ବିଶ୍ଵବିଦିତ ପୁରୀ ରଥଯାତ୍ରା

ରଥଯାତ୍ରା ଜଗନ୍ନାଥଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହାକି ପୁରୀଠାରେ ଜଗନ୍ନାଥ ମନ୍ଦିରରେ ତଥା ବିଶ୍ଵର ବାକି ଅନେକ ଜାଗାରେ ପାଳନ କରାଯାଏ ।

ପୁରୀର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତିନିଗୋଟି ରଥରେ ପୁଷ୍ୟାନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ ବିଜେ କରି ଗୁଣ୍ଡିଚା ମନ୍ଦିରକୁ ଯାଇ ସେଠାରେ ସପ୍ତାହକାଳ ଅବସ୍ଥାନ କରି ଦଶମୀ ଦିନ ସେଠାରୁ ବଡ଼ଦେଉଳକୁ ଆସିଥାନ୍ତି । ଗୁଣ୍ଡିଚା ମନ୍ଦିରକୁ ଯିବା ଦିନକୁ “ରଥଯାତ୍ରା” ବା “ଗୁଣ୍ଡିଚା ଯାତ” ଓ ଫେରିବା ଦିନକୁ “ବାହୁଡ଼ା ଯାତ୍ରା ବା ବାହୁଡ଼ା ଯାତ” ବୋଲି କୁହାଯାଏ ।
ପରମ୍ପରା ଅନୁସାରେ ଘୋଷଯାତ୍ରାର ଆଗେ ଆଗେ ବଡ଼ଭାଇ ବଳଭଦ୍ରଙ୍କ ରଥ ‘ତାଳଧ୍ଵଜ’ ଯାଏ । ତାଙ୍କ ପଛେ ପଛେ ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ଓ ସର୍ବଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି ।
ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩. ନେତ୍ରୋତ୍ସବ, ୪. ଶ୍ରୀଗୁଣ୍ଡିଚା, ୫. ହେରାପଞ୍ଚମୀ, ୬. ଆଡ଼ପ ପର୍ବ, ୭. ବାହୁଡ଼ାଯାତ୍ରା ଓ ୮. ନୀଳାଦ୍ରିବିଜେ । ପୁନଶ୍ଚ ରଥଯାତ୍ରା ୫ ଭାଗରେ ବିଭକ୍ତ। ଯଥା ୧. ଅନ୍ତର୍ବେଦୀ, ୨. ମହାବେଦୀ ମହୋତ୍ସବ, ୩. ଆଡ଼ପ ଉତ୍ସବ, ୪. ଦକ୍ଷିଣାମୁଖୀ ଉତ୍ସବ ଓ ୫. ନୀଳାଦ୍ରି ବିଜୟ । ଏହାକୁ ‘ଗୁଣ୍ଡିଚା ପଞ୍ଚକ’ କୁହଯାଏ ।

ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି ହୋଇଥାଏ । କିନ୍ତୁ ସାରଥି, ଘୋଡ଼ା, ପାର୍ଶ୍ବ ଦେବଦେବୀ, ସଖୀ ଆଦିମୂର୍ତ୍ତି ଗୁଡ଼ିକ ପ୍ରତ୍ୟେକ ନବକଳେବର ବର୍ଷ ନୂତନ ଭାବରେ ନିର୍ମାଣ କରାଯାଇଥାଏ । ସେଗୁଡ଼ିକ ପ୍ରତ୍ୟେକ ରଥଯାତ୍ରା ସମୟରେ ଆବଶ୍ୟକୀୟ ମରାମତି ସହିତ ରଙ୍ଗ କରାଯାଇ ରଥ ଗୁଡ଼ିକରେ ଖଞ୍ଜା ଯାଇଥାଏ । ପ୍ରତିବର୍ଷ ରଥଯାତ୍ରା ପରେ ରଥଗୁଡ଼ିକୁ ଭାଙ୍ଗି ଦିଆଯାଏ ।

