ବାପ ରାଣ ଢିଙ୍କି ଗିଳ

ଏଥରକ ତ ଆପଣଙ୍କ ପୁଅ କି ଝିଅ କିମ୍ବା ଦୂର ସମ୍ପର୍କୀୟ ନିଶ୍ଚୟ ୧୦ମ କି ଯୁକ୍ତ ଦୁଇ ପରୀକ୍ଷା ଦେଇଥିବେ। ଆମେ ଜାଣୁ, ପରୀକ୍ଷା ଫଳ ବାହାରିବା ପରେ ତାକୁ ରେସିଡେନ୍ସିଆଲ ବିଜ୍ଞାନ କଲେଜରେ ନାଁ ଲେଖାଇବାକୁ ନିଶ୍ଚୟ କହିଥିବେ ଆପଣ। ନହେଲେ ଇଞ୍ଜିନିୟରିଂ କି ମେଡିକାଲ କୋଚିଂ ପଠାଇବାକୁ ସେମାନଙ୍କ ମା’ ବାପାଙ୍କୁ ପରାମର୍ଶ ଦେଇଥିବେ। ପରମର୍ଶଦାତା ହିସାବରେ ଦି’ ଚାରିଟା ବାହାବାହା ପଦ ଅଣ୍ଟିରେ ତୋଳି ଫେରିଥିବେ ବି ନିଶ୍ଚୟ। ସେପଟେ ପରାମର୍ଶ ଗ୍ରହଣ କରିଥିବା ମା’ ବାପା ନିଜକୁ ଏକ ଭାବି ଡାକ୍ତର କି ଇଞ୍ଜିନିୟରର ମା’ ବାପା ଭାବି ଖୁସିରେ ଉଛୁଳି ପଡୁଥିବେ। ଖୁସିରେ ଗଦଗଦ ହୋଇଥିବା ବେଳେ ଉଭୟେ ଭୁଲିଯିବେ ଯେ, ତାଙ୍କ ସୁପୁତ୍ର କି ସୁପୁତ୍ରୀ ଅଙ୍କ କି ବିଜ୍ଞାନରେ ନୁହେଁ ବରଂ ଇତିହାସ, ଭୂଗୋଳ କି ସାହିତ୍ୟରେ ଭଲ ନମ୍ବର ରଖିଥିବାରୁ ପରୀକ୍ଷାରେ ୮୦ କିମ୍ବା ୮୨ ପ୍ରତିଶତ ନମ୍ବର ପାଇବାକୁ ସକ୍ଷମ ହୋଇଛନ୍ତି।

ଖୁବ ଚିନ୍ତାକଲା ପରେ ବି ବୁଝି ହୁଏନା ଝିଅପୁଅଙ୍କୁ କଥା ପ୍ରସଙ୍ଗରେ “ଘାସ କାଟ କି ଘୋଢା ଚଢ”, ଯେଉଁଟି ଭଲ କରିପାରିବ ତାହା କର ବୋଲି ବୁଝାଉଥିବା ମା ବାପା ହଟାତ କେମିତି ବଦଳି ଯାଆନ୍ତି। ଏହାର କାରଣଟା ଉଚଅଭିଳାଷ ନୁହେଁ ତ! କୌଣସି ମା’ ବାପା ଯଦି ତାଙ୍କ ପିଲା ପାଇଁ ସ୍ଵପ୍ନ ଦେଖନ୍ତି, ଏଥିରେ ଭୁଲ କେଉଁଠି ରହିଲା? ଭୁଲ ଟି ସେଇଠି, ଯେଉଁଠି ମା’ ବାପା ସ୍ଵପ୍ନ ଦେଖୁ ଦେଖୁ ଛୁଆର ସ୍ଵପ୍ନ ସାଣ୍ଡୁଇଚରେ ପରିଣତ ହୁଏ।

