ପକ୍ଷୀରାଜ ଘୋଡ଼ା

*କରୁଣାକର ପାଟ୍ଟଶାଣୀ*

 

ମୋ ପାଇଁ ନିଷିଦ୍ଧ ତମ ଅଗଣାରେ

ଶୂନଶାନ ବୃତ୍ତ ଭିତରକୁ

ମୋ ପକ୍ଷୀରାଜ ଘୋଡ଼ା

ଧସେଇ ପଶିବା ପୂର୍ବରୁ

ତମେ ତିଆରିଲ ତମ ଉଆସ ଚାରିପାଖେ

ବିରାଟ ପାଚେରି

ଶକ୍ତ ହୀରାର କବାଟ

ମାୟା ମାଲୁଣୀର ଚମ୍ପାଫୁଲ ବ୍ୟୂହ;

କିନ୍ତୁ ଦିନରେ ମେଣ୍ଢା

ରାତିରେ ଭେଣ୍ଢା-ରୂପରେ

ବ୍ୟସ୍ତ ନୁହେଁ ଜମାରୁ ମୋର ପକ୍ଷୀରାଜଘୋଡ଼ା

କାରଣ କାଉଁରି କୁଆଁରୀ,

ତମେ ରାଜକୁମାରୀ

କେବଳ ଶ୍ରେୟ ନୁହଁ;

ଧେୟ ବି ମୋର।।

 

ତମ ମାଲୁଣୀର ଚମ୍ପା-ବ୍ୟୂହ,

ଉଆସର ବିରାଟ ପାଚେରି

ହୀରାର କବାଟ ଭାଙ୍ଗି

ତମ ନିଛାଟିଆ ଅଗଣାରେ ଓଲ୍ହାଇବି ଯେବେ

ପକ୍ଷୀରାଜ ଘୋଡ଼ା ସହ,

ମୁଁ ଜାଣେ ରାଜକୁମାରୀ

ତମ ଇସାରରେ ସେବେ

ଅନ୍ତରଙ୍ଗ ସାକ୍ଷୀ ସବୁ

ଅପସରି ଯାଉଥିବା ବେଳେ

ମୋ ପକ୍ଷୀରାଜ ଘୋଡ଼ାକୁ

ମୋ ରକ୍ତାତ ଦେହକୁ

ଜଡ଼ାଇ ଧରିବ ତମେ

ଚକ୍ଷୁ ମୁଦି

ତମ ଲୁହ ଭିଜା ପ୍ରଶସ୍ତ ବକ୍ଷରେ

ଏକାନ୍ତରେ ।।

Share in top social networks!
Powered By Indic IME