ନକ୍ସଲ ମୁକାବିଲାରେ ଲୋକ ପ୍ରତିନିଧି ସାମିଲ

ନକ୍ସଲ ସମସ୍ୟା ଓ ତା’ର ପ୍ରତିକାର ଏବଂ ସମାଧାନର ରାସ୍ତା ଓଡିଶାରେ ବାଟବଣା ହୋଇ ଜଙ୍ଗଲ ଭିତରେ ବୁଲୁଛି । ଇଆଡେ ଜିଲ୍ଲାପାଳ, ଏସପି ମିଶି ସବୁ ଟଙ୍କା ବାଣ୍ଟୁଛନ୍ତି । ଯୋଜନା କରୁଛନ୍ତି । ଏମଏଲଏ କି ଏମପିଙ୍କୁ ପଦେ ବି ପଚାରୁ ନାହାନ୍ତି । ଫଳରେ ନକ୍ସଲ ମୁକାବିଲା ନିମନ୍ତେ କେନ୍ଦ୍ର ଦେଉଥିବା ଅନୁଦାନ ଏବଂ ଯୋଜନା (ଆଇଏପି) ବିଫଳତାର ରାସ୍ତାରେ ଆଗେଇ ଚାଲିଛି । ତେଣୁ ଯୋଜନା କମିଶନ ଏ ନେଇ ରାଜ୍ୟକୁ ତାଗିଦା କରିଛନ୍ତି । କହିଛନ୍ତି – ଟଙ୍କା ଖର୍ଚ ନ କଲେ ଆଉ ଅନୁଦାନ ମିଳିବ ନାଇଁ । ଏହାଛଡା ଏଣିକି ସମୁଦାୟ ପ୍ରକ୍ରିୟାରେ ଲୋକ ପ୍ରତିନିଧିଙ୍କୁ ସାମିଲ କରିବାକୁ ନିଷ୍ପତି ନିଆଯାଇଛି ।

ଏ ସମ୍ପର୍କରେ ଯୋଜନା କମିଶନ ଓଡିଶା ମୁଖ୍ୟ ସଚିବ ବିଜୟ ପଟ୍ଟନାୟକଙ୍କ ନିକଟକୁ ଚିଠି ଲେଖିଛନ୍ତି । ସରକାରୀ ସୂତ୍ର ଅନୁସାରେ, ଯୋଜନା କମିଶନ କହିଛନ୍ତି, ଏଣିକି ଲୋକ ପ୍ରତିନିଧୀମାନେ ସମୁଦାୟ ପ୍ରକ୍ରିୟାରେ ସାମିଲ ହେବେ । ଏମପି, ଏମଏଲଏଙ୍କ ଠାରୁ ଆରମ୍ଭ କରି ପଞ୍ଚାଯତ ପ୍ରତିନିଧିମାନେ ଏହି କମିଟିରେ ରହିବେ । ପୂର୍ବରୁ, କେବଳ ଜିଲ୍ଲାପାଳ, ଏସପି ଏବଂ ଡିଏଫଓ ଏହି କମିଟିରେ ସଦସ୍ୟ ରହୁଥିଲେ ।

ଆମ ରାଜ୍ୟର 18ଟି ଜିଲ୍ଲାରେ ଏବେ ଆଇଏପି କାର୍ଯ୍ୟକାରୀ ହେଉଛି । ପୂର୍ବରୁ ଏହି ସଂଖ୍ୟା 15 ଥିଲା । ପରେ 2011 ଡିସେମ୍ବରରେ ଆଉ 3ଟି ନୂଆ ଜିଲ୍ଲା ଏଥିରେ ମିଶି ଥିଲା । ତେବେ ସେହି ସବୁ ଜିଲ୍ଲାରେ କେନ୍ଦ୍ରୀୟ ଅନୁଦାନ ଖର୍ଚ ହୋଇ ପାରୁ ନ ଥିବାରୁ ଯୋଜନା କମିଶନ ଅସନ୍ତୋଷ ପ୍ରକାଶ କରି  ସାରିଛନ୍ତି । 

Share in top social networks!