ବୈଶାଖୀର ଚତୁର୍ଥ ସନ୍ଧ୍ୟାରେ ଓଡିଶାର ଲୋକସଙ୍ଗୀତ ଓ ନୃତ୍ୟର ତାଳେ ତାଳେ ଜୟଦେବ ଭବନ ପ୍ରକମ୍ପିତ ହେଲା ଶ୍ରୀ ଜୀଉଙ୍କ ପହଣ୍ଡିରେ

20 GUNJAN DANCE PROGRAME (3)ଓଡିଶାର ସର୍ବବୃହତ୍ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଚିନ୍ତା ଓ ଚେତନା ର ସପ୍ତାହବ୍ୟାପୀ ଓଡିଆ ନବବର୍ଷ ମହୋତ୍ସବ “୩୩ତମ ରାଷ୍ଟ୍ରୀୟ ବୈଶାଖୀ ମହୋତ୍ସବ-୨୦୧୩”ର ୪ର୍ଥ ସନ୍ଧ୍ୟାରେ ଶ୍ରୀଜୀଉଙ୍କ ପବିତ୍ର ପହଣ୍ଡିରେ ଓଡିଶାର ଲୋକସଙ୍ଗୀତ ଓ ଲୋକକଳା ଘୋଡାନାଚ ,ଗୋଟିପୁଅ,ଘଣ୍ଟମର୍ଦ୍ଦଳ,ଘଣ୍ଟନୃତ୍ୟ,ରଣପା ଓ ପୁରୀ ସାହିନୃତ୍ୟ ତଥା ଓଡିଶାକୋଣ ଅନୁକୋଣରୁ ଆସିଥିବା ସଙ୍କୀର୍ତ୍ତନ ମଣ୍ଡଳୀ ସହ ଛତ୍ର ,ତ୍ରାସ,ଆଲଟ,ଚାମର ସହ ଭବ୍ୟ ଶ୍ରୀମନ୍ଦିରରୁ ରତ୍ନବେଦି ପର୍ଯ୍ୟନ୍ତ ପହଣ୍ଡି,ସମବେତ ହଜାର ହଜାର ଦର୍ଶକଙ୍କୁ ଏକ ଆଧ୍ୟାତ୍ମ ମହକରେ ବିମୋହିତ କରିଥିଲା ।

ପରେପରେ କୁମାରୀ ରଶ୍ମିରେଖା ଦାସଙ୍କ ଦେବଦାସୀ ନୃତ୍ୟର ତାଳେତାଳେ ଆରତୀ ହୋଇଥିଲା ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ପାଖରେ । ଏହିଭଳି ଏକ ମନୋଜ୍ଞ ସନ୍ଧ୍ୟାକୁ ଉଦ୍ଘାଟନ କରିଥିଲେ ‘ଚିନ୍ତା ଓ ଚେତନା’ର ରାଜ୍ୟ ସଭାପତି ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀ ,ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦେବେନ୍ଦ୍ର ପ୍ରସାଦ ଦାସ,ଶ୍ରୀଯୁକ୍ତ ଅଶୋକ ପାଣ୍ଡେ,ଶ୍ରୀଯୁକ୍ତ ଏସ୍.କେ ଟାମୋଟିଆ ,ଶ୍ରୀଯୁକ୍ତ ସୁରେନ୍ଦ୍ର ଦାସ,ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀ ଓ ଶ୍ରୀଯୁକ୍ତ ଦୂର୍ଗା ଚରଣ ସ୍ଵାଇଁ ପ୍ରମୁଖ ।

ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦେବେନ୍ଦ୍ର ଦାସ ଚିନ୍ତାଓ ଚେତନାର ରାଷ୍ଟ୍ରୀୟ ସମ୍ମାନ “ଓଡିଶାର ଗର୍ବ”ଶୀର୍ଷକ ଫଳକ,ମାନପତ୍ର,ଉପଢୌକନ ,ଉତ୍ତରୀୟ ସମ୍ପୃକ୍ତ ବିଭାଗ ପାଇଁ ରାଜ୍ୟ ସରତକାରଙ୍କ ପକ୍ଷରୁ ଗ୍ରହଣ କରି କହିଲେ ଯେ ଏହି ମର୍ଯ୍ୟାଦାଜନକ ସମ୍ମାନ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆନୁକୁଲ୍ୟରେ ମିଳିତଭାବେ ପ୍ରଦାନ କରାଯିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରତି ଏକ ଉତ୍ସାହଜନକ ମାଇଲ ଖୁଣ୍ଟ । ଏହା ବହୁଭାବରେ ବିଭାଗୀୟ କର୍ମକର୍ତ୍ତା ,କର୍ମଚାରୀ ଓ ସର୍ବୋଚ୍ଚ ଅଧିକାରୀ ମାନଙ୍କୁ ଅଧିକ ଉତ୍ସାହ ପ୍ରଦାନ କରିବା ସଙ୍ଗେସଙ୍ଗେ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧିକରିବା ସହ ବିଭାଗକୁ ଅଧିକ ଶକ୍ତିଶାଳୀ ଓ ଲୋକାଭିମୁଖୀ କରିବାରେ ସମର୍ଥ ହେବ। ଉତ୍କଳୀୟ ନବବର୍ଷର ଶୁଭେଛା ସହ ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରିବା ପାଇଁ ସେ ପାର୍ଥନା କରିଥିଲେ ।

ଚିନ୍ତା ଓ ଚେତନାର ଏହି ପ୍ରୟାସ ଦୀର୍ଘ ୩୩ବର୍ଷର ସାଧନାକୁ ସେ ଯୋଡ ହସ୍ତରେ ପ୍ରଣାମ କରିବା ସହ ଏପରି ଆୟୋଜନ ର ପଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀ ୩୩ ବର୍ଷର ଏହି ଅନୁଷ୍ଠାନ ପଛରେ ଏହାର ପ୍ରତିଷ୍ଠାତା ମହାସଚିବ ସୁରେନ୍ଦ୍ର ଦାସଙ୍କ ତ୍ୟାଗ ଓ ସାଧନାର ସାମଗ୍ରିକ ପ୍ରତିଫଳନ ବୋଲି ମତବ୍ୟକ୍ତ କରି ଏହାକୁ ଅଧିକ ଋଦ୍ଧିମନ୍ତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଉକ୍ତ ମହୋତ୍ସବରେ କାର୍ଯ୍ୟନିର୍ବାହୀ ସଭାପତି ଶ୍ରୀ ସହଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ପରେପରେ ଝମନୃତ୍ୟ,ଶଙ୍ଖବାଦନ ,ଘୁମୁରା,ଓଡିଶୀ,ଘଣ୍ଟନୃତ୍ୟ,ଘୋଡାନାଚ,ଗୋଟିପୁଅ ନୃତ୍ୟ,ଘଣ୍ଟମୃଦଙ୍ଗ ବାଦନ ବହୁ କଳାକାର ସେମାନଙ୍କର ନୃତ୍ୟ ଓ ସଂଗୀତର ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ଓଲଟ ପହଣ୍ଡି କରି ଶ୍ରୀ ମନ୍ଦିର କୁ ନିଆଯାଇଥିଲା ।

Share in top social networks!
Powered By Indic IME