ପରୀକ୍ଷା ପାଇଁ ଯଥା ସମ୍ଭବ ନୀରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହେବ

ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କର ବୃହତ୍ତର ସ୍ଵାର୍ଥକୁ ରଖି ସନ୍ଧ୍ୟା ସମୟରେ ନୀରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରିବାକୁ ବିଦ୍ୟୁତ ବଣ୍ଟନ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଶକ୍ତି ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବିଦ୍ୟୁତ ଚାହିଦା ଓ ବଣ୍ଟନ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରାଯାଇଛି । ପର୍ଯ୍ୟାପ୍ତ ବିଦ୍ୟୁତ ଉପଲବ୍ଧ ଥିଲେ ମଧ୍ୟ ବିଦ୍ୟୁତ ପରିବହନ ଓ ବଣ୍ଟନ ଭିତ୍ତିଭୂମିର ଅଭାବ ଓ ଉକ୍ତ ଭିତ୍ତିଭୂମିର ନିରାପତ୍ତା ସକାଶେ , ବିଦ୍ୟୁତ ଯୋଗାଣ ସାମୟିକ ବ୍ୟାହତ ହେଉଥିବା ଜଣାପଡିଛି । ତେବେ ପରୀକ୍ଷା ପାଇଁ ଆସନ୍ତା କାଲି ଠାରୁ ବିଶେଷ କରି ସନ୍ଧ୍ୟା ବେଳେ ବିଦ୍ୟୁତ ଯୋଗାଣକୁ ଯଥାସମ୍ଭବ ସୁନିଶ୍ଚିତ କରାଯିବ। ଏହିସମୟରେ ଟ୍ରାନ୍ସଫର୍ମର ଏବଂ ବିଦ୍ୟୁତ ସାରବାରହ ଉପରେ ଅତ୍ୟାଧିକ ଚାପ ଏଡାଇବା ପାଇଁ ହିଟର ବ୍ୟବହାର ନ କରିବାକୁ ଜଣସାଧାରଣଙ୍କୁ ଅନୁରୋଧ କରାଯାଉଛି। ବଣ୍ଟନ ବ୍ୟବସ୍ଥାରେ କୌଣସି ବିଭ୍ରାଟ ଦେଖାଗଲେ ,ତୁରନ୍ତ ସମ୍ପୃକ୍ତ ବଣ୍ଟନ କମ୍ପାନୀର ସ୍ଥାନୀୟ ଜେ.ଇ.ଏବଂଅନ୍ୟାନ୍ୟ ଅଧିକାରୀଙ୍କୁ ଜଣାଇଲେ ଅତି ଶୀଘ୍ର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯିବ । ଏଥିରେ ଜନସାଧାରଣଙ୍କୁ ସକ୍ରିୟ ସହଯୋଗ କରିବାକୁ ମନ୍ତ୍ରୀ ନିବେଦନ କରିଛନ୍ତି ।ଏହି ବୈଠକରେ ବିଭାଗୀୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସମେତ ୪ଟି ବଣ୍ଟନ କମ୍ପାନୀ (ୱେସ୍କୋ,ସାଉଥ୍କୋ,ନେସ୍କୋ ଓ ସେସୁ)ଗୁଡିକର ମୁଖ୍ୟ ନିର୍ବାହିମାନେ ଯୋଗଦେଇଥିଲେ।