ଗ୍ରାମ ପଥ

ବିନୋଦ ଚନ୍ଦ୍ର ନାୟକ

ଦୂର ତାଳବଣ ଆକାଶେ ଶୁଣାଏ

ମାଟିର କବିତା କିସେ

ଏ ଗ୍ରାମର ପଥ ତହିଁ ଦିଗନ୍ତେ ମିଶେ 

କ୍ଷେତ ପରେ କ୍ଷେତ

କାଶଫୁଲ ଆଉ ବେଣାରେ ଜଟିଳା ପାଟ

ପାଟ ପରେ ବଣ ବଣ ପାରି ହେଲେ

ମାମୁଁ ଘର ଗାଁ ଦିଶେ ।। ୧ ।।

 

ପଥର ସେପାଖେ ବୁଣା ହରଡ଼ ଓ ବୁଟ

ଆଗରେ ଚାରଣ ପଡ଼ିଆ ଗୋରୁର ଗୋଠ

ଶିମୁଳି ଶାଖାରେ ବାହୁନେ କପୋତୀ

ଉଠ୍‌ ପୁତା ଉଠ୍‌-

ଉଠ୍‌ ପୂରିଲାଣି ମାଣ,

ଏ ପାଖେ କଇଁର ପୋଖରୀ ଗାଧୁଆ ତୁଠ ।। ୨ ।।

 

ଭୁଆସୁଣୀ ମାଜେ ପାଦର ପାହୁଡ଼ ଏଥି

ମୁକୁଳା ବେଣୀରେ ପଖାଳେ ଦେଇଣ ମେଥି

ନଣନ୍ଦ ତାହାର ଅଧିକ ଚତୁରୀ

ଗାଲରେ ହଳଦୀ ମାଖେ

ହଲିଲା ପାଣିରେ ମୁହଁର ଛାଇକୁ ଦେଖେ ।। ୩ ।।

 

ପୋଇଶାଗ ଆଉ ପାଣିକଖାରୁର ଲତା

ମାଡ଼ି ମାଡ଼ି ଆସି ଟପିଲାଣି ଘର ମଥା

ସଜନାର ଶାଖୁଁ

ଝରିପଡ଼େ କେତେ ଫୁଲ

ବାଡ଼ ଦେହେ ପୁଣି ଅପରାଜିତାର ଛଟା ।। ୪ ।।

 

ସେଇ ପଥେ ଫେରେ ଗ୍ରାମବଧୂ ସାରି

ସକାଳ ସ୍ନାହାନ ଏକା

ଧୂଳିରେ ଆଙ୍କି ସଜଳ ଚରଣ ରେଖା

ମାଆ ବୋଲି ଥରେ

ଡାକିବାକୁ ପ୍ରାଣ ଲୋଡ଼େ

ପୃଥିବୀ ସମ ସହନଶୀଳା ସେ

ଅସୀମ କରୁଣାବତୀ

ନୟନେ ଶତକେ ଯୁଗର ବେଦନା ଲେଖା ।। ୫ ।।

 

ଏ ପଥେ ଗ୍ରାମର ତରୁଣ ବିଦେଶ ଯାଏ

ଲେଉଟା ପଥକୁ ନୂତନା ଘରଣୀ

ଆକୁଳେ ଅନାଇ ଥାଏ

କି ବାରତା ଆଣେ

କି ଜାଣେ

ଆଧାର ଲୋଭୀ ଏ କାକ

ଏ ଗ୍ରାମ ଦେବତୀ 

ସେ ବ୍ୟଥା ବୁଝେ କି ହାଏ ।। ୬ ।।

 

ଏ ପଥରେ ଗ୍ରାମେ ପ୍ରବେଶ ହୁଅଇ ବଧୁ

ବିତରି ବୁକୁର ମମତା ମୁଖର ମଧୁ

ପୁଅ ଝିଅ ନାତି ନାତୁଣୀରେ ରଖି

ମଶାଣି ଏ ପଥେ ଫେରେ

ଆସିବା ଜନର ସାକ୍ଷୀ ଏ ପଥ

ଫେରିବା ଜନର ବନ୍ଧୁ ।। ୭ ।।

 

ଜହ୍ନ ଏ ପଥେ ଢାଳଇ ରଜତ ମାୟା

କୁମାରୀ ଦଳର ମିଳିତ କଣ୍ଠୁ

ସଙ୍ଗୀତ ଉଠେ ଆହା

ଧାନ କ୍ଷେତ ଚଳେ

କୃଷକ ତରୁଣ

ରାତ୍ରି ଶୟନ ପାଇଁ

ପ୍ରାନ୍ତର ଡେଇଁ ଧାଏଁ ଦେଖ ଦେଖ

ଭସାଣି ମେଘର ଛାୟା ।। ୮ ।।

 

ଧୂଳିଘର ଛାଡ଼ି ଏ ପଥେ ଚଳଇ

ଶାଶୁଘର ଗାଆଁ ଝୁଅ

ମା’ର ପଣତେ ବନ୍ୟା ରଚଇ

ଅମାନିଆ ଆଖି ଲୁହ 

ଏ ପଥର ସ୍ମୃତି ଚେତନା ଲେଖଇ

ସେ କେଉଁ ଜନମ କଥା

ଛାତି ଫାଟିଯାଏ କ୍ରନ୍ଦନେ ତା’ର

ବିଧାତା କି ପାଇଁ ଏ ବିଧାନ କଲା କୁହ ।। ୯ ।।

 

ଶ୍ୟାମ ପ୍ରାନ୍ତରେ ଉଲଙ୍ଗ ଶିଶୁ ସମ

ଏ ପଥ ଘୁମାଏ

ନୀଳନଭେ ଯଥା

ଛାୟାପଥ ମନୋରମ

ଗ୍ରାମ ଝରଣାରେ ଲଙ୍ଘି ଏ ପଥ

ସରଗ ସୀମାକୁ ଧାଏଁ

ସନ୍ନ୍ୟାସୀ ସେ କି ବିତରି କରୁଣାଧନ ।। ୧୦ ।।

 

ବନ୍ଦନା ତତେ କରଇ ରେ ଗ୍ରାମପଥ

ବାଳକ ବେଳର ହେ ମୋର ପ୍ରିୟ ସାଥୀ

ଆୟୁତ ଦଣ୍ଡବତ ।। ୧୧ ।।

 

~ ବିନୋଦ ଚନ୍ଦ୍ର ନାୟକ ( କବିଙ୍କର ଜନ୍ମ ସୁନ୍ଦରଗଡ଼ ଜିଲ୍ଲାର ତେଲୀପାଲି ଗ୍ରାମରେ । ଓଡ଼ିଆ କାବ୍ୟ ପରମ୍ପରାରେ ସେ ଜଣେ ରୋମାଣ୍ଟିକ୍‌ କବି । ତାଙ୍କର ଚନ୍ଦ୍ର ଓ ତାରା, ନୀଳ ଚନ୍ଦ୍ରର ଉପତ୍ୟକା, ନନ୍ଦାଦେବୀ, ଇଳାବୃତ୍ତ ତଥା ସରୀସୃପ ଇତ୍ୟାଦି ସୃଷ୍ଟି ପ୍ରଧାନ । ତନ୍ମଧ୍ୟରୁ “ସରୀସୃପ” କବିତା ସଂକଳନଟି କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ । )

Share in top social networks!
Powered By Indic IME