ପ୍ରତିବର୍ଷ ପୁରୀ ବଡ଼ଦାଣ୍ଡରେ ଥିବା ଶ୍ରୀନଅର ସମ୍ମୁଖସ୍ତ ରଥଖଳାଠାରେ ଶ୍ରୀଜଗନ୍ନାଥଙ୍କର ଏହି ବିଶ୍ବବିଦିତ ରଥଯାତ୍ରା ନିମନ୍ତେ ତିନିରଥର ନିର୍ମାଣ କାର୍ଯ୍ୟ ସଂପନ୍ନ ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପାରମ୍ପରିକ ବିଧି ଓ ରଥନିର୍ମାଣର ଶାସ୍ତ୍ରସମ୍ମତ ଧାରାକୁ ଲକ୍ଷ୍ୟ କଲେ ବ୍ୟାପାରଟି କେତେ ଜଟିଳ ଅଥଚ କେତେ ସୁସମନ୍ବିତ ତାହା ହୃଦ୍‌ବୋଧ ହୁଏ । ବହୁ ପୁରାତନ କାଳରୁ ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ପାଇଁ ସମୟ ନିର୍ଦ୍ଧାରିତ ହୋଇଛି, ତଦନୁସାରେ ସମସ୍ତ କାର୍ଯ୍ୟ ସୁସଂପନ୍ନ ହୋଇଥାଏ । ଉଦାହରଣ ସ୍ଵରୂପ, ମାଘ ଶୁକ୍ଳ ପଞ୍ଚମୀ ବା ଶ୍ରୀପଞ୍ଚମୀ ଦିନଟି ହେଉଛି ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ କାଠ ଆସିବାର ଶୁଭାରମ୍ଭ ଦିବସ । ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଦିନଟି ହେଉଛି ରଥ ନିର୍ମାଣର ଶୁଭ ଅନୁକୁଳ । ସେହିପରି ରାମନବମୀ ଦିନ ଦ୍ଵିତୀୟ ପର୍ଯ୍ୟାୟ କାଠ ଚିରଟ, ନୃସିଂହ ଚତୁର୍ଦ୍ଦଶୀ ଦିନ ରଥଗୁଜ ନିର୍ମାଣ, ଭଉଁରୀ ଦିନ ଚକ ଡେରା ଓ ସ୍ନାନ ପୂର୍ଣ୍ଣମୀ ଦିନ ରଥର ଚାରି ନାହାକା ଲଗା ହୋଇଥାଏ ।
ରଥ ନିର୍ମାଣର ପରମ୍ପରା ବଡ଼ ନିଆରା, ପ୍ରଥମେ ବଡ଼ଠାକୁରଙ୍କ ରଥ କାମ ଆରମ୍ଭ କରାଯାଉଥିବା ବେଳେ ପ୍ରଥମେ ଦେବୀ ରଥର ଚକ ନିର୍ମାଣ ହୁଏ । ଏହା ପଛରେ ପାରମ୍ପରିକ ମତାମତ ନଥିଲେ ମଧ୍ୟ ବୈଷୟିକ ମତ ରହିଛି । ରଥର ଚକ ଫାସୀ କାଠରେ ନିର୍ମାଣ ହୋଇଥାଏ । ପରମ୍ପରା ଦୃଷ୍ଟିରୁ ଦେବୀରଥର ଚକ ସବୁଠାରୁ ବଡ଼ (୧୨ ଟି ଚକ ମଧ୍ୟରୁ ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ) ।
