ଏସ୍.ସି.ବି ମେଡିକାଲ କଲେଜରେ ଏମ୍.ବି.ବି .ଏସ୍ ସିଟ ୨୫୦କୁ ବଢିଲା

scbbକଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଏମ୍.ବି.ବି.ଏସ୍ ସ୍ଥାନ ୧୫୦ରୁ ୨୫୦କୁ ବଢିଲା । ଚଳିତ ବର୍ଷ ଏହି ବର୍ଦ୍ଧିତ ୧୦୦ ସିଟ୍ ରେ ନାମ ଲେଖା ପାଇଁ ଏମ୍.ସି.ଆଇ ଅନୁମୋଦନ ମିଳିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାଃ ଦାମୋଦର ରାଉତ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ରାଜ୍ୟରେ ଡାକ୍ତର ଅଭାବ ଜନିତ ସମସ୍ୟା ଦୂର କରିବା ପାଇଁ ସରକାର ତିନିଗୋଟି ଯାକ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଏମ୍.ବି.ବି.ଏସ୍ ସିଟ୍ ବଢାଇବା ପାଇଁ ଯୋଜନା କରିଛନ୍ତି ।

ଏଥିପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା କରିବା ନିମନ୍ତେ ଅର୍ଥର ବ୍ୟବସ୍ଥା କରିଛନ୍ତି ଏବଂ କାର୍ଯ୍ୟ ଆରମ୍ଭ ହୋଇଛି । ଚଳିତ ବର୍ଷ ଏସ୍.ସି.ବି ମେଡିକାଲ କଲେଜ ଓ ହସ୍ପିଟାଲରେ ଏମ୍.ବି.ବି.ଏସ୍ ରେ ଅଧିକ ୧୦୦ସିଟ ପାଇଁ ଅନୁମୋଦନ ଦେବାକୁ ଏମ୍.ସି.ଆଇ କୁ ପ୍ରସ୍ତାବ ଦିଆଯାଇଥିଲା । ଗତ ଅପ୍ରେଲ ମାସ ୨୯ ଓ ୩୦ ତାରିଖରେ ଏମ୍.ସି.ଆଇ ଏହି ଅନୁଷ୍ଠାନକୁ ପରିଦର୍ଶନ କରି ଅଧିକ ୧୦୦ସିଟ୍ ବଢାଇବା କ୍ଷେତ୍ରରେ କେତେକେ ଆବଶ୍ୟକତା ଦର୍ଶାଇ ତାକୁ ପୂରଣ କରିବାକୁ ପରାମର୍ଶ ଦେଇଥିଲେ ।

ସେହି ସବୁ ଆବଶ୍ୟକତା କୁ ପୂରଣ କରାଯିବା ସହିତ ସ୍ଵାସ୍ଥ୍ୟମନ୍ତ୍ରୀ ଡାଃ ରାଉତଙ୍କ ପରାମର୍ଶ କ୍ରମେ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଗତ କାଲି ଏମ୍.ସି.ଆଇ ର ପରିଚାଳନା ବୋର୍ଡରେ ଉପସ୍ଥିତ ରହି ସେମାନେ ଦର୍ଶାଇଥିବା ଆବଶ୍ୟକତା ପୂରଣ କରାଯାଇଥିବା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଥିବା ଅବଗତ କରାଇ ଅନୁମୋଦନ ଦେବାକୁ ଯୁକ୍ତି ଉପସ୍ଥାପନ କରିଥିଲେ । ସେହି ଅନୁଯାୟୀ ଏମ୍.ସି.ଆଇ ଅଧିକ ୧୦୦ସିଟ୍ ପାଇଁ ଅନୁମୋଦନ ଦେଇଛନ୍ତି । ଆସନ୍ତା ଶିକ୍ଷା ବର୍ଷକୁ ବ୍ରହ୍ମପୁର ଏମ୍.କେ.ସି.ଜି ଏବଂ ବୁର୍ଲ୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଏମ୍.ବି.ବି.ଏସ୍ ସିଟ୍ ବର୍ତ୍ତମାନ ଥିବା ୧୫୦ରୁ ୨୫୦କୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡାଃ ରାଉତ କହିଛନ୍ତି ।

Share in top social networks!
Powered By Indic IME