ରାଜନୈତିକ ବ୍ୟବସ୍ଥା ଓ ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଆବଶ୍ୟକ

41748ରାଜନୈତିକ ବ୍ୟବସ୍ଥା ଓ ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଆବଶ୍ୟକ । ବିଶେଷକରି ରାଜନୈତିକ ଦଳ ଗୁଡିକରେ ଥିବା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ସହିତ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇପାରିଲେ ଆମର ଗଣତନ୍ତ୍ର ମଝବୁତ୍ ହୋଇପାରିବ ବୋଲି ରାଜନୈତିକ ଦଳର ପ୍ରତିନିଧି,ବୁଦ୍ଧିଜୀବୀ,ସାମାଜିକ କର୍ମକର୍ତ୍ତା ଓ ଏ କ୍ଷେତ୍ରରେ କାର୍ଯ୍ୟରତ ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ (ଏଡିଆର)ର କର୍ମକର୍ତ୍ତା ମାନେ ମତଦେଇଛନ୍ତି ।

ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅମୀୟ ଭୂଷଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଓଡିଶା ଇଲେକ୍ସନ ୱାଚ୍ ପକ୍ଷରୁ ଆୟୋଜିତ ‘ନିର୍ବାଚନ ଓ ରାଜନୈତିକ ସଂସ୍କାର’ଶୀର୍ଷକ ନବମ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ବିଜେଡ଼ି ର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି ଯେ ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ଜେଭଳି ଅବକ୍ଷୟମୁଖୀହୋଇ ଚାଲିଛି ସେଥିରେ ନିର୍ବାଚନୀ ବ୍ୟବସ୍ଥାରେ ତୁରନ୍ତ ସଂସ୍କାର ଆବଶ୍ୟକ । ଏଥିସହିତ ରାଜନୈତିକ ଦଳମାନେ ସେମାନଙ୍କ ଆଚରଣ ଓ ଉଚାରଣରେ ମଧ୍ୟ ପରିବର୍ତ୍ତନ କରିବା ଆବଶ୍ୟକ । ଲୋକପ୍ରତିନିଧିଙ୍କ ଆଚରଣରେ ସମାଜ ପ୍ରଭାବିତ ହେଉଥିବା ବେଳେ ସେମାନଙ୍କ ନିକଟରେ ଏବେ ତ୍ୟାଗ,ନିଷ୍ଠା ଓ ପ୍ରତିବଦ୍ଧତା ର ଅଭାବ ଦେଖାଦେଇଛି । ତେଣୁ ଏଭଳି ସ୍ଥିତିରେ ଗଣତନ୍ତ୍ରକୁ ଠିକଣା ଭାବେ ଚଳାଇବା କୁ ହେଲେ ନିର୍ବାଚନରେ ସଂସ୍କାର ଆବଶ୍ୟକ ।

ସିପିଏମ୍ ରାଜ୍ୟ ସମ୍ପାଦକ ଶ୍ରୀ ସନ୍ତୋଷ ଦାସ କହିଲେ ଯେ ଆମର ନିର୍ବାଚନ ବ୍ୟବସ୍ଥାକୁ ଏବେ ପୁଞ୍ଜିପତି ମାନେ ନିୟନ୍ତ୍ରଣ କରୁଛନ୍ତି । ନିର୍ବାଚନରେ ସଂସ୍କାର ଅଣାଯିବା ସହିତ କର୍ପୋରେଟ ଚାନ୍ଦା ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ । ସୂଚନା ଅଧିକାର ଆଇନ୍ ବଳରେ କୌଣସି ରାଜନୈତିକ ଦଳ ତାହାର ଦଳୀୟ ନିଷ୍ପତ୍ତି ଦେବା ପ୍ରସ୍ତାବକୁ ସେ ବିରୋଧ କରିଥିଲେ । କଂଗ୍ରେସ ପ୍ରତିନିଧି ଶ୍ରୀ ଶିବାନନ୍ଦ ରାୟ ନିର୍ବାଚନ ସମୟରେ ଅନ୍ୟ ରାଜ୍ୟ କ୍ୟାଡରର ସୂଚନା ଅଧିକାରୀ ମାନଙ୍କୁ ଆଣି ନିଯୋଜିତ କରିବା ଉପରେ ଗୁରୁତ୍ଵ ଦେଇଥିବାବେଳେ ବିଜେପିର ବରିଷ୍ଠ ସଦସ୍ୟ ଶ୍ରୀ ଅଶୋକ ସାହୁ ଶାସନ କାଳରେ ଭ୍ରଷ୍ଟାଚାରର ମୂଳ ଉତ୍ସ ଆମ ନିର୍ବାଚନ ବ୍ୟବସ୍ଥା ବୋଲି କହିବା ସହିତ ବ୍ୟକ୍ତି କୈନ୍ଦ୍ରିକ ରାଜନୀତିର ନିୟନ୍ତ୍ରଣ ଓ ଇଣ୍ଟରନେଟମାଧ୍ୟମରେ ମତଦାନ ବ୍ୟବସ୍ଥା ଉପରେ ମତ ରଖିଥିଲେ । ସିପିଆଇର ଶ୍ରୀ ରାମକୃଷ୍ଣ ପଣ୍ଡା ରାଜନୀତିର ମୂଲ୍ୟବୋଧ ସଙ୍କ୍ରାନ୍ତରେ ସାଧାରଣ ଲୋକଙ୍କୁ ସଚେତନ ଉପରେ ଜୋର ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏନ୍ ସିପି ଓ ଉତ୍କଳଭାରତର ପ୍ରତିନିଧୀମାନେ ଆଲୋଚନାରେ ଭାଗ ନେଇଥିଲେ । ପ୍ରାରମ୍ଭରେ ପୂର୍ବତନ ମୁଖ୍ୟଶାସନ ସଚିବ ଶ୍ରୀ ସହଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ଓଡିଶା ଇଲେକ୍ସନ ୱାଚର ସଂଯୋଜକ ରଞ୍ଜନ ମହାନ୍ତି ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ସମ୍ମିଳନୀର ଲକ୍ଷ୍ୟ,ଉଦ୍ଦେଶ୍ୟ ଓ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ । ଏଡିଆର ର ଅଧକ୍ଷ ପ୍ରଫେସର ତ୍ରିଲୋଚନ ଶାସ୍ତ୍ରୀ କହିଥିଲେ ଯେ ରାଜନୈତିକ ଦଳମାନେ କେଉଁଠାରୁ କେତେ ଅର୍ଥ ଆଣି ତାହାକୁ କିଭଳି ଖର୍ଚ୍ଚ କରୁଛନ୍ତି ତାହା ସାଧାରଣ ଲୋକେ ଜାଣିବା ଦରକାର । ରାଜନୈତିକ ଦଳ ଗୁଡିକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପରିଚାଳିତ ହେବା ସହିତ ନିର୍ବାଚନ ସମୟରେ ଠିକଣା ପାର୍ଥୀଙ୍କୁ ଚୟନ କରି ଟିକେଟ ଦେବା ଆବଶ୍ୟକ । ଏଥି ସହିତ ସୂଚନା ଅଧିକାର ଆଇନ ବଳରେ ପାର୍ଥୀ ସେମାନଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି ପରିମାଣ ପ୍ରଦାନ ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ । ଓଡିଶା ଇଲେକ୍ସନ ୱାଚର କୋର ଟିମ୍ ସଦସ୍ୟ କ୍ଷମାକର ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!
Powered By Indic IME