ଲୋକକଳା ବଞ୍ଚାଇବାକୁ ସଂସ୍କୃତି ବିଭାଗର ପ୍ରୟାସ: ରାଜଧାନୀରେ ଆୟୋଜିତ ହେଲା ପାଲା ଓ ଦାସକାଠିଆ ଉତ୍ସବ

ପୁରୁଣା ଲୋକକଳା ବଞ୍ଚାଇବାକୁ ରାଜ୍ୟ ସଂସ୍କୃତି ବିଭାଗର ପ୍ରୟାସ। ରାଜଧାନୀର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା ଆୟୋଜିତ ହୋଇଛି ପାଲା ଓ ଦାସକାଠିଆ ଉତ୍ସବ। ଏହି ଉତ୍ସବକୁ ପର୍ଯ୍ୟଟନ-ସଂସ୍କୃତି ଓ ସମବାୟ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ଉଦଘାଟନ କରିଛନ୍ତି।

ଦାସକାଠିଆରୁ ଆରମ୍ଭ ହୋଇଥିଲା ପ୍ରଥମ ସନ୍ଧ୍ୟାର କାର୍ଯ୍ୟକ୍ରମ। ଗଞ୍ଜାମ ଜିଲ୍ଲା ଶେରଗଡ଼ ପତାଙ୍ଗପଲ୍ଲୀ ଗାଁର ପ୍ରତିଷ୍ଠିତ ଦାଶକାଠିଆ ଗାୟକ ବାଳକୃଷ୍ଣ ମିଶ୍ର ଓ କୁଞ୍ଜବିହାରୀ ଦାଶ ଅତି ସୁନ୍ଦର ଭାବରେ ଦ୍ଵାପର ଯୁଗରେ ଶ୍ରୀକୃଷ୍ଣଙ୍କ ଦ୍ଵାରା ଶବରୀ ଉଦ୍ଧାର ଉପାଖ୍ୟାନକୁ ବର୍ଣ୍ଣନା କରିଥିଲେ, ଯାହାକୁ ଦର୍ଶକ ମନଭାରି ଉପଭୋଗ କରିଥିଲେ। ପରେପରେ ଦ୍ଵାପର ଯୁଗରେ ହନୁମାନଙ୍କ ତପସ୍ୟା ବିଷୟବସ୍ତୁକୁ ନେଇ ପାଲା ପରିବେଷଣ କରିଥିଲେ ଜଗତସିଂପୁର ରାୟଙ୍ଗପାଟଣାର ସ୍ୱନାମଧନ୍ୟ ଗାୟିକା କୁମାରୀ ଶାନ୍ତିଲତ ସାହୁ। ତାଙ୍କର ଚମତ୍କାର ପରିବେଷଣ ଶୈଳୀ ଶ୍ରୋତାମାନଙ୍କୁ ବାନ୍ଧି ରଖିଥିଲା। ଶେଷରେ ଗାୟକ ସୁଧାକର ଶ୍ରୀ ଯୁଧିଷ୍ଟିର ପରିଜା ପୁରାଣ ପ୍ରସଙ୍ଗରୁ ପରିବେଷଣ କରିଥିଲେ- ଶ୍ରେଷ୍ଠ କିଏ ? ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଜଗନ୍ନାଥପୁର ମୌଜାରେ ଜନ୍ମଗ୍ରହଣ କରିଥିବା ଶ୍ରୀଯୁକ୍ତ ପରିଜା ଜଣେ ବିଶିଷ୍ଠ ପାଲାଗାୟକ ଭାବରେ ଓଡ଼ିଶାରେ ବେଶ ପରିଚିତ।

ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ଶ୍ରୀ ଅଶୋକ କୁମାର ତ୍ରିପାଠୀ, ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ସୁଶୀଲ କୁମାର ଦାସ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଭାପତି ଡ଼॰ ଶରତ ପୂଜାରୀ, ସଚିବ ଶ୍ରୀ ଚିତ୍ତରଞ୍ଜନ ମଲିଆ ଓ ନିଖିଳ ଉତ୍କଳ ପାଲା ଗାୟକ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ରଜତ କର। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼॰ ମୃତ୍ୟୁଞ୍ଜୟ ରଥ।

 

 

 

Share in top social networks!