ଲସ୍କର ଟାର୍ଗେଟରେ ଓଡ଼ିଶା

ଆସାମ ପୋଲିସର ଗୁଇନ୍ଦା ତଥ୍ୟ “ଓଡ଼ିଶା ଉପରେ ଆତଙ୍କବାଦୀ ହାମଲା ହୋଇପାରେ। ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଏମିତି ଯୋଜନା କରିଛି। ଏଥିପାଇଁ ଓଡ଼ିଶାର କେତେକ ଧର୍ମପୀଠ ଓ ସମ୍ବେଦନଶୀଳ ଜାଗାକୁ ଚିହ୍ନଟ କରିସାରିଛି। ବିଶେଷ କରି ପୁରୀ ଏବଂ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଲସ୍କର ଟାର୍ଗେଟରେ ରହିଥିବା ଆଶଙ୍କା କରାଯାଉଛି”। ଏହି କଥା ଏବେ ଓଡ଼ିଶା ପୋଲିସର ନିଦ ହଜାଇ ଦେଇଛି। ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଜରୁରୀ ଚିଠି ଦେଇଛି ସତର୍କ ରୁହ, ସମ୍ବେଦନଶୀଳ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କର, ରଥଯାତ୍ରା ଚାଲିଛି, ଏପରି ସମୟରେ କିଛି ବି ଘଟିପାରେ। ରଥଯାତ୍ରା ପୂର୍ବରୁ ଏପରି ସୂଚନା ମିଳିଥିଲା ରାଜ୍ୟ ପୋଲିସକୁ। ଆତଙ୍କବାଦୀ ଆକ୍ରମଣ ଓଡ଼ିଶା ପାଇଁ ନୂଆ କଥା। ଏହାକୁ କିପରି ମୁକାବିଲା କରାଯାଏ ସେକଥା ବି ପୋଲିସକୁ ମାଲୁମ ନାହିଁ। ହାଡ଼ବଡ଼ାଇ ରଥଯାତ୍ରା ପାଇଁ କେତେ ଅତିରିକ୍ତ ପଦକ୍ଷେପ ନିଆଯାଇଥିଲା। ତେବେ ଆସାମ ପୋଲିସ ଡିଜି ଜୟନ୍ତ ନାରାୟଣ ଚୌଧୁରୀ ପୁଣି ଏହି ଆଶଙ୍କା ଥିବା କଥା ଦୋହରାଇଛନ୍ତି। ସେ ଗୌହାଟୀରେ କହିଛନ୍ତି ଯେ ଓଡ଼ିଶା ଓ ଉତ୍ତରପୂର୍ବ ରାଜ୍ୟରେ ହମଲା ରଚାଇବାକୁ ଲସ୍କର ଯୋଜନା କରିଥିବା ଜଣାପଡ଼ିଛି।

Share in top social networks!