ବର୍ଷା ଦିନିଆ ସଂକ୍ରାମକ ରୋଗ, ମୃତ୍ୟୁ ସଂଖ୍ୟା ୧୦

ଚଳିତ ବର୍ଷ ବିଭିନ୍ନ ଜିଲ୍ଲାରେ ଏବେ ସୁଦ୍ଧା ବର୍ଷା ଦିନିଆ ସଂକ୍ରାମକ ରୋଗରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ସରକାରୀ ଗଣତି ହିସାବରେ ୨୦୧୦ ରେ ଏହି ମୃତ୍ୟୁ ସଂଖ୍ୟା ୧୮୬ ଥିବାବେଳେ ୨୦୧୧ରେ ଥିଲା ୫୯।  ସଂକ୍ରାମକ ରୋଗର ନିୟନ୍ତ୍ରଣ ପାଇଁ ସରକାର ପ୍ରସ୍ତୁତ ଏବେ ପ୍ରସ୍ତୁତ ହୋଇଛନ୍ତି। ଗତକାଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି କମିଟି ବୈଠକ ବସିଥିଲା। ଯେଉଁଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବୁଭାଗ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ ନିର୍ଦ୍ଦେଶକ ଡାଃ ପ୍ରମୋଦ ମେହେର୍ଦ୍ଦା, ସ୍ଵତନ୍ତ୍ର ସଚିବ ଡାଃ ବସନ୍ତ କୁମାର ମିଶ୍ର ଆଦି ଯୋଗଦେଇଥିଲେ।   ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଶେଷ କରି ବର୍ଷା ଦିନମାନଙ୍କରେ ବିଭିନ୍ନ ପ୍ରକାରର ସଂକ୍ରାମକ ରୋଗ ଦେଖାଦେଇଥାଏ। ତେବେ ଏହାର ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ କଜି ଏଥିପାଇଁ ପ୍ରସ୍ତୁତ ହୋଇଛି। ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, ନୂଆପଡା, ଗଜପତି, ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ବଲାଙ୍ଗିର ଓ ସୋନପୁର ଭଳି ଜିଲ୍ଲାମାନଙ୍କରେ ବର୍ଷା ଦିନରେ ଝାଡ଼ାବାନ୍ତି ଦେଖାଦେଉଥିବା କାରଣରୁ ସେହି ସବୁ ଜିଲ୍ଲାମାନଙ୍କରେ ବିଶେଷ ସତର୍କତା ଅବଲମ୍ବନ ସହିତ ସମସ୍ତ ଜିଲ୍ଲାରେ ଏହି ରୋଗର ନିୟନ୍ତ୍ରଣ ଓ ପ୍ରତିଷେଧକ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ। ନୋଡାଲ ଅଫିସରମାନେ ଜିଲ୍ଲା ଗସ୍ତ କରି ପ୍ରସ୍ତୁତି ସମ୍ପର୍କରେ ଆସନ୍ତା ୭ ତାରିଖ ସୁଦ୍ଧା ରିପୋର୍ଟ ଦେବେ। ଏହା ସହ ଗ୍ରାମାଞ୍ଚଳରେ ଆଶାମାନଙ୍କ ପାଖରେ ଔଷଧ, ଓ॰ଆର॰ଏସ॰ ଏବଂ ହାଲୋଜେନ ବଟିକା ସୁନିଶ୍ଚିତ ଉପଲବ୍ଧି କରାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Share in top social networks!