍ରାମୀଣ ଅର୍ଥନୀତିରେ ସୁଧାର ଆଣିବା କ୍ଷେତ୍ରରେ ନାବାର୍ଡର ସମସ୍ତ ପ୍ରକାର ସହଯୋଗ ର ହାତ ବଢାଇ ଆସିଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ବିଗତ ଶତାବ୍ଦୀରେ ଓଡିଶାରେ କୃଷିର ହାରାହାରି ବାର୍ଷିକ ଅଭିବୃଦ୍ଧି ୨%ଥିବାବେଳେ ଏବେ ତାହା ୪%ରେ ପହଞ୍ଚିଛି ,ଯାହାକି ଜାତୀୟ ବାର୍ଷିକ ହାରାହାରି ଅଭିବୃଦ୍ଧି ଠାରୁ ଅଧିକ । ଏହି ସଫଳତାକୁ ଅଧିକ ଗତିଶୀଳ କରିବାକୁ ଆନୁଷଙ୍ଗିକ କୃଷି ଯଥା- ମତ୍ସ୍ୟ,ପଶୁସମ୍ପଦ ପ୍ରଭୃତିକୁ ୨୦୧୩ କୃଷିନୀତି ର ଅନ୍ତର୍ଭୁକ୍ତ କରାଯାଇଛି । ଚାଷୀଙ୍କ ଜମିକୁ ଜଳ,ଯୁବକଯୁବତୀଙ୍କ ପାଇଁ ଉଦ୍ୟୋଗ ପ୍ରତିଷ୍ଠା ,ଉତ୍ପାଦିତ ଦ୍ରବ୍ୟକୁ ସଂରକ୍ଷଣ ଓ ମୂଲ୍ୟଭୁକ୍ତ କରିବା ପାଇଁ ଉଦ୍ୟୋଗ ତଥା କୃଷି ଯାନ୍ତ୍ରିକୀକରଣ ପାଇଁ ଅଧିକ ରିହାତିର ବ୍ୟବସ୍ଥା କରାଯାଇଛି ଯାହାକି ଚାଷୀ ଭାଇଭଉଣି ମାନଙ୍କ ରୋଜଗାର ତଥା ଆତ୍ମନିଯୁକ୍ତ ପାଇଁ ଉଦ୍ଦିଷ୍ଟ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ।

ପ୍ରଥମେ ନାବାର୍ଡର ଡିଜିଏମ୍,ଶ୍ରୀ ଜି .ଏମ୍ ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ମିଶ୍ର “Nabard in Odisha” ନାମକ ପୁସ୍ତିକ ଉନ୍ମୋଚନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନାବାର୍ଡର ପୂର୍ବତନ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏସ୍.କେ.ମିତ୍ର, ଭୁବନେଶ୍ଵର ନବକୃଷ୍ଣ ଚୌଧୁରୀ ଗବେଷଣା ଉନ୍ନୟନ କେନ୍ଦ୍ର ନିର୍ଦ୍ଦେଶକ ଡଃ ରାଜକିଶୋର ପଣ୍ଡା,ଦୂରଦର୍ଶନ କେନ୍ଦ୍ରର ଉପନିର୍ଦ୍ଦେଶକ ଶ୍ରୀମତୀ ଜୟନ୍ତୀ ରଥ,ନାବାର୍ଡର ଜିଏମ୍ ଶ୍ରୀ ଏସ୍ ଏମ୍ ସହସ୍ରାବୁଦ୍ଧି ଓ ନାବାର୍ଡର ଉଚ୍ଚପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ ।

Share in top social networks!
Powered By Indic IME