ଏକଥା ସତ ଯେ ପିଲାମାନେ ବେଳେବେଳେ ଜାଣିପାରନ୍ତି ନାହିଁ ତାଙ୍କ ପାଇଁ କୋଉଟା ଠିକ ଓ କୋଉଟା ଭୁଲ। କିନ୍ତୁ ତା’ ମାନେ ନୁହେଁ ସେମାନଙ୍କ ଅଜଣାପଣକୁ ସବୁବେଳେ ଛୁଆଳିଆମି ଭାବିବା ଏବଂ ପିଲାଟିକୁ ଯାହା କଷ୍ଟ ହେଉଥିବ, ପିଲା ଯେଉଁଥିରେ ଆନନ୍ଦ ପାଉ ନ ଥିବ ସେଭଳିଆ ପାଠ୍ୟକ୍ରମରେ ଜୋରଜବରଦସ୍ତ ଭର୍ତ୍ତି କରିବା। ଅବଶ୍ୟ ମୋଟା ଅଙ୍କର ଦରମା ଓ ସମାଜରେ ପ୍ରତିଷ୍ଠା ଦେଇପାରୁଥିବା ପାଠ ନିଜ ପୁଅଝିଅ ପଡ଼ନ୍ତୁ-ଏ କଥା ସବୁ ମା’ ବାପା ଚାହାଁନ୍ତି। ପିଲା ଯଦି ସେଭଳି ପାଠ୍ୟକ୍ରମରେ ଦୁର୍ବଳ ତାହାହେଲେ ବି ଚିନ୍ତା ନାହିଁ। ସେଥିପାଇଁ ତ ଗଣ୍ଡାଗଣ୍ଡା କୋଚିଂ ସେଣ୍ଟର ଖୋଲିଲାଣି। ଏଥିରେ ଦି’ ଟା ଫାଇଦା। ଗୋଟେ ହେଲା ଚାହୁଁଥିବା ପାଠ୍ୟକ୍ରମରେ ପିଲା ଶିକ୍ଷା ପାଇବ ଓ ପଣ୍ଡିତ ହେବ। ଦ୍ୱିତୀୟଟି ହେଲା ବଡ଼ କୋଚିଂ ସେଣ୍ଟରରେ ପିଲାକୁ ପାଠ ପଢାଉଥିବାରୁ ମା’ ବାପାଙ୍କ ସାମାଜିକ ପ୍ରତିଷ୍ଠା ମଧ୍ୟ ବଢିବ। କିନ୍ତୁ ଏସବୁ ଯେ ମିଛ ଓ ଲୋକଦେଖାଣିଆ ସେକଥା ସେତେବେଳେ ଯାଇ ମା’ ବାପା ହେଜିବେ ଯେତେବେଳେ ସମ୍ପୃକ୍ତ ପାଠ୍ୟକ୍ରମ ପାଇଁ ବିପୁଳ ଅର୍ଥ ବିନିମୟରେ କୋଚିଂ ନେଲାପରେ ମଧ୍ୟ ପିଲାଟି ପ୍ରବେଶିକା ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ହତାଶ ହୋଇପଡ଼ିବ। କେବଳ ସେତିକି ନୁହେଁ ଏହି ହତାଶା ଜୀବନ ପ୍ରତି ବୀତସ୍ପୃହ କରିବ କୋମଳ କିଶୋରକୁ ଓ ସେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନବ। ସେତେବେଳେ ନେଡ଼ିଗୁଡ଼ କହୁଣିକୁ ବୋହିସାରିଥିବ।

ଏହା କୌଣସି କାଳ୍ପନିକ କଥା ନୁହେଁ। ଏବେ ପରୀକ୍ଷା ଫଳ ପ୍ରକାଶ ପାଇବା ଋତୁରେ ଖବରକାଗଜରେ ଆପଣ ପ୍ରତିଦିନ ଛାତ୍ରୀ ବା ଛାତ୍ରର ଆତ୍ମହତ୍ୟା ଖବର ପଢି କିଛି ସମୟ ପାଇଁ ଭାବପ୍ରବଣ ହୋଇଉଠୁଥିବେ ନିଶ୍ଚୟ। କିନ୍ତୁ ଆଶ୍ଚର୍ଯ୍ୟର କଥା ଆତ୍ମହତ୍ୟାର କାରଣ ବିଷୟରେ ସମସ୍ତେ ଜାଣୁଥିଲେ ମଧ୍ୟ ନିଜ ଝିଅପୁ କଥା ଆସିଲା ବେଳେ ସେମାନେ ଅତ୍ୟନ୍ତ ଆଶାବାଦୀ ହୋଇପଡ଼ନ୍ତି। ତାଙ୍କ ପୁଅଝିଅ ଏଭଳି ହେବେ ନାହିଁ ବୋଲି ଗୋଟେ ପ୍ରକାର ଦୃଢ ପ୍ରତ୍ୟୟ ତାଙ୍କ ଭିତରେ ସୃଷ୍ଟି ହୁଏ।

ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ନିଶ୍ଚୟ ହିନ୍ଦୀ ସିନେମା “ଥ୍ରୀ ଇଡିୟଟ” ଦେଖିଥିବେ। ସେଥିରେ ଛାତ୍ରର ରୁଚି ଅନୁସାରେ ପାଠ ନପଢିଲେ କିଭଳି ଅସୁବିଧାର ସମୁଖୀନ ହେବାକୁ ପଡ଼େ ତାର ଏକ ନିଛକ ଚିତ୍ର ଦିଆଯାଇଛି। କେବଳ ସେତିକି ନୁହେଁ ସମଗ୍ର ଦେଶରେ ଅମୀର ଖାନଙ୍କ ଶିଶୁ ମନସ୍ତତ୍ତ୍ଵ ଉପରେ ଆଧାରିତ ଚଳଚିତ୍ର  “ତାରେ ଜମିନ ପର” ମଧ୍ୟ ରୁଚି ଅନୁସାରେ ପାଠପଢା ସମ୍ପର୍କରେ ଅଭିଭାବକ ମାନଙ୍କୁ ସଚେତନ କରିବାକୁ ଏକ ପ୍ରୟାସ। ବିଭିନ୍ନ ସଂଗଠନ, ଗୋଷ୍ଠୀ ପକ୍ଷରୁ ମଧ୍ୟ ଏ ସମ୍ପର୍କରେ ସଚେତନତା ପାଇଁ କାର୍ମଶାଳା ଆଦି ଆୟୋଜନ କରାଯାଉଛି। କିନ୍ତୁ ଦେଖାଯାଉଛି ଖାଉଟି ପ୍ରାଧାନ୍ୟ ସମାଜ ଉପରେ ତା’ ର କ୍ଵଚିତ ପ୍ରଭାବ ପଡୁଛି।

ଆଜିକାଲି ଅଧିକାଂଶ ଯୁକ୍ତ ଦୁଇ ପିଲାଙ୍କୁ ପଚାରିଲେ କହିବେ ଆମେ ଇଞ୍ଜିନିୟରିଂ କି ମେଡିକାଲ କୋଚିଂ ନେଉଛୁ। ଯୁକ୍ତ ତିନି ପିଲାଙ୍କୁ ପଚାରିଲେ କହିବେ, ଆମେ ପରା ବ୍ୟଙ୍କ ପିଓ କୋଚିଂ ନେଉଛୁ। ପିଲାଙ୍କ କଥା ତ ନିଆରା। ବଡ଼ ବଡ଼ ପିଲା ତେଣୁ  ବଡ଼ ବଡ଼ ଇଚ୍ଛା। ସେମାନେ ଆଇଏଏସ କି ଓଏଏସ ତଳକୁ ଭାବନ୍ତି ନାହିଁ। କିନ୍ତୁ ଏ କେବଳ ହାତୀର ଦେଖାଇବା ଦାନ୍ତ। କହିବାର ଅର୍ଥ ହେଲା ରୋବୋର୍ଟ ମଧ୍ୟରେ ଯାହା ପ୍ରୋଗ୍ରାମ ହୋଇଥାଏ ତାହା ହିଁ ସେ କରେ। ଠିକ ସେହିଭଳି ଏ ଛାତ୍ରୀଛାତ୍ରମାନଙ୍କ ଭିତରେ ଜୀବନର ଲକ୍ଷ୍ୟ ସମ୍ପର୍କରେ ମା’ ବାପା କରିଥିବା ପ୍ରୋଗ୍ରାମିଂ ଅନୁସାରେ ହିଁ ସେମାନେ ଏହିସବୁ ଉତ୍ତର ଦେଇଥାନ୍ତି। ଆମେ କେହି କେବେ ଉଦ୍ୟମ କରିନାହାନ୍ତି ଛାତ୍ରଟିର ଅନ୍ତରାତ୍ମା କଣ କହୁଛି ବା ହାତୀର ବାହାରକୁ ଦିଶୁନଥିବା ଦାନ୍ତଟିର ରଙ୍ଗ କ’ଣ ତାହା ଜାଣିବା ପାଇଁ। ତେଣୁ ଏହାର ପରିଣତି ମଧ୍ୟ ଠିକ ସେଇଆ। କେବେ କେମିତି ପିଲା ମା’ ବାପାଙ୍କ ଦ୍ଵାରା ଆରୋପିତ ଲକ୍ଷ୍ୟ ହାସଲ କରିବାରେ ସଫଳ ହୁଅନ୍ତି। କିନ୍ତୁ ବହୁ କ୍ଷେତ୍ରରେ ବିଫଳତା ଆଉ ହତାଶା ହିଁ ପରିଣାମ ହୋଇଥାଏ।

