ଆସନ୍ତା ସେପ୍ଟେମ୍ବର ମାସରୁ କାର୍ଯ୍ୟକାରୀ ହେବ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଓଡିଶାର ପ୍ରସ୍ତୁତି ସନ୍ତୋଷ ଜନକ

OD-MAP-4ଆସନ୍ତା ସେପ୍ଟେମ୍ବର ମାସରୁ କାର୍ଯ୍ୟକାରୀ ହେବାକୁ ଯାଉଛି ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଯୋଜନା । ଏ ନେଇ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବା ପାଇଁ ଗତ କାଲୀ ନୂଆଦିଲ୍ଲୀ ଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଏକ ବୈଠକ ଅନୁଷ୍ଠିତ ଆହୁତ ହୋଇଥିଲା । ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ କମିଶନର ତଥା ନିର୍ଦ୍ଦେଶକ ଡଃ ପ୍ରମୋଦ ମେହେର୍ଦ୍ଦା ଉକ୍ତ ବୈଠକରେ ଯୋଗ ଦେଇ ଓଡିଶାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକାରୀ କରାଇବା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସଂପର୍କରେ ଉପସ୍ଥାପନା କରିଥିଲେ ।

ଓଡିଶାର ପ୍ରସ୍ତୁତି ଉକ୍ତ ବୈଠକରେ ଗ୍ରହଣୀୟ ଓ ପ୍ରଶଂସିତ ହୋଇଛି । ଏହି ମିଶନ ମାଧ୍ୟମରେ ସହରାଞ୍ଚଳର ପ୍ରଜନନ ଏବଂ ଶିଶୁ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ଵ ଦିଆଯିବା ସହିତ ବିଭିନ୍ନ ପ୍ରକାରର ସଂକ୍ରାମକ ଓ ଅଣ –ସଂକ୍ରାମକ ରୋଗ ନିୟନ୍ତ୍ରଣ ଓ ନିରାକରଣ ଦିଗରେ ବିଶେଷ ଧ୍ୟାନ ଦିଆଯିବ ବୋଲି ପ୍ରମୁଖ ସଚିବ ଶ୍ରୀ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ପାଇଁ ଏହି ଯୋଜନା ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଏକ ସବ୍-ମିଶନ ଭାବେ ଆରମ୍ଭ କରାଯିବ । ଓଡିଶାର ପ୍ରାୟ ସମସ୍ତ ଜିଲ୍ଲା ସଦର ମହକୁମା ଏବଂ ୫୦ ହଜାରରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ସହରାଞ୍ଚଳ ସମେତ ଦେଶର ମୋଟ ୭୭୯ ଟି ସହରରେ ଏହା କାର୍ଯ୍ୟକାରୀ କରାଯିବ ।

ଏହି ଯୋଜାନା କାର୍ଯ୍ୟକାରୀ କରିବା ଦିଗରେ ଦେଶର ସମସ୍ତ ରାଜ୍ୟ ନିମନ୍ତେ ଆସନ୍ତା ୫ ବର୍ଷ ପାଇଁ ପ୍ରାୟ ୨୨୫୦୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ସେଥିରୁ ୭୫ ପ୍ରତିଶତ କେନ୍ଦ୍ରସରକାର ଓ ୨୫ ପ୍ରତିଶତ ରାଜ୍ୟ ସରକାର ବହନ କରିବେ । ତେବେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ,ଜାମୁ କାଶ୍ମୀର ,ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭଳି ସ୍ଵତନ୍ତ୍ର କାଟାଗୋରୀ ରାଜ୍ୟମାନେ ୧୦ ପ୍ରତିଶତ ଏବଂ କେନ୍ଦ୍ର ସରକାର ବହନ କରିବେ ବୋଲି କୁହାଯାଇଛି । ବର୍ତ୍ତମାନ ସହରାଞ୍ଚଳର ଗରିବ ବା ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ସ୍ଵତନ୍ତ୍ର ଭାବେ କୌଣସି ସ୍ୱାସ୍ଥ୍ୟ ସେବା ନହିଁ । ଡାକ୍ତରଖାନା ମାନଙ୍କରେ ସକାଳ ୮ ଘଣ୍ଟାରୁ ଡାକ୍ତରଖାନାର ବାହାର ବିଭାଗ ଖୋଲା ଥାଏ ଏବଂ ସେହି ସମୟରେ ଗରିବ ଲୋକଟି କିମ୍ବା ଶ୍ରମିକ ତାର ମଜୁରି ଲାଗିବାକୁ ଯାଇଥାଏ । ଯଦି ସେ ସେହିସମୟରେ ଡାକ୍ତରଖାନାକୁ ଯାଏ ତାହା ହେଲେ ତାର ମଜୁରି ମିଳେ ନହିଁ ।

ତାକୁ ଦୃଷ୍ଟିରେ ରଖି ଏହି ମିଶନ ମାଧ୍ୟମରେ ଖୋଲିବାକୁ ଥିବା ସାହାରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଅପରାହ୍ନରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ବାହିର ବିଭାଗ କାର୍ଯ୍ୟ କରିବ ବୋଲି କୁହାଯାଇଛି । ଏକ ଆକଳନ ଅନୁଯାୟୀ ଆସନ୍ତା ୨୦୨୬ ମସିହା ବେଳକୁ ଦେଶର ୪୦ପ୍ରତିଶତରୁ ଅଧିକ ଲୋକ ସହରମାନଙ୍କରେ ବସବାସ କରୁଥିବେ । ସେମାଙ୍କ ମଧ୍ୟରୁ ପ୍ରାୟ ୨୫ ପ୍ରତିଶତ ଗରିବ ବା ଦିନମଜୁରିଆ ହୋଇଥିବେ । ଆଗାମୀ ଦିନରେ ଏହି ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ,ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ସହିତ ମିଶିଯାଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ଭାବେ ଜେନ ମିଶନ ନିର୍ଦ୍ଦେଶକଙ୍କ ଅଧୀନରେ କାର୍ଯ୍ୟ କରିବ । ଓଡିଶାରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ପରାମର୍ଶ କ୍ରମେ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ କୁ ତ୍ୱରାନ୍ୱିତ କରାଯାଇଛି ଏବଂ ଠିକଣା ବାଟରେ ଆଗେଇ ଚାଲିଛି ବୋଲି ପ୍ରମୁଖ ସଚିବ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।

Share in top social networks!
Powered By Indic IME