ଲୋକ ପ୍ରତିନିଧିଙ୍କୁ ଦିଆଯିବ ସ୍ଵତନ୍ତ୍ର ତାଲିମ: ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା

ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ତୃଣମୂଳସ୍ତରରେ ପ୍ରଶାସନର ଏକ ଗୁରୁତ୍ୱପୂର୍ଣ ଭୂମିକା ବହନ କରିଛି। ଏଥିପାଇଁ ପଞ୍ଚାୟତ ସ୍ତରରୁ ଲୋକପ୍ରତିନିଧି ଓ ସାଧାରଣ ଜନତାଙ୍କୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦେବା ପାଇଁ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସହିଦନଗରସ୍ଥିତ ଅଫିସରେ ଅନୁଷ୍ଠାନର ଅଧ୍ୟକ୍ଷ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟନିର୍ବାହୀ ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ଦ୍ଵାରା ଅନୁମୋଦିତ ହୋଇଥିଲା। ୩୦ ଦିନିଆ ଏହି ପ୍ରଶିକ୍ଷଣ କାର୍ଯ୍ୟ ଓଡ଼ିଆ ମାଧ୍ୟମରେ ବିଭିନ୍ନ ବିଷୟ ବିଶେଷଜ୍ଞଙ୍କ ଦ୍ୱାରା ଜିଲ୍ଲାର ସବୁ ସ୍ତରର (ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ) ଅଧିକାରୀଙ୍କୁ ଥରକୁ ୧୦୦ ଜଣଙ୍କୁ ପ୍ରଦାନ କରାଯିବ। ଏଥିପାଇଁ ଆବଶ୍ୟକୀୟ ଖର୍ଚ୍ଚ ହିତାଧିକାରୀ ଓ ଅନୁଷ୍ଠାନ ବହନ କରିବେ। ଏହା ବ୍ୟତୀତ ଦେଶବିଦେଶରେ ରହୁଥିବା ଓଡ଼ିଆଙ୍କୁ ବହୁ ଉପାଦେୟ ପୁସ୍ତକ ଇଣ୍ଟରନେଟ ମାଧ୍ୟମରେ ଅର୍ଡର ଆଣି ଯୋଗାଇ ଦିଆଯିବ ବୋଲି ନିଷ୍ପତି ନିଆଯାଇଛି। ଏହି ବୈଠକରେ ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଅଷ୍ଟ୍ରେଲିଆ ଦୂତାବାସରେ ଅବସ୍ଥିତ ବିଶିଷ୍ଟ କୂଟନୀତିଜ୍ଞ ଡଃ ଶୁଭକାନ୍ତ ବେହେରା, ବିଧାୟିକା ଡଃ ସିପ୍ରା ମଲ୍ଲିକ, ଅବସରପ୍ରାପ୍ତ ଆୟକର ମୁଖ୍ୟ କମିଶନର ଧୀରେନ୍ଦ୍ର ରାୟ, ପ୍ରଫେସର ନଟବର ଶତପଥୀ, ପ୍ରଫେସର ବ୍ରଜେନ୍ଦ୍ର ପ୍ରସାଦ ଦାସ, ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ ସଚିବ ଡଃ ସୁବ୍ରତ ପୃଷ୍ଟି, ଡଃ ଚିତ୍ତରଞ୍ଜନ ବେହେରା, ଗୋଲକ ବିହାରୀ ସିଂହ, ବିକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

 

Share in top social networks!