ଆସନ୍ତା ଏକ ବର୍ଷ ମଧ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସଂପୂର୍ଣ୍ଣ ଅନ୍-ଲାଇନ୍ ହେବ

OD-MAP-4ରାଜ୍ୟସରକାର ନୂତନଭାବେ ଗଠନ କରିଥିବା ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଆସନ୍ତା ଏକ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ଅନ୍-ଲାଇନ ହେବ ଏବଂ ଏହି ବିଭାଗର ସମସ୍ତ କାର୍ଯ୍ୟ ଅନ୍-ଲାଇନରେ ସମ୍ପାଦିତ ହେବ ବୋଲି ବିଭାଗର ସଚିବ ପଞ୍ଚାନନ ଦାସ କହିଛନ୍ତି । ଶ୍ରୀ ଦାସ କହିଛନ୍ତି ଯେ ନୂତନ କରି ଗଠନ କରାଯାଇଥିବା ରାଜ୍ୟରେ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମାଧ୍ୟମରେ ଯୁବକ ଯୁବତୀ ମାନଙ୍କ ନିମନ୍ତେ ବ୍ୟାପକ ଆତ୍ମନିଯୁକ୍ତି ତଥା ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇପାରିବ ।

ବିଭାଗର ମନ୍ତ୍ରୀ ଡଃ ଦାମୋଦର ରାଉତଙ୍କ ନିର୍ଦ୍ଦେଶ କ୍ରମେ ବିଭାଗର ସମସ୍ତ କାର୍ଯ୍ୟକୁ ସ୍ଵଚ୍ଛ ତଥା ଲୋକାଭିମୁଖୀ କରିବା ପାଇଁ ଅନ୍-ଲାଇନ ବ୍ୟବସ୍ଥା କରାଯାଇଛି । ଇତି ମଧ୍ୟରେ ବିଭିନ୍ନ ଉଦ୍ୟୋଗ ପତି ମାନେ ସେମାନଙ୍କର ଉଦ୍ୟୋଗ ସଙ୍କ୍ରାନ୍ତୀୟ ପ୍ରସ୍ତାବ ବିଭିନ୍ନ ଜିଲ୍ଲା ଶିଳ୍ପକେନ୍ଦ୍ରମାନଙ୍କରେ ଇ-ଏମ୍ -୧ ଫାର୍ମରେ ଦାଖଲ କରିବାକୁ ପଡୁଥିଲା । ସେହି ଅସୁବିଧାକୁ ଦୂରକରିବା ନିମନ୍ତେ ଗତ ଅପ୍ରେଲ ମାସ ପହିଲାରୁ ଏହାକୁ ଅନ୍-ଲାଇନ କରାଯାଇଛି । ଆଜି ସୁଧା ଅନ୍-ଲାଇନ ରେ ୧୨୧୫ଜଣଙ୍କ ଇ.ଏମ୍-୧ ଦରଖାସ୍ତ ମିଳିଛି ଏବଂ ସେଥିରୁ ୧୦୨୯ଜଣ ଙ୍କର ଦରଖାସ୍ତ ଅନୁମୋଦନ ଲାଭ କରିଛି ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି । ଚଳିତ ବର୍ଷ ପ୍ରାୟ ୨ହଜାରରୁ ଅଧିକ ନୂତନ ଉଦ୍ୟୋଗପତି ଙ୍କ ପ୍ରସ୍ତାବ ମିଳିବ ବୋଲି ଆଶା କରାଯାଉଛି । ସେହିପରି ଇ.ଏମ୍-୨ ଦରଖାସ୍ତ ଫର୍ମ ଗ୍ରହଣକୁ ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ଅନ୍-ଲାଇନ କରାଯିବ ।

ସେହିପରି ଆଇ.ପି.ଆର -୨୦୦୭ ,ଏମ୍.ଏସ୍.ଏମ୍.ଇ ବିକାଶ ନୀତି -୨୦୦୯ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୩ ଅନୁଯାୟୀ ଉଦ୍ୟୋଗପତି ମାନଙ୍କୁ ପ୍ରଦାନ କରାଯାଉଥିବା ମୂଳଧନ ବା କ୍ୟାପିଟାଲ ଇନଭେଷ୍ଟମେଣ୍ଟ ଏବଂ ସୁଧ ଉପରେ ମିଳୁଥିବା ରିହାତିକୁ ଆଦିକୁ ମଧ୍ୟ ଅନ୍-ଲାଇନ ରେ ପ୍ରଦାନ କରାଯିବ । ଫଳରେ କୌଣସି ସ୍ତରରେ ପ୍ରିୟାପ୍ରୀତି ତୋଷଣ ବା ଦୁର୍ନୀତିକୁ ମଧ୍ୟ ରୋକାଯାଇପାରିବ ବୋଲି କୁହାଯାଇଛି । ଦ୍ଵାଦଶ ଯୋଜନା କାଳରୁ ଏମ୍,ଏସ୍,ଏମ୍,ଇ ବିଭାଗ ତରଫରୁ ଜାତୀୟ ଖାଦ୍ୟ ମିସନ କାର୍ଯ୍ୟକାରୀ କରାଯାଉଛି । ବ୍ଲକ ଠାରୁ ଆରମ୍ଭ କରି ସବୁ ସ୍ତରରେ ଅଣୁ, କ୍ଷୁଦ୍ର,ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା,ସେଥିରେ ମିଳୁଥିବା ସୁବିଧା ସୁଯୋଗ ଏବଂ ଆର୍ଥିକ ସହାୟତା ଆଦି ସମ୍ପର୍କରେ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ଅବଗତ କରାଇ ଏ ଦିଗରେ ଆକୃଷ୍ଟ କରିବା ନିମନ୍ତେ ମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Share in top social networks!
Powered By Indic IME