ମୋ ଗାଁ…!!! ସାଇ ପଡ଼ିଶା …!!!

ମୋ କବିତା… ସାଇ ପଡ଼ିଶା …!!!
ସାଇ ପଡ଼ିଶା …!!!ଶୁଣ ହେ ମୋର ଭାଇ ଭଉଣୀ କଥା ମୋ ଛୋଟ ଗାଁର ,
ଅଙ୍ଗେ ନିଭେଇଥିବା ଲେଖୁଛି ମୋ ସାଇ ପଡ଼ିଶାର ।ସକାଳ ହୁଏ ଡାମରା କାଉ , କୁକୁଡା ରାବ ଶୁଭେ,
ଚମକି ଉଠେ, କୁରୁଳି ଉଠେ ଗାଁ ଦାଣ୍ଡ ମୋ ଭାବେ ।ହରି ଗଉଡ଼ ଗାଇପଲକୁ ନେଇଯାଏ ଅଡ଼େଇ,
ଗୋବର ଛେରି ହମ୍ବାରଡ଼ିରେ ଯାନ୍ତି ଧୂଳି ଉଡ଼ାଇ ।

ଗୋବର ଲେଣ୍ଡି ଗୋଟାଇ ନେଇ ବ୍ରାହ୍ମଣ ଘର ଆଈ,
ଲିପିପୋଛିକି ମୁରୁଜ ଝୋଟି ଦିଅନ୍ତି ଗୀତ ଗାଇ ।

ମଣ୍ଡାଫୁଲ କୁ ତାପରେ ଥୋଇ ଆଖିଦୁଇ କୁ ମୁଦି,
ଠାକୁରାଣୀକୁ ପୂଜା କରନ୍ତି ହୁଳହୁଳୀରେ ବନ୍ଦି ।

ମୁନିକା ଶାଗ ବିଡ଼ାଏ ଧରି ପଡ଼ିଶା ଘର ଖୁଡ଼ୀ,
କାନି ପାଟିରେ ଧରି ପଶନ୍ତି ଘରେ ରଡ଼ିଟେ ଛାଡ଼ି ।

ତେଲିଘର ମାଇଁ ଚଟୁଏ ନିଆଁ ମାଗି ନିଅନ୍ତି କେବେ,
ପାଇକ ମା ଡିମ୍ବଭଜା ଟେ ଖୁଆନ୍ତି ଆଣି ସରାଗେ ।

କମାଖୁଡ଼ୀଙ୍କ ହାତଗଣତି ଘରଖରଚ କଥା,
ସିଲଟ ଧରି, ହିସାବ କରି ବୁଝାଏ ଲେଖାଯୋଖା ।

ଖଲିଆ ମା, ମୁଣ୍ଡକୁ ମୋର ସାଉଁଳାଏ ଗେଲରେ,
ଦଣ୍ଡାସି ଅଜା ଅଙ୍ଗୀକୁ ମୋର ଠିକ୍‌ କରନ୍ତି ଭଙ୍ଗୀରେ ।

କମଳା ଖୁଡ଼ୀ ଡାକି କହନ୍ତି ଗମ୍ଭିରୀ ପାଶେ ଥାଇ,
ଦଦାଙ୍କୁ ଏଇ ଘୋଟଣାଟାକୁ ନେଇ ଦିଅନ୍ତ ଯାଇ ।

ଇଙ୍ଗିଲି ଆଇ କଖାରୁ ବଡ଼ି ଆପଡ଼ା କାପଡ଼ାଲୁ,
ଟିଣ ଉପରେ ପକାଇ ଯେତେ ହୁଅନ୍ତି ବାଲୁବାଲୁ ।

ପାତର ଆଇ କବାଟ ଖୋଲି ଡ଼ାକ ଦିଅନ୍ତି ଦାଣ୍ଡେ,
ଗରାଖ ମୋର ଖାଇବୁ ଆସ କଷି ନଡ଼ିଆ ଖଣ୍ଡେ ।

ପାଳମା ଘର ବାଡ଼ି କଲମୀ ଆମ୍ବଟା ଯେଉଁ ମିଠା,
ଖାଇଖୋଇଛି ହେଲେ ନୋହିଛି ମନଟା ମୋର ଚିଟା ।

ମଠ ମନ୍ଦିର ବଗିଚା କଥା ସଦା ରଖିଛି ମନ,
ସପେଟା କରମଙ୍ଗା ନରକୋଳି ଖାଇଛି ପ୍ରତିଦିନ ।

ସନ୍ଧ୍ୟା ନଇଁଲେ ମା ମାଉସୀ ସନ୍ଧ୍ୟାଦୀପ କୁ ଜାଳି,
ତୁଳସୀ ମୂଳେ ଦୀପ ଜାଳନ୍ତି ଦେବୀଙ୍କ ଗୀତବୋଲି ।

ଭଣ୍ଡାରୀ ମାଇଁ ଡାକ ଦିଅନ୍ତି ଉପେଇ ନା‍ଆଁ ଧରି,
ନ ଶୁଣିଲେ ରଇ ଜାଳନ୍ତି ତୁଣ୍ଡରେ ଗାଳିକରି ।

ସାଇ ବିଜୁଳୀଖୁଣ୍ଟ ବଲ୍‌ବଟା ମିଞ୍ଜି ମିଞ୍ଜିକା ଜଳେ,
ସାରକାଟା ଓ ସାପନିଶୁଣୀ ଖେଳ ହୁଏ ତାହାର ତଳେ ।

ରାତି ବଢ଼ଇ, ଝିଙ୍କାରି ଡାକେ ସଭିଏଁ ଯାନ୍ତି ଶୋଇ,
ପୁଣି ସକାଳ ହୁଏ ଯେଝା କାର୍ଯ୍ୟରେ ଯାଆନ୍ତି ବ୍ୟସ୍ତ ହୋଇ ।

ରଚନା : ୪ ମଇ ୨୦୧୨

ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!

ପ୍ରଶାନ୍ତ କୁମାର ଭୂୟାଁ ,
ଟରୋଣ୍ଟୋ, କାନାଡା

ଜନ୍ମସ୍ଥାନ : ବଡଦାଣ୍ଡ, ଜଗନ୍ନାଥ ପ୍ରସାଦ , ଗଞ୍ଜାମ ( ଓଡିଶା )

ମୋ ଗାଁ, ଅତି ସରଳ, ସୁନ୍ଦର ଓ ଜୀବନ୍ତ । ଏହା କେବଳ ମୋର ନୁହଁ, ଆମ ସଭିଙ୍କ ଗାଁ । ଏଇଠି ଆମର ପିଲାଦିନ, ଯାନିଯାତ, ପିଠାପଣା ଓ ବନ୍ଧୁକୁଟୁମ୍ବ ର ଡୋର ଏବେବି ମନଟାକୁ ଟାଣି ଧରିଛି । ଏବେବି ଭାରତ ର ସ୍ପନ୍ଦନ ଗାଁରେ ହିଁ ରହିଅଛି । ସେଇ ଗାଁ ପାଇଁ ମୋର ଦୁଇଧାଡ଼ି ଲେଖା ଆପଣମାନଙ୍କ ପାଇଁ ।
Share in top social networks!