ନେତ୍ରୋତ୍ସବ ବା ଶ୍ରୀଗୁଣ୍ଡିଚାର ପୂର୍ବଦିନ ରଥଖଳାରୁ ତିନି ରଥକୁ ଟାଣି ନିଆଯାଇ ସିଂହଦ୍ଵାର ସମ୍ମୁଖରେ ଉତ୍ତରମୁଖ କରି ରଖାଯାଏ ୤ ତିନିରଥ ରଥଖଳା ଠାରୁ ଟଣାହୋଇ ଶ୍ରୀମନ୍ଦିର ସମ୍ମୁଖକୁ ଆସିବା ସମୟରେ ପ୍ରଥମେ ନନ୍ଦିଘୋଷ ଟଣାଯାଉଥିବା ବେଳେ ଶ୍ରୀଗୁଣ୍ଡିଚା ଯାତ୍ରାରେ ପ୍ରଥମେ ତାଳଧ୍ଵଜ ଏବଂ ଦକ୍ଷିଣ ମୋଡ଼ ସମୟରେ ପ୍ରଥମେ ଦର୍ପଦଳନ ରଥକୁ ଟଣାଯିବାର ବିଧି ରହିଛି ୤

ନନ୍ଦିଘୋଷ

ନନ୍ଦିଘୋଷ ରଥ, ୨୦୦୭ର ରଥଯାତ୍ରା
‘ନନ୍ଦିଘୋଷ’ ବା ‘ଗରୁଡ଼ଧ୍ଵଜ’ ବା ‘କପିଳଧ୍ଵଜ’ ରଥରେ ଜଗନ୍ନାଥଙ୍କ ସହ ମଦନମୋହନ ବିଜେ କରନ୍ତି ।
ମୋଟ ୭୪୨ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ୬ ଇଞ୍ଚ ଅଟେ ।
ଏହି ରଥରେ ୧୬ ଟି ଚକ (ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ବସ୍ତି, ଜାଗୃତି, ତୁରୀୟ, ଆମ, ନିର୍ବାଣ) ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ।
ସାରଥି: ମାତଳୀ ।
ରଥର ଦଉଡ଼ି: ଶଙ୍ଖଚୂଡ଼ ।
ପରମ୍ପରା ମୁତାବକ ଧଳାରଙ୍ଗର ଚାରୋଟି ଘୋଡ଼ା (ଶଙ୍ଖ, ବଳାହକ, ଶ୍ଵେତ ଓ ହରିଦ୍ଵାଶ) ସ୍ଥାପନ କରାଯାଏ ।
ଏହାର ପତାକା ଗରୁଡ଼ ଚିହ୍ନାଙ୍କିତ ।
ଧ୍ଵଜପମୂର୍ତ୍ତି: ପଞ୍ଚମୁଖୀ ହନୁମାନ ।
ନାଲି ଓ ହଳଦିଆ ରଙ୍ଗର କପଡ଼ା ରେ ରଥାବରଣ କରାଯାଏ ।
ନନ୍ଦିଘୋଷରେ ହରିହର, ପଣ୍ଡୁ ନୃସିଂହ, ଗିରିଧର, ଷଡ଼ଭୁଜ ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ସପ୍ତଫେଣ ସର୍ପରେ ଆସୀନ ମଧୁସୂଦନ ବା ବିଷ୍ଣୁ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର ପାର୍ଶ୍ଵଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।
ତାଳଧ୍ଵଜ
‘ତାଳଧ୍ବଜ’ ବା ‘ଲଙ୍ଗଳ ଧ୍ଵଜ’ ରଥରେ ବଳଭଦ୍ରଙ୍କ ସହ ରାମକୃଷ୍ଣ ବିଜେ କରନ୍ତି।
ମୋଟ ୭୩୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ଅଟେ ।
ଏହି ରଥରେ ୧୪ ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୬ ଇଞ୍ଚ।