ଏ ତ ଗଲା ବଡ଼ ପିଲାଙ୍କ କଥା। କୁନିକୁନି ପିଲାମାନେ ବି ବାପମାଙ୍କ ପ୍ରାୟୋଜିତ ପ୍ରତିଯୋଗିତା କ୍ଷେତ୍ରରେ ପଛରେ ନାହାନ୍ତି। ରହିବେ ବା କେମିତି ? ଯଦି ଛୋଟ ବେଳୁ ଶ୍ରେଣୀରେ ପ୍ରଥମ ହେବା ଭଳି କନସେପ୍ଟଗୁଡିକ ତାଙ୍କ ମୁଣ୍ଡରେ ଭର୍ତ୍ତି କରାଯାଇ ନ ପାରିଲା, ତା ହେଲେ ତ ମା’ ବାପାପଣିଆକୁ ଧିକ। ସେଥିପାଇଁ ତ ଆଜିକାଲି ପିଲାଙ୍କ ପାଇଁ ଶବ୍ଦକୋଷରୁ ଖରାଦିନ ଛୁଟି ଉଠିଗଲାଣି। ଦିନଥିଲା ଖରା ଛୁଟିକୁ ପିଲାମାନେ ଅପେକ୍ଷା କରି ରହୁଥିଲେ। ଖରା ଛୁଟି ହେଲେ ଗାଁକୁ ଯିବେ। ଆମ୍ବ ତୋଟା, ନଇ ପଠା, ପୋଖରୀରେ ମାଛ ଧରା କେତେକ’ ଣ ଆକର୍ଷଣ। ଏଇ ସମୟତକ ଯେମିତି ପ୍ରକୃତି ସ୍କୁଲରେ ଜିଇବାର କୌଶଳ, ବଞ୍ଚିବାର ଆନନ୍ଦ ପାଇଁ ଶିକ୍ଷା ମିଳୁଥିଲା ଅଲକ୍ଷରେ। କିନ୍ତୁ ଏବେ ? ନା ଜମା ଗାଁକୁ ଯିବାକୁ ହେବନି। ଖରାଛୁଟିରେ ଗାଁକୁ ଚାଲିଗଲେ ପରବର୍ତ୍ତୀ ଶ୍ରେଣୀର କୋର୍ସ ସରିବନି। ପିଲା କ୍ଳାସରେ ପଛରେ ପଡ଼ିଯିବ। ଗାଁକୁ ଯିବା କଣ ଦରକାର ଯେ, ଏବେ ତ ଯେତେ ନାଇଁ ସେତେ ସମର କ୍ୟାମ୍ପ। ସମର କ୍ୟାମ୍ପରେ ଗାଁ ପୋଖରୀ ସିନା ନାହିଁ, କିନ୍ତୁ ନୀଳ ପାଣି ଭର୍ତ୍ତି ବଡ଼ କୁଣ୍ଡ ଅଛି। ଗାଁରେ ବୁଲି କୁମ୍ଭାରଶାଳ ଦେଖିବାର ସୁଯୋଗ ସିନା ନାହିଁ, ହେଲେ ଏହି ସମର କ୍ୟାମ୍ପ ପିଲାମାନଙ୍କୁ କୁନିକୁନି ହାତରେ ମାଟିରେ ବିଭିନ୍ନ ପ୍ରକାର ଜିନିଷ ତିଆରି କରିବାର ଅନୁଭୂତି ଆଣି ଦେଉଛି। କଥାଟି ଏମିତି ଯେ, ଯେମିତି “ବାଘ ନଦେଖିଲେ ବିଲେଇ ଦେଖ ଭଳି” ହୋଇଛି। ମାମୁଁ ଘର ଗାଁରେ ଖରା ଛୁଟି ଆଉ ସହରର ସମର କ୍ୟାମ୍ପରେ ଖରା ଛୁଟି ବିତାଇବା ଠିକ ବାଘ ଓ ବିଲେଇ ଭିତରେ ଥିବା ଫରକ ପରି। ତା ଛ’ ଡ଼ା ବାପା ମା’ କେବେ ବି କିଏ ଜାଣିବାକୁ ଚାହିଁଛନ୍ତି କି ଗାଁରେ ଖରାଛୁଟି କଟାଇଲେ କେତେ ସାମାଜିକ ଜ୍ଞାନ, କେତେ ଚାଲିଚଳନି, କେତେ ବ୍ୟବହାରିକ ଜ୍ଞାନ, କେତେ ସୃଜନଶୀଳତା ଆପେ ଆପେ ଶିକ୍ଷା ମିଳିଥାଏ ?

