ଡିପ୍ଲୋମା ରେଜଲ୍ଟରେ ୫୧,୫୭୧ ଜଣ ଉତ୍ତୀର୍ଣ୍ଣ

ମଇ ୫ ତାରିଖରେ ଅନୁଷ୍ଠିତ ହୋଇଥିବା ଡିପ୍ଲୋମା ପରୀକ୍ଷା-୨୦୧୩ ର ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ମୋଟ ୫୧,୭୫୧ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଥିବା ୧୩ଗୋଟି ସରକାରୀ ଡିପ୍ଲୋମା ଇଞ୍ଜିନିୟରିଂ ଅନୁଷ୍ଠାନ/ପଲିଟେକେନିକ୍ ରେ ସମୁଦାୟ ୩୦୦୦ ସିଟ୍ ଥିବା ବେଳେ ନୂତନ ସ୍ଥାପନ ହୋଇଥିବା ୮ଟି ଜିଲ୍ଲା ଯଥା ବାଲେଶ୍ଵର,କେଉଁଝର,ବଲାଙ୍ଗୀର,ସୋନପୁର,ସମ୍ବଲପୁର,କନ୍ଧମାଳ ,ନବରଂଗପୁର ଓ ଗଜପତିଠାରେ ୮ଗୋଟି ପଲିଟେକେନିକ୍ ସଂସ୍ଥାରେ ଛାତ୍ରଛାତ୍ରୀମାନେ ନୂଆକରି ଆଡମିସନ୍ ନେବେ । ଏହି ଅନୁଷ୍ଠାନ ଗୁଡିକରେ ସମୁଦାୟ ୧୯୨୦ଟି ସିଟ୍ ରହିଛି ।

ଏହାବ୍ୟତୀତ ୮୯ଟି ସ୍ଵିକୃତି ପ୍ରାପ୍ତ ବେସରକାରୀ ଡିପ୍ଲୋମା ଇଞ୍ଜିନିୟରିଂ ଅନୁଷ୍ଠାନରେ ମଧ୍ୟ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ । ଝିଅମାନଙ୍କୁ ବୈଷୟିକ ଶିକ୍ଷା ଦିଗକୁ ଆକୃଷ୍ଟ କରିବା ପାଇଁ ପ୍ରତ୍ୟେକ ପ୍ରତିଷ୍ଠାନରେ ୩୦ପ୍ରତିଶତ ସିଟ୍ ସଂରକ୍ଷଣ କରାଯାଇଛି । ଏହା ସହ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପଢା ଖର୍ଚ୍ଚ ସରକାର ସଂପୂର୍ଣ୍ଣ ବହନ କରିବେ ବୋଲି ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଟ୍ୟୁସନ ଫି ଛାଡ ସ୍କିମ୍ ରେ ଯେଉଁ ପିତାମାତାଙ୍କର ବାର୍ଷିକ ଆୟ ୪.୫ ଲକ୍ଷ ମଧ୍ୟରେ ଥିବ ସେମାନଙ୍କ ପିଲାମାନଙ୍କ ପାଇଁ ପ୍ରତିଷ୍ଠାନ ଦ୍ଵାରା ସ୍ଥିରୀକୃତ ହୋଇଥିବା ଟ୍ୟୁସନ୍ ଫି ’ ର ୫ ପ୍ରତିଶତ ଛାଡ କରାଯିବ ।

ଏହି ସୂତ୍ରରେ ସରକାରୀ ଡିପ୍ଲୋମା ଇଞ୍ଜିନିୟରିଂ ପ୍ରତିଷ୍ଠାନ ବା ପଲିଟେକେନିକ୍ ରେ ଆଡିମିସନ୍ ଫି ’ ୬,୫୦୦/- ଥିବା ବେଳେ ଏହି ବର୍ଷର ପିଲାମାନଙ୍କୁ ମାତ୍ର ୩,୦୦୦/- ଓ ବେସରକାରୀ ପ୍ରତିଷ୍ଠାନ ଗୁଡିକରେ ନିର୍ଦ୍ଧାରିତ ଫି ୨୬,୦୦୦/- ଥିବା ବେଳେ ଏମାନେ ମାତ୍ର ୬,୦୦୦/- ଦେଇ ନାମ ଲେଖାଇ ପାରିବେ । ବୈଷୟିକ ଶିକ୍ଷା ପ୍ରତି ପ୍ରୋତ୍ସାହନ ଦେବା ପାଇଁ ଏହି ସବୁ ଅଭିନବ ପଦକ୍ଷେପ ନିଆଯାଇଛି ବୋଲି ଡି.ଟି.ଇ.ଟି. (ଡିରୋକ୍ଟୋରେଟ୍ ଅଫ୍ ଟେକନିକାଲ ଏଜୁକେସନ୍ ଏଣ୍ଡ ଟ୍ରେନିଂ) କଟକ ସୂତ୍ରରୁ ପ୍ରକାଶ ।

Share in top social networks!
Powered By Indic IME