ସମକାଳୀନ ନୃତ୍ୟଉତ୍ସବ ସମକାଳର ଉଦଘାଟନ

samakalରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡିଶା ସଙ୍ଗୀତ ନାଟାକ ଏକାଡେମୀ ପକ୍ଷରୁ ଆୟୋଜିତ ସମକାଳୀନ ନୃତ୍ୟଉତ୍ସବ ସମକାଳର ଉଦଘାଟନ ପର୍ବ ଆଜି ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଅଛି । ତା ୧୧ରୁ ୧୩ ଜୁନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ୩ଦିନିଆ ଉତ୍ସବରେ ବହୁ ଖ୍ୟାତନାମା ନୃତ୍ୟଶିଳ୍ପୀ ଓ ନୃତ୍ୟ ସଂଯୋଜକ ମାନେ ସେମାନଙ୍କର ଦଳ ସହ ପ୍ରାଚୀନ କଥା ବସ୍ତୁକୁ ନୂତନ ରୂପରେ ପରିବେଷଣ କରିଥିଲେ ।

ଉଦଘାଟନୀ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ପଦ୍ମିନୀ ଚେତୁର୍ ଙ୍କ ପ୍ରସ୍ତୁତି ବିୟୁଟିଫୁଲ ଥିଙ୍ଗ-୨ । ଶାରୀରିକ ପରିଭାଷା ର ଏକ ଅନନ୍ୟ ପ୍ରସ୍ତୁତି ଗତିଶୀଳତାକୁ ସମୟର ସୂକ୍ଷ୍ମ ବିଭାଜନରେ ବିଭାଜିତ କରି ତାର ପୁନଶ୍ଚ ସମନ୍ଵୟତା ହିଁ ଥିଲା ଏହି ନୃତ୍ୟର ମୂଳାଧାର । ଶରୀରକୁ ତାଳ ବା ସମୟ ସହିତ କେନ୍ଦ୍ରୀଭୂତ କରି ବିଭିନ୍ନ ଅଙ୍ଗକୁ ସଞ୍ଜୋଜିତ ସଂଗୀତ ଆଧାରରେ ଗତିକରାଇ ସୃଷ୍ଟିର ସୂକ୍ଷ୍ମତାକୁ ପ୍ରତିପାଦିତ କରିଥିଲା ଏହି ପରିବେଷଣ । ୨ୟ କାର୍ଯ୍ୟକ୍ରମଟି ଥିଲା କଲିକତାରୁ ଆସିଥିବା ଆଶାବରୀ ମଜୁମଦାର ଏବଂ ସାଥିଙ୍କ ଦ୍ଵାରା ପରିବେଷିତ ସମକାଳ ନୃତ୍ୟ ସୂର୍ପଣଖା । ଯଦିଓ ସୂର୍ପଣଖା ଏକ ପୌରାଣିକ ନାରୀ ଚରିତ୍ର ତଥାପି ସାଂପ୍ରତିକ ସମୟରେ ଅନେକ ଅନେକ ସୂର୍ପଣଖା ଆଜି ବି ପରିଲକ୍ଷିତ ହୋଇ ପ୍ରକୃତିର ନିୟମରେ ଗୋଟିଏ ନାରୀ ଏକ ପୁରୁଷ ପ୍ରତି ଆକର୍ଷିତ ହେବା ସ୍ଵାଭାବିକ ।

କିନ୍ତୁ ପରୋକ୍ଷରେ ନାରୀ ଅତ୍ୟାଚାରିତ ହେବା କେତେ ଦୂର ବିଚାର ଯୋଗ୍ୟ ? ପ୍ରଶ୍ନର ଉତ୍ତର ଖୋଜିଥିଲା ସୂର୍ପଣଖା । ବିଶେଷକରି କଥନ ଶୈଳୀ ର ପାରମ୍ପରିକ କଥକ ନୃତ୍ୟ ଆଧାରରେ ଏହାର ପରିବେଷଣ ଥିଲା ଚମତ୍କାର । ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ବିଶିଷ୍ଟ ନୃତ୍ୟାଙ୍ଗନା ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ.ପ୍ରିୟମ୍ବଦା ମହାନ୍ତି ହେଜମାଦୀ ; ଅରମୁଖ ଶାସନ ସଚିବ ପର୍ଯ୍ୟଟନ ଓ ସଂସ୍କୃତି ଶ୍ରୀ ଅଶୋକ କୁମାର ତ୍ରିପାଠୀ,ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ସୁଶୀଲ କୁମାର ଦାସ,ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଭାପତି ଶ୍ରୀ ଶରତ ପୂଜାରୀ,ଉପସଭାପତି ଶ୍ରୀମତୀ ଅରୁଣା ମହାନ୍ତି ଏବଂ ସଚିବ ଶ୍ରୀ ଚିତ୍ତ ରଞ୍ଜନ ମାଲିଆ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂହତି ପାଣି ଓ ଶ୍ରୀନିବାସ ଘଟୁଆରି ।

Share in top social networks!
Powered By Indic IME