ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ସାହିତ୍ୟ ଭାରତୀ ସମ୍ମାନ

49e844da16c05a836a691484e9ed5f47_mବିଶିଷ୍ଟ ସାହିତ୍ୟିକ, ପ୍ରବୀଣ ରାଜନୈତିକଜ୍ଞ ତଥା ଆସାମର ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ସାହିତ୍ୟ ଭାରତୀ ସମ୍ମାନ-୨୦୧୨’ ପାଇବେ | ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ଆସନ୍ତା ମାର୍ଚ୍ଚ ୯ ତାଲିଖ ଦିନ ସହିଦ ଭବନରେ ଆୟୋଜିତ ବର୍ଣାଢ୍ୟ ସାରସ୍ଵତ ଉତ୍ସବରେ ଶ୍ରୀ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ |

ସୁଦୀର୍ଘ ସାରସ୍ଵତ ସାଧନାରେ ରାମାୟଣ, ମହାଭାରତ, ଶ୍ରୀମଦ୍ ଭାଗବତ ଗୀତା ଆଦି ପ୍ରମୁଖ ଭାରତୀୟ ଗ୍ରନ୍ଥର ଗାଦ୍ୟାନୁବାଦ ସହିତ ବାଙ୍କିମ୍ ଚନ୍ଦ୍ରଙ୍କ ଉପନ୍ୟାସମାଲାର ଅନୁବାଦ କରି ଶ୍ରୀ ପଟ୍ଟନାୟକ ପାଠକୀୟ ସ୍ବୀକୃତି ଲାଭ କରିଛନ୍ତି | ଏହା ସହିତ ଶ୍ରୀ ପଟ୍ଟନାୟକଙ୍କ ମୌଳିକ କୃତି ସିନ୍ଧୁ ଉପତ୍ୟକା, ସ୍ଵପ୍ନ ଓ ସଂକଳ୍ପ, ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ ପ୍ରମୁଖ ଓଡିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଛି | ରାଜନୈତିକ ଓ ସାହିତ୍ୟ କ୍ଷେତ୍ରରେ ଅପୂର୍ବ ସଫଳତା ଅର୍ଜନ କରିଥିବା ଶ୍ରୀ ପଟ୍ଟନାୟକ ୨୦୦୯ ମସିହାରୁ ଆସାମର ରାଜ୍ୟପାଳ ଭାବେ ଦାୟିତ୍ଵ ନିର୍ବାହ କରି ଆସୁଛନ୍ତି | ସାରସ୍ଵତ ଅବଦାନ ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ଫାଉଣ୍ଡେସନ ପକ୍ଷରୁ କୋଣାର୍କ ମନ୍ଦିରର ଏକ ରୌପ୍ୟ ପ୍ରତିରୂପ ସମେତ ଏକ ଲକ୍ଷ ଟଙ୍କା ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବ ବୋଲି ଆଜି ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି |

ସେହିଭଳି ଚଳିତ ବର୍ଷ ବିଶିଷ୍ଟ ଚିକିତ୍ସାବିତ୍ ଡାକ୍ତର ନିମାଇଁ ଚରଣ ପଣ୍ଡାଙ୍କୁ ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ, ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକଙ୍କୁ ଭାନୁଜୀ ରାଓ ସ୍ମାରକୀ ପୁରସ୍କାର, କଥାକାର ଡକ୍ଟର ପଦ୍ମଜ ପାଳଙ୍କୁ ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ | ସାହିତ୍ୟ ପାଇଁ ଯୁବ ପ୍ରତିଭା କବି ପ୍ରହ୍ଲାଦ ଶତପଥି ଓ କବି ଡକ୍ଟର ସୁଷମା ମିଶ୍ରଙ୍କୁ ସୁବ୍ରତ ରଥ ସ୍ମାରକୀ ପୁରସ୍କାର ପ୍ରଦାନ କରାଯିବ | ଫାଉଣ୍ଡେସନ ପକ୍ଷରୁ ଆସନ୍ତା ମାର୍ଚ୍ଚ ୯ ତାରିଖରେ ସହିଦ ଭବନରେ ଆୟୋଜିତ ସାରସ୍ଵତ ସମାରୋହରେ ସମସ୍ତ ପୁରସ୍କାର ପ୍ରଦାନ କରାଯିବ |

ଉତ୍ସବରେ ସୁପ୍ରିମ୍ କୋର୍ଟର ପ୍ରାକ୍ତନ ମୁଖ୍ୟ ବିଚାରପଟି ଗୋପାଳ ବଲ୍ଲଭ ପଟ୍ଟନାୟକ ମୁଖ୍ୟଅତିଥି, ସାହିତ୍ୟିକ ଡକ୍ଟର ରତ୍ନାକର ଚାଇନି ମୁଖ୍ୟବକ୍ତାଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବକ୍ସିବଜାରସ୍ଥିତ ସ୍ଵର୍ଗତଃ ଗଙ୍ଗାଧର ରଥଙ୍କ ବାସଭବନରେ ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟି ଡାକ୍ତର ଜୟନ୍ତ ରଥ, ସମ୍ପାଦିକା ସୁସ୍ମିତା ରଥ, ସାହିତ୍ୟିକ ଅମରେଶ ପଟ୍ଟନାୟକ, ଡକ୍ଟର ବିଜୟାନନ୍ଦ ସିଂହ, ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ଅଧ୍ୟାପିକା ବନ୍ଦିତା ଦାସ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ଘୋଷଣା କରିବା ସହିତ ପୁରସ୍କାର ସମ୍ପର୍କିତ ସମ୍ପୂର୍ଣ ବିବରଣୀ ପ୍ରଦାନ କରିଥିଲେ |