ଚାଷୀଙ୍କୁ ମାଗଣାରେ ମୋବାଇଲ ଟେଲିଫୋନ ଯୋଜନାର ଶୁଭାରମ୍ଭ

tn_18-6-2013=3ରାଜ୍ୟର ଚାଷୀମାନଙ୍କ ପାଇଁ ମାଗଣାରେ ମୋବାଇଲ ଟେଲିଫୋନ ବଣ୍ଟନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ଆଜି କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ଵର ପ୍ରଦର୍ଶନୀ ପଡିଆରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ସମବେତ ହୋଇଥିଲା ହଜାରହଜାର ଚାଷୀ ଭାଇ ଭଉଣୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୦ହଜାର ଚାଷୀଙ୍କୁ ମୋବାଇଲ ଟେଲିଫୋନ ବଣ୍ଟନର ଯୋଜନା ରହିଥିବା ବେଳେ ଆଜି ଭୁବନେଶ୍ଵର ଠାରେ ୫,୦୦୦ ଚାଷୀଙ୍କୁ ମୋବାଇଲ ଟେଲିଫୋନ ପ୍ରଦାନ କରାଯାଇଛି । ଏହା ଦ୍ଵାରା ଚାଷୀମାନେ ଓଡିଆ ଭାଷାରେ voice call ଓ sms ଜରିଆରେ ବିଭିନ୍ନ କୃଷିଜାତ ଦ୍ରବ୍ୟର ବଜାର ଦର ପାଣିପାଗ ଏବଂ ଅନ୍ୟାନ୍ୟ କୃଷି ସୂଚନା ପାଇପାରିବେ । ଏହା ସହିତ ଆଜି ଡିଜିଟାଲ ମଣ୍ଡି ବ୍ୟବସ୍ଥାର ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ ।

ରାଜ୍ୟ ସମବାୟ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟ ମନ୍ତ୍ରୀ କହିଲେ ଯେ ଡିଜିଟାଲ ମଣ୍ଡି ଓ ମୋବାଇଲ ଟେଲିଫୋନ ଦ୍ଵାରା ଚାଷୀ ବଜାର ବ୍ୟବସ୍ଥାରେ ତାର ସ୍ଥିତିକୁ ସୁଦୃଢ କରିବା ସହିତ ବଜାରର ଆବଶ୍ୟକତା କୁ ଦେଖି ତାର ଫସଲ ଯୋଜନା କରିପାରିବ । ଏହା ସହିତ ତାର ଉତ୍ପାଦିତ ଦ୍ରବ୍ୟର ଭଲ ମୂଲ୍ୟ ମଧ୍ୟ ପାଇପାରିବ । ୨୦୧୩କୁ ଚାଷୀମାନଙ୍କ କଲ୍ୟାଣ ବର୍ଷ ଭାବରେ ଅବିହିତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଚଳିତ ବର୍ଷ ପ୍ରଥମ ଥର ଲାଗି ବିଧାନ ସଭାରେ କୃଷିପାଇଁ ସ୍ଵତନ୍ତ୍ର ବଜେଟ ପାସ୍ ହେବା ସହ ନୂତନ କୃଷି ନୀତି କାର୍ଯ୍ୟକାରୀ କରାଯାଉଛି । ଏହା ସହିତ ରାଜ୍ୟର ୫୦ ହଜାର ଚାଷୀ ପରିବାର ସ୍ୱାସ୍ଥ୍ୟବୀମା ସୁବିଧା ଯୋଗାଇବା ଲକ୍ଷ୍ୟରେ ବିଜୁ କୃଶକ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଚାଷୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏ ଦିଗରେ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର ,ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀ ,ବିଧାୟକ ସର୍ବଶ୍ରୀ ଅଶୋକ ପଣ୍ଡା,ବିଜୟ ମହାନ୍ତି ,ଭାଗିରଥି ବଡଜେନା ପ୍ରମୁଖ ଉଦବୋଧନ ଦେଇ ଚାଷୀଙ୍କ ସଶକ୍ତିକରଣ ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ । ସମବାଯ ବିଭାଗର ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ପି କେ ପଟ୍ଟନାୟକ ଧନ୍ୟବାଦ ଅର୍ପଣା କରିଥିଲେ । IIT କାନପୁର ଏବଂ ବିଏସଏନଏଲ ର ମିଳିତ ସହଯୋଗରେ ମୋବାଇଲ ଟେଲିଫୋନ ଜରିଆରେ ଚାଷୀଙ୍କୁ ସୂଚନା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି ।

Share in top social networks!
Powered By Indic IME