ଦଧିନଉତି: ହିରଣ୍ମୟୀ
ସାରଥି: ଦାରୁକ ।
ରଥର ଦଉଡ଼ି: ବାସୁକୀ |
ପରମ୍ପରା ମୁତାବକ କଳା ରଙ୍ଗର ଚାରୋଟି ଘୋଡ଼ା ଘୋଡ଼ା (ଶଙ୍ଖ, ସୁଚିତ୍ର, ଅଙ୍ଗଦ, ମେଘନାଦ) ସ୍ଥାପନ କରାଯାଏ ।
ଧ୍ବଜପମୂର୍ତ୍ତି: ଲକ୍ଷ୍ମୀନୃସିଂହ ।
ନାଲି ଓ ସବୁଜ ରଙ୍ଗର କପଡ଼ା ରେ ରଥାବରଣ କରାଯାଏ ।
ତାଳଧ୍ବଜ ରଥରେ ମହାଦେବ, ବାଇଶିଭୁଜ ନୃସିଂହ, ବଳରାମ, ନୃତ୍ୟ ଗଣପତି, ଲକ୍ଷ୍ମଣଙ୍କୁ ବହନ କରିଥିବା ଅଙ୍ଗଦ, ନାଟାମ୍ବର (ବୃଷଭ ଉପରେ ନୃତ୍ୟରତ ଶିବ), କାର୍ତ୍ତିକେଶ୍ଵର, ମଧୁକୈଟବଙ୍କ ସହ ବିଷ୍ଣୁଙ୍କ ଯୁଦ୍ଧ, ଅନନ୍ତବାସୁଦେବ ପାର୍ଶ୍ଵବଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।
ଦର୍ପଦଳନ
‘ଦର୍ପଦଳନ’ ବା ‘ପଦ୍ମଧ୍ଵଜ’ ବା ‘ଦେବଦଳନ’ ରଥରେ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ବିଜେ କରନ୍ତି ।
ମୋଟ ୭୧୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୪ଫୁଟ ୬ ଇଞ୍ଚ ଅଟେ ।
ଏହି ରଥରେ ୧୨ ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ।
ସାରଥି: ଅର୍ଜୁନ ।
ରଥର ଦଉଡ଼ି: ସ୍ଵର୍ଣ୍ଣଚୂଡ଼ ।
ଧ୍ବଜପମୂର୍ତ୍ତି: ଜୟଦୁର୍ଗା ।
ପରମ୍ପରା ମୁତାବକ ନାଲି ଚାରୋଟି ଘୋଡ଼ା (ରୋଚିକା, ମୋଚିକା, ଜିତା, ଅପରାଜିତା) ସ୍ଥାପନ କରାଯାଏ ।
ନାଲି ଓ କଳା ରଙ୍ଗର କପଡ଼ା ରେ ରଥାବରଣ କରାଯାଏ ।
ଦର୍ପଦଳନରେ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ(ଶବରୂଢ଼ା ଚତୁର୍ଭୁଜା), ବନଦୁର୍ଗା ବା କଣ୍ଟକାଢ଼ି, କାତ୍ୟାୟନୀ (ଅଷ୍ଟଭୁଜା ଦୁର୍ଗା), ହରଚଣ୍ଡୀ, ରାମଚଣ୍ଡୀ (ଅଷ୍ଟଭୁଜା ଓ ବାମହାତ କାଣି ଆଙ୍ଗୁଠିକୁ ପାଟିରେ ଚୁଚୁମିଛନ୍ତି), ଅଘୋରା ପାର୍ଶ୍ଵଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।