ସେ କଥା ବି ଛାଡ଼ନ୍ତୁ, ମା’ ବାପା କେବେ ପିଲାଠୁ ଜାଣିବାକୁ ଚାହିଁଛନ୍ତି କି-ସମର କ୍ୟାମ୍ପରୁ ଅଧିକ ଖୁସି ମିଳୁଛି ନା ମାମୁଁ ଘର ଗାଁ ବୁଲିବାରେ ସେ ଆନନ୍ଦ ପାଉଛି ? ସମାଜ ବିଜ୍ଞାନୀଙ୍କ ମତରେ ପିଲା ଖୋଜେ ଗୋଟେ ଆକଟଶୂନ୍ୟ, ଧରାବଦ୍ଧ ନିୟମ ବହିର୍ଭୂତ ବାତାବରଣ। ଯାହା ସିଏ ମାମୁଁ ଘର ଗାଁ କି ଜେଜେ ବାପାଙ୍କ ଗାଁରୁ ପାଇଥାଏ। ତେଣୁ ସେ ଆନ୍ତରିକ ଭାବେ ସେଠିକୁ ଯିବାକୁ ଚାହେଁ। କିନ୍ତୁ ମାବାପାଙ୍କ ମିଛ ଆଭିଜାତ୍ୟ, ସହରୀପଣ ପ୍ରସ୍ତୁତ-ବାପା ରାଣ ଢିଙ୍କି ଗିଳ ଏଠି ମଧ୍ୟ ଶୈଶବକୁ ଆକ୍ରାନ୍ତ କରେ। ବହିଭର୍ତ୍ତି ବସ୍ତାନୀ ଆଉ ଅଭିଭାବକ ଓ ମିସମାନଙ୍କ ତାଗିଦରେ ତା’ ର କୋମଳ ମନ ରୁକ୍ଷ ହୋଇଉଠେ। ଗାଁରେ ଜେଜେ ବାପା, ଜେଜେ ମା’ , ଆଈ, ଅଜା, ମାମୁଁ, ମାଇଁଙ୍କ ସ୍ନେହ ବୋଳା ହାତର ସ୍ପର୍ଶରୁ ପ୍ରସ୍ତୁତ କୋମଳ ଅବବୋଧରହିତ ହୋଇଯାଏ ତା’ ର ଜୀବନ ସମଗ୍ର।

ସେ ପ୍ରତିଯୋଗିତା ପାଇଁ ହେଉ ବା ଆଗକୁ ବଢିବାର ନିଶା। ଆମେ ସମସ୍ତେ ଯେମିତି ଭୁଲିଯାଇଛେ ସବୁକିଛି। କେବଳ ମନେ ରଖିଚେ ଆମେ ଯାହା ନକରିଛୁ ଆମରି ପିଲାଏ ଆମ ପାଇଁ ତାହା କରିବେ। ଆଉ ୟା ଭିତରେ ଆମେ ଛୋଟ ବେଳୁ ଆରମ୍ଭ କରି ବଡ଼ ହେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ, ସବୁ ସ୍ତରରେ ଆମରି ଇଚ୍ଛା ତାଙ୍କରି ଉପରେ ଲଦି ଦେଇଛେ। ନିଜେ କିଛି ଚାହିଁବା ଓ କରିବାର ଆଶା ଓ ବିଶ୍ୱାସ ଛଡାଇ ନେଇଛେ। ଆମର ସେମାନଙ୍କୁ ଅଗଧାଡ଼ିରେ ଦେଖିବାର ନିଶା ଅଜାଣତରେ ଆମଠୁ ସେମାନଙ୍କୁ ଦୂରେଇ ନେଇଛି। ସେମାନେ ଅଧିକ ଆତ୍ମବିଶ୍ଵାସୀ ହେବା ଜାଗାରେ ହୋଇଛନ୍ତି ଅଧିକ ଦୁର୍ବଳ।

Share in top social networks!