ଅବକ୍ଷୟିଷ୍ଣୁ

 

                                  ସଞ୍ଜୟ କୁମାର ମିଶ୍ର

 

କିଏ ଆସୁଛ ତୀରଧରି, ଫେରିଯାଅ

ଫେରିଯାଅ ପୂର୍ବସ୍ଥିତିକୁ

ସେଇ ଅନ୍ଧାରି ଇତିହାସର

କଳା ସୁଡ଼ଙ୍ଗ ଭିତରକୁ

ଯୋଉଠି ଖୋଜି ପାଇହୁଏ ନାହିଁ

ସୁଖ, ଦୁଃଖ, ଜନ୍ମ ମୃତ୍ୟୁର ଚେର ।।

 

ଏଠି ସାତତାଳ ପାଣି

ପଙ୍କ ଓ ଫରୁଆ ନାହିଁ

ନାହିଁ  ଉଦାସ ରଙ୍ଗର କଅଁଳ, ମୁହଁ, ପାଦ

ପରାଙ୍ଗପୁଷ୍ଟ ଯୌବନର ଅନୁଢା ଶବ ।।

 

ନିଆଁରେ ଜଡ଼ସଡ଼ କାକୁସ୍ଥ ତାର ପାପୁଲି କେବଳ

ଫୁଲ ବଣର ଛଳଛଳ ଗୀତ ଫୁଟିଯାଉଛି

କଣ୍ଟା ହୋଇ/ କ୍ଷତ ବିକ୍ଷତ ସହବାସରେ,

ଅବକ୍ଷୟିଷ୍ଣୁ ହୁଏ ଏ ଖରାରେ ପେଷି ହୋଇ

ଉନ୍ମାଦଗ୍ରସ୍ତ ସଭିଏଁ, ଆତ୍ମ ପରିଚୟହୀନ

ଅନୁଭବର ନିର୍ବୋଧ ମରୁଭୂମିରେ

ଅପସୃୟମାଣ, କ୍ଷୟମାନ ।।

 

ଆସନାହିଁ କେହିବି ତୀର ଧରି

ଦେହ ଦେହର ନିରବାତରେ ସଞ୍ଚରିଯିବ ଘା

ଉଲଟିଯିବ ଅନାଥ ସ୍ଵପ୍ନର କାଠଘୋଡ଼ା ।।

 

ଏଠି ହାଉଳି ହେଉଛି ସମୟ

ଅଶାନ୍ତ ମୁଦ୍ରାରେ ଅହରହ ।।

Share in top social networks!