ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ, ପାସ ହାର ଶତକଡ଼ା 67.9

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ବାଲେଶ୍ଵର ଜିଲ୍ଲା ଔପଦା ହାଇସ୍କୁଲର ଛାତ୍ର ଦିବ୍ୟାନଶୁ କର ସର୍ବମୋଟ ୬୦୦ ନମ୍ବର ମଧ୍ୟରୁ ୫୮୮ ରଖି ଟପ୍ପର ହୋଇଛନ୍ତି। ସେହିପରି ବୌଦ୍ଧ ସରସ୍ଵତୀ ଶିଶୁମନ୍ଦିରର ଅଙ୍କିତ ମହାପାତ୍ର ୫୮୩ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କଟକ ରେଭେନ୍ସା କଲିଜିଏଟ ସ୍କୁଲର ସ୍ଥିତପ୍ରଜ୍ଞା ନାଥଶର୍ମା ୫୮୨ ନମ୍ବର ରଖି ଟପ୍ପର ହୋଇଛନ୍ତି। ଟପ ୧୦୦ ତାଲିକାରେ ୧୧୦ ଜଣ ସ୍ଥାନ ପାଇଛନ୍ତି। ପ୍ରଥମ ୧୦ଟି ସ୍ଥାନରେ ଥିବା ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦୁଝର ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ନିର୍ଲିପ୍ତା ମହନ୍ତ-୪, ସୋର ଏସ॰ଏନ॰ ହାଇସ୍କୁଲର ଗୋପବନ୍ଧୁ ହୋତା-୫, ନୀଳକଣ୍ଠ ନଗର ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ସ୍ନିଗ୍ଧା ସ୍ୱରୂପା ଦଳାଇ, ନୀଳକଣ୍ଠ ନଗର ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ସୌରଭ ଶାବତ, କଲେଜ ସ୍କୋୟାର ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ଦେବୀ ପ୍ରସାଦ ପୃଷ୍ଟି-୬, ନୀଳକଣ୍ଠ ନଗର ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ଶିବାନନ୍ଦ ପାଣିଗ୍ରାହୀ, ବାଳକାଟି ପି॰ଏସ॰ ଗାର୍ଲସ ହାଇସ୍କୁଲର ସସ୍ମିତା ସାହୁ-୭, କଲେଜ ସ୍କୋୟାର ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ଶୁଭମ ଶାଶ୍ଵତ ରାଉତ-୮ ଓ ବଅରପାଳ ପି॰ବି॰କେ॰ ହାଇସ୍କୁଲର ଉପଶନା ମଲ୍ଲିକ। ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି (୨୮ ତାରିଖ) ସକାଳ ୯ଟାରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ପରୀକ୍ଷା ଫଳ ପ୍ରକାଶର ୧୮ ଘଣ୍ଟା ପୂର୍ବରୁ ପରୀକ୍ଷା ଫଳ ଲିକ ହୋଇଥିଲା। ବିଶେଷକରି ଟପ ହଣ୍ଡରେଡ ତାଲିକା ଲିକ ହୋଇଥିବା ଜଣାପଡ଼ିଥିଲା। ଏହି ଘଟଣାକୁ ବୋର୍ଡ କର୍ତୃପକ୍ଷ ସ୍ଵୀକାର ମଧ୍ୟ କରିଛନ୍ତି। ପ୍ରଥମେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଚୋରି, ଖାତା ମୂଲ୍ୟାୟନରେ ଅବ୍ୟବସ୍ଥା ପରେ ଫଳ ପ୍ରକାଶ ପାଇବା ପୂର୍ବରୁ ଲିକ ହେବା ଘଟଣା ମାଧ୍ୟମିକ ଶିକ୍ଷା ପରିଷଦକୁ ବିବାଦ ଘେରକୁ ଟାଣିନେଇଛି। ତେବେ ପ୍ରଥମ ଥର ପାଇଁ ଏଥରକ ପୁସ୍ତିକା ମିଳିନଥିଲା, ଇଣ୍ଟରନେଟ ଓ ଏସଏମଏସରେ ପରୀକ୍ଷା ଫଳ ମିଳିଥିଲା। ପରୀକ୍ଷାର୍ଥୀମାନେ , s9.com/bseorissa.in,  www.bseorissa.in,  www.orissaresults.nic.in, www.indiaresults.com, www.exametc.com, www.schools9 ୱେବ ସାଇଟ ଜରିଆରେ ପରୀକ୍ଷା ଫଳ ଜାଣିପାରିଥିଲେ। ସେହିପରି OHSB<> rollno ଲେଖି 57333 କୁ OR10<> rollno ଲେଖି 5676799 କୁ, OR10<> rollno ଲେଖି 5888 କୁ ଏସଏମଏସ କରି ମଧ୍ୟ ପରୀକ୍ଷାର୍ଥୀମାନେ ଫଳାଫଳ ଜାଣିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା।

 

 

Share in top social networks!