ଖୋର୍ଦ୍ଧା ଜିଲ୍ଲାରେ ବେସରକାରୀ ଇଞ୍ଜିନିୟରିଂ କଲେଜଗୁଡିକ ଦ୍ଵାରା କୃଷି ଉପଯୋଗୀ ଜମିର ଅପବ୍ୟବହାର ସଙ୍କ୍ରାନ୍ତରେ ରାଜସ୍ୱ ବିଭାଗ ତରଫରୁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି

Odishan-MAP-2ଭୁବନେଶ୍ଵର ବ୍ୟତୀତ ଅନ୍ୟ ସମସ୍ତ ତହସିଲ ଅଞ୍ଚଳରେ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକ ତାଙ୍କର ଜମିଜମା ସଙ୍କ୍ରାନ୍ତୀୟ ତଥ୍ୟ ସ୍ଵତଃପ୍ରବୃତ ଭାବେ ପ୍ରକାଶ କରିଛନ୍ତି ଏବଂ ଭୁବନେଶ୍ଵର ତହସିଲରେ ଏହି କାର୍ଯ୍ୟ ୨୦୧୩ ଜୁଲାଇ ୩ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେତେକ ବୈଷୟିକ ଅନୁଷ୍ଠାନ ସଂପୂର୍ଣ୍ଣ ରୂପେ ସରକାରୀ ଜମି ଉପରେ ନିର୍ମିତ ହୋଇଥିବା ବିଷୟ ଜଣାପଡିବା ଯୋଗୁଁ ଏ କ୍ଷେତ୍ରରେ ସେହି ଅନୁଷ୍ଠାନଗୁଡିକର ଅନୁମତି ପ୍ରତ୍ୟାହାର କରିବା ପାଇଁ ଏ.ଆଇ.ସି.ଟି.ଇ /ୟୁ.ଜି.ସି /ଏସ୍.ସି.ଆଇ ଙ୍କୁ ଜଣାଇ ଦିଆଯିବ ।

କେତେକ ଅନୁଷ୍ଠାନ ମିଥ୍ୟା ତଥ୍ୟ ଓ ସତ୍ୟପାଠ ଦେଇ ସରକାରୀ ଜମି ଉପରେ ବେଆଇନ ଭାବେ ସେମାନଙ୍କର ନିର୍ମାଣ କାର୍ଯ୍ୟ କରିଛନ୍ତି । ଏହା ବିରୁଦ୍ଧରେ ସରକାର ଆଇନ ଅନୁମୋଦିତ କାର୍ଯ୍ୟାନୁଷ୍ଠାନ ଓଡିଆ ସମ୍ବାଦ ପତ୍ରରେ ବିଜ୍ଞାପନ ମାଧ୍ୟମରେ ପ୍ରକାଶ କରାଯିବ । କେତେକ ଅନୁଷ୍ଠାନ ଆଂଶିକ ଭାବେ କିସମ ପରିବର୍ତ୍ତନ କରିଥିବା ବେଳେ ଆଉ କେତେକ ସଂପୂର୍ଣ୍ଣ କିସମ ପରିବର୍ତ୍ତନ କରିଛନ୍ତି । କିନ୍ତୁ ଯେଉଁମାନେ ସଂପୂର୍ଣ୍ଣ ରୂପେ ସରକାରୀ ଜମିରେ ନିଜର ନିର୍ମାଣ କାର୍ଯ୍ୟ କରିଛନ୍ତି ଏବଂ ସଂପୂର୍ଣ୍ଣ ଆଇନ ଉଲ୍ଲଂଘନ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ଆରମ୍ଭ କରାଯିବ ଏବଂ ଜମି ଜବର ଦଖଲ ଉଚ୍ଛେଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ବୈଷୟିକ ଅନୁଷ୍ଠାନଗୁଡିକ ନିର୍ମିତ ହୋଇଥିବା ଜମିଜମାର କ୍ରୟ ସମ୍ବନ୍ଧୀୟ ୧୧ ବର୍ଷର ପୁରୁଣା ରେକର୍ଡ ପତ୍ର ଯାଞ୍ଚ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା । ଯାହା ଉପରେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଶେଷ ହୋଇନଥିବାରୁ ଏହି କାର୍ଯ୍ୟ ଜୁଲାଇ ୮ ତାରିଖ ସୁଦ୍ଧା ଶେଷ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି । ବି.ଡି.ଏ , ଇଡକୋ ,ଡିଟିଇଟି ଏବଂ ଶିଳ୍ପ ବିଭାଗ ନିର୍ଦ୍ଦେଶାଳୟରୁ ଇଞ୍ଜିନିୟରିଂ କଲେଜ ଗୁଡିକ ବିଷୟରେ ସଠିକ ତଥ୍ୟ ଅଣାଯିବା ପରେ ଏହାର ଏକତ୍ରିକରଣ ଏବଂ ସଂକଳନ କାର୍ଯ୍ୟ ଫଳପ୍ରଦ ହୋଇପାରିବ ବୋଲି ଜିଲ୍ଲାପାଳ କହିଥିଲେ । ଯେଉଁ ଅନୁଷ୍ଠାନ ଗୁଡିକ ଜମିର ମ୍ୟୁଟେସନ୍/କିସମ ପରିବର୍ତ୍ତନ ସାମୟିକ ଅବହେଳାରୁ କରିନାହାନ୍ତି ସେମାନଙ୍କୁ ଓ.ଏଲ୍.ଆର ୧୯୬୦ -୮(କ) ଧାରା ଅନୁଯାୟୀ ଆଇନଗତ ସମସ୍ତ ସୁବିଧା ସୁଯୋଗ ଦିଆଯିବ । ଯେଉଁ ଅନୁଷ୍ଠାନ ଗୁଡିକ ବିଡିଏ ଏବଂ ଇଡକୋ ଠାରୁ ଲିଜ୍ ମାଧ୍ୟମରେ ଜମି ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ନେଇ ସେହି ଉଦ୍ଦେଶ୍ୟରେ ବ୍ୟବହାର କରି ନାହାନ୍ତି ସେମାନଙ୍କର ଲିଜ୍ ରଦ୍ଦ କରାଯିବ ବୋଲି ରାଜସ୍ୱ ସୂତ୍ରରୁ ପ୍ରକାଶ ।

Share in top social networks!
Powered By Indic IME