ଶ୍ରୀଜଗନ୍ନାଥଙ୍କ ରଥର ୧୬ ଚକ ଷୋଳକଳାର, ବଳଭଦ୍ରଙ୍କର ୧୪ ଚକ ଚତୁର୍ଦ୍ଦଶ ମନ୍ୱନ୍ତରର ଓ ସୁଭଦ୍ରାଙ୍କ ୧୨ ଚକ ବାରମାସର ଦୃଷ୍ଟି ଆକର୍ଷଣ କରିଥାଏ । ତିନି ରଥର ଦଧିନଉତି : ହିରଣ୍ୟଗର୍ଭ, ହିରଣ୍ମୟୀ, ଭୁବନକୋଷ। ଏହି ତିନି ଦଧିନଉତି ଉପରେ ମୋଟ ୯ଟି ପିତଳ କଳସ (ନଭ, ଆକାଶ, ବ୍ୟୋମ, ପରା, ଅପରା, ବୈଖାରୀ, ଚନ୍ଦ୍ର, ସୂର୍ଯ୍ୟ, ବିଦ୍ୟୁତ) ସ୍ଥାପନ କରାଯାଏ ।

ଶ୍ରୀଗୁଣ୍ଡିଚାଦିନ ସକାଳେ ଅନୁଷ୍ଠିତ ହୁଏ ରଥର ପ୍ରତିଷ୍ଠା ରୀତି ୤ ସକାଳେ ଶ୍ରୀମନ୍ଦିର ପରିସରର ଦକ୍ଷିଣ ପୂର୍ବ କୋଣରେ ଥିବା ଚାହାଁଣି ମଣ୍ଡପ ପାର୍ଶ୍ଵରେ ବ୍ରାହ୍ମଣମାନେ ହୋମ ଜଜ୍ଞାନୁଷ୍ଠାନ କରନ୍ତି ୤ ହୋମରେ ପୂଜା ପାଆନ୍ତି ବିଶ୍ଵକର୍ମାମାନଙ୍କ ଦ୍ଵାରା କାଠରେ ନିର୍ମିତ ଲକ୍ଷ୍ମୀନୃସିଂହ, ହନୁମାନ ଓ ଜୟଦୁର୍ଗା ୤ ହୋମ ଶେଷରେ ନନ୍ଦିଘୋଷରେ ହନୁମାନ, ତାଳଧ୍ଵଜରେ ଲକ୍ଷ୍ମୀନୃସିଂହ ଓ ଦର୍ପଦଳନରେ ଜୟଦୁର୍ଗା ପିତୁଳା ତ୍ରୟଙ୍କୁ ମହାରଣା ମାନେ ଦଧିନଉତି ଶୀର୍ଷରେ ସ୍ଥାପନ କରନ୍ତି ୤ ହୋମର ମନ୍ତ୍ରପୂତ ଜଳ ରଥ ଚାରିପଟେ ସିଞ୍ଚନ କରାଯାଏ ୤

ଜଗନ୍ନାଥଙ୍କ ପହଣ୍ଡି
ଶ୍ରୀମନ୍ଦିର ଅଭ୍ୟନ୍ତର ରତ୍ନବେଦୀରୁ ରଥ ଉପର ପର୍ଯ୍ୟନ୍ତ ଶ୍ରୀଜୀଉମାନଙ୍କ ବିଶାଳ ବିଗ୍ରହ ଗୁଡ଼ିକୁ ଟେକି ଟେକି ନେବା ସମ୍ଭବ ନୁହେଁ ୤ ତେଣୁ ଦଇତାପତି ସେବକମାନେ ଦଳବଦ୍ଧ ଭାବରେ ନିଜ ଭିତରେ ସମନ୍ଵୟ ରଖି ଏହି ବିଗ୍ରହ ଗୁଡ଼ିକୁ ନଚେଇ ନଚେଇ, ଝୁଲେଇ ଝୁଲେଇ ଏକପ୍ରକାର ଘୋଷାଡ଼ି ଘୋଷାଡ଼ି ନେଇଥାନ୍ତି ୤ ଏହାକୁ ମନ୍ଦିର ଭାଷାରେ ପହଣ୍ଡି ବିଜେ କୁହାଯାଏ ୤ ପହଣ୍ଡି ଦୁଇପ୍ରକାର ଯଥା:
ଗୋଟି ପହଣ୍ଡି
ପ୍ରଥମେ ସୁଦର୍ଶନ, ପରେ ଶ୍ରୀବଳଭଦ୍ର, ତତ୍ପରେ ଦେବୀ ସୁଭଦ୍ରା ଓ ସର୍ବ ଶେଷରେ ଶ୍ରୀଜଗନ୍ନାଥଙ୍କୁ ପୃଥକ ପୃଥକ କରି ପହଣ୍ଡି ବିଜେ କରାଇ ରଥ ଉପରକୁ ନେବା
ଧାଡ଼ି ପହଣ୍ଡି
ସମୟରେ ସ୍ଵଳ୍ପତା ଦୃଷ୍ଟିରେ ଆଗପଛ କରି ପ୍ରଥମେ ସୁଦର୍ଶନ, ପରେ ଶ୍ରୀବଳଭଦ୍ର ତତ୍ପରେ ଦେବୀ ସୁଭଦ୍ରା ଓ ସର୍ବଶେଷରେ ଶ୍ରୀଜଗନ୍ନାଥଙ୍କୁ ଦେଉଳମଧ୍ୟରୁ ନେଇ ସେମାନଙ୍କୁ ଏକା ଧାଡ଼ିରେ ଚଳାଇ ରଥ ଉପରକୁ ନେବା ୤
