ଆଜିଠୁ ଓଜେଇଇର ମେଡିକାଲ କାଉନସେଲିଂ

ଆଜିଠୁ ଆରମ୍ଭ ହେଉଛି ଓଡ଼ିଶା ଯୁଗ୍ମ ପ୍ରବେଶିକ ପରୀକ୍ଷା (ଓଜେଇଇ) ର ମେଡିକାଲ କାଉନସେଲିଂ। ଜୁନ ୨୫ ତାରିଖରୁ ଆରମ୍ଭ ହୋଇଥିବା ଇଞ୍ଜିନିୟରିଂ କାଉନସେଲିଂ ସୋମବାର ଶେଷ ହୋଇଛି। ୨୯ ତାରିଖରୁ ଛାତ୍ରଛାତ୍ରୀମାନେ ନୋଡାଲ ସେଣ୍ଟରକୁ ଆସି ପ୍ରମାଣପତ୍ର ଯାଞ୍ଚ କରାଇବା ସହ ଚଏସ ଲକିଂ ବି କରିଥିଲେ। ଏହି ସମୟରେ ସେମାନଙ୍କୁ  ଆଂଶିକ ନାମ ଲେଖା ଦେୟ ମଧ୍ୟ ଦେବାକୁ ପଡ଼ିଥିଲା। ପ୍ରାୟ ୬୩ ହଜାର ଛାତ୍ରଛାତ୍ରୀ ନାମ ଲେଖା ପାଇଁ ଯୋଗ୍ୟତା ହାସଲ କରିଥିଲେ। ମାତ୍ର ୨୧ ହଜାର ୭୦୦ ଛାତ୍ରଛାତ୍ରୀ ଚଏସ ଲକିଙ୍ଗ କରିଛନ୍ତି ବୋଲି ଜେଇଇର ସଚିବ ପ୍ରିୟବ୍ରତ ସାହୁ ସୂଚନା ଦେଇଛନ୍ତି। ଆସନ୍ତା ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ ଆଲଟମେଣ୍ଟ କରାଯିବ। ଅଗଷ୍ଟ ଦ୍ୱିତୀୟ ସପ୍ତାହରୁ ପାଠପଢା ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏ ବର୍ଷ ମାତ୍ର ୨୧ ହଜାର ୭୦୦ ଛାତ୍ରଛାତ୍ରୀ କାଉନସେଲିଂରେ ଭାଗ ନେଇଥିବାରୁ ପୁଣି ବହୁ ସିଟ ଖାଲି ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି।

ସେହିପରି ଆଜିଠାରୁ ମେଡିକାଲ କାଉନସେଲିଂ ଆରମ୍ଭ ହେବ। କଟକ, ବ୍ରହ୍ମପୁର ଓ ବୁର୍ଲାରେ ଥିବା ୩ଟି ସରକାରୀ ମେଡିକାଲ କଲେଜରେ ୧୫୦ଟି ଲେଖାଏ ଏମବିବିଏସ ସିଟରେ ନାମଲେଖା ପାଇଁ କାଉନସେଲିଂ କରାଯିବ। ସେହିପରି ଭୁବନେଶ୍ଵର ଓ ରାଉରକେଲାରେ ଥିବା ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲରେ ଥିବା ୧୦୦ଟି ଲେଖାଏ ଏମବିବିଏସ ସିଟରେ ନାମଲେଖା ପାଇଁ କାଉନସେଲିଂ କରାଯିବ। ଏଥିସହ କଟକ ଏସସିବି ମେଡିକାଲ କଲେଜରେ ୫୦ଟି ଓ  ଭୁବନେଶ୍ଵର ହାଇଟେକ ମେଡିକାଲ କଲେଜରେ ୧୦୦ଟି  ବିଡିଏସ ସିଟରେ ନାମଲେଖା ପାଇଁ କାଉନସେଲିଂ କରାଯିବ। ଏ ବର୍ଷ ୨୮ ଶହ ୫୨ ଜଣ ଛାତ୍ରଛାତ୍ରୀ ମେଡିକାଲ କାଉନସେଲିଂ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୧୯ ତାରିଖରୁ ୨୨ ତାରିଖ ମଧ୍ୟରେ ସେମାନେ ନୋଡାଲ ସେଣ୍ଟରକୁ ଆସି ପ୍ରମାଣପାତ୍ର ଯାଞ୍ଚ କରାଇବା ସହ ଚଏସ ଲକିଂ ବି କରିପାରିବେ। ଏହି ସମୟରେ ସେମାନଙ୍କୁ ଆଂଶିକ ଦେୟ ମଧ୍ୟ ଦାଖଲ କରିବାକୁ ପଡ଼ିବ। ୨୬ ତାରିଖରୁ ପ୍ରଥମ ପର୍ଯ୍ୟାୟ ସିଟ ଆଲଟମେଣ୍ଟ କରାଯିବ। ମେଡିକାଲ କାଉନସେଲିଂ ପାଇଁ ଭୁବନେଶ୍ଵରରେ କେବଳ ଚାରିଟି ନୋଡାଲ ସେଣ୍ଟର ଖୋଲାଯାଇଛି। ସିଇଟି, ସିପେଟ, ଆଇଆଇଆଇଟି ଓ ବିଜେବି କଲେଜରେ ଏହି ନୋଡାଲ ସେଣ୍ଟର କାମ କରିବା।

 

 

Share in top social networks!