ଶ୍ରୀଜୀଉମାନଙ୍କ ଯାତ୍ରା ଆରମ୍ଭରେ ସବୁବେଳେ ଧାଡ଼ି ପହଣ୍ଡିରେ ହେଉଥିବା ବେଳେ ଯାତ୍ରା ଶେଷ କରି ଫେରିବା ବେଳେ ଗୋଟି ପହଣ୍ଡି କରାଯାଇଥାଏ ।
ବର୍ଷକରେ ଶ୍ରୀଜୀଉମାନେ ଛଅଥର ପହଣ୍ଡି ହୁଅନ୍ତି ୤
ସ୍ନାନଯାତ୍ରା ପାଇଁ ସ୍ନାନବେଦୀକୁ ପହଣ୍ଡିରେ ବିଜେ କରନ୍ତି । (ଧାଡ଼ି ପହଣ୍ଡି)
ସ୍ନାନବେଦୀରୁ ଅଣସରକୁ ପହଣ୍ଡି ହୋଇ ଯାଆନ୍ତି ୤ (ଗୋଟି ପହଣ୍ଡି)
ଶ୍ରୀଗୁଣ୍ଡିଚା ଦିନ ଗର୍ଭଗୃହରୁ ପିଣ୍ଡିରୁ ପହଣ୍ଡି ହୋଇ ରଥକୁ ବିଜେ କରନ୍ତି୤ । (ଧାଡ଼ି ପହଣ୍ଡି)
ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ରଥରୁ ପହଣ୍ଡି ହୋଇ ଆଡ଼ପମଣ୍ଡପକୁ ବିଜେ କରନ୍ତି ୤ (ଗୋଟି ପହଣ୍ଡି)
ବାହୁଡ଼ାଦିନ ଯଜ୍ଞବେଦୀରୁ ପହଣ୍ଡି ହୋଇ ରଥାରୂଢ଼ ହୁଅନ୍ତି୤ (ଧାଡ଼ି ପହଣ୍ଡି)
ନୀଳାଦ୍ରିବିଜେ ଦିନ ରଥରୁ ଓହ୍ଲାଇ ରତ୍ନସିଂହାସନକୁ ପହଣ୍ଡି ବିଜେ କରନ୍ତି୤ (ଗୋଟି ପହଣ୍ଡି)
ଶ୍ରୀମନ୍ଦିର ପରମ୍ପରା ମୁତାବକ ପହଣ୍ଡି ଆରମ୍ଭ ପୂର୍ବରୁ ମଙ୍ଗଳାର୍ପଣ କରାଯାଏ ୤ ବଡ଼ଠାକୁରଙ୍କ ମଙ୍ଗଳାର୍ପଣ ମୁଦିରସ୍ତ କରୁଥିବା ବେଳେ ଦେବୀ ସୁଭଦ୍ରାଙ୍କ ମଙ୍ଗଳାର୍ପଣ ପତି ମହାପାତ୍ର ଓ ଶ୍ରୀଜଗନ୍ନାଥଙ୍କ ମଙ୍ଗଳାର୍ପଣ ପୂଜାପଣ୍ଡାମାନେ କରିଥାଆନ୍ତି ୤ ମୁଦିରସ୍ତ ତିନିବାଡ଼ରେ ଡୋରଲାଗି, ପୁଷ୍ପାଞ୍ଜଳି ଓ ତୂଳି ଲାଗି କରିବା ପରେ ପୁଷ୍ପାଞ୍ଜଳି କରାଯାଏ ୤ ଦଇତାପତିମାନେ ନିଜତ ଅଣ୍ଟା ପିଠି ଆଦିକୁ ୩୨ହାତ ଲମ୍ବ ବସ୍ତ୍ରରେ ଗୁଡ଼ାଇ ଠାକୁରମାନଙ୍କ ରୁନ୍ଧା (ବାନ୍ଧିବା) ଫିଟାନ୍ତି ୤ ରୁନ୍ଧା ଫିଟିବାପରେ ବିଜେ କାହାଳୀ ବାଜିଉଠେ ୤ ବିଜେ କାହାଳୀ ବାଜିବାପରେ ପହଣ୍ଡିପାଇଁ ଆଜ୍ଞାମାଳ ମିଳିଥାଏ ଓ ଘଣ୍ଟୁଆ, କାହାଳୀଆ, ବଜନ୍ତରୀ, ଓଲାର, ଛତାର ପ୍ରମୁଖ ସେବକମାନେ ପ୍ରସ୍ତୁତ ହୋଇଯାଆନ୍ତି୤ ବାଜିଉଠେ ଘଣ୍ଟ, ଘଣ୍ଟା, ମର୍ଦ୍ଦଳ, ପଖଜ, କାହାଳୀ ଓ ଆରମ୍ଭ ହୁଏ ପହଣ୍ଡି ବିଜେ ୤ ପହଣ୍ଡି ଆରମ୍ଭ ହେବା ପୂର୍ବରୁ ଛାମୁ ଖୁଣ୍ଟିଆ ସେବକ ‘ମଣିମା ଶ୍ରୀଅଙ୍ଗକୁ ସାବଧାନ’ ବୋଲି ଡାକି ଆଗେ ଚାଲନ୍ତି ୤ ପରମ୍ପରା ଅନୁସାରେ ପ୍ରଥମେ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ହୋଇଥାଏ ୤ ରତ୍ନବେଦୀରୁ ଓହ୍ଲାଇ ସୁଦର୍ଶନ ସାତପାହାଚ ନିକଟରେ ପହଞ୍ଚିବା ପରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କର ରୁନ୍ଧା ଖୋଲାଯାଏ ୤ ବଡ଼ଠାକୁର ଭିତରକାଠ ଅତିକ୍ରମ କରିବା ବେଳକୁ ଦେବୀ ସୁଭଦ୍ରାଙ୍କ ରୁନ୍ଧା ଫିଟାଯାଏ ୤ ବଡ଼ଠାକୁର ସାତପାହାଚ ନିକଟରେ ପହଞ୍ଚିବା ବେଳକୁ ଶ୍ରୀଜଗନ୍ନାଥଙ୍କ ରୁନ୍ଧା ଫିଟାଯାଏ ୤ ଠାକୁରମାନେ ସାତପାହାଚ ନିକଟରେ ପହଞ୍ଚିବା ପରେ ସେଠାରେ ଟାହିଆ ଲାଗି ହୋଇଥାଏ ୤ ପହଣ୍ଡିବେଳେ ପ୍ରଭୁ ସୁଦର୍ଶନ ଓ ଦେବୀ ସୁଭଦ୍ରା କାନ୍ଧରେ ବିଜେ କରୁଥିବା ବେଳେ ବଡ଼ଠାକୁର ବଳଭଦ୍ର ଓ ଶ୍ରୀଜଗନ୍ନାଥ ପହୁଣ୍ଡ ପହୁଣ୍ଡ ଅର୍ଥାତ ଝୁଲି ଝୁଲି ନିଜେ ଚାଲି ଚାଲି ଆସିବା ଭଳି ବିଜେ କରନ୍ତି ୤ ଆଗରେ ଦଇତାପତି, ପୂଜାପଣ୍ଡାମାନେ ଠାକୁରଙ୍କ ପାଟଡୋରକୁ ଧରି ଭିଡ଼ନ୍ତି ଆଉ ପଛପଟେ ସୁଆର, ମହାସୁଆର ମାନେ ପଛ ପାଟଡୋରକୁ ଧରିଥାନ୍ତି ୤ ପ୍ରତିହାରୀମାନେ ପହଣ୍ଡି ସମୟରେ ଶ୍ରୀଅଙ୍ଗର ସୁରକ୍ଷା କରିଥାଆନ୍ତି ୤ ପହଣ୍ଡିବେଳେ କିଏ କେଉଁ ସେବା କରିବ ତାହା ସ୍ଵତନ୍ତ୍ର ଭାବେ ଉଲ୍ଲେଖ ରହିଛି ୤ ସେହି ଅନୁସାରେ ସେବକମାନେ ଶ୍ରୀଜୀଉମାନଙ୍କୁ ପହଣ୍ଡି କରି ଆଣନ୍ତି ୤
ଶ୍ରୀଜୀଉମାନଙ୍କ ପହଣ୍ଡି ସମୟରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ଭୂଇଁକୁ ସ୍ପର୍ଶକରି ଯାଉଥିବାବେଳେ ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ଦଇତାପତି ମାନେ ଟେକି ଟେକି ନେଇଥାନ୍ତି୤ ଶ୍ରୀଜୀଉମାନଙ୍କୁ ପାଟ ଅଗଣା, ଆନନ୍ଦ ବଜାର, ଭିତର ସିଂହଦ୍ଵାର, ବାଇଶିପାହାଚ, ସିଂହଦ୍ଵାର, ଗୁମୁଟି, ଅରୁଣସ୍ତମ୍ଭ ଦେଇ ରଥ ପର୍ଯ୍ୟନ୍ତ ନିଆଯାଇଥାଏ ।

Share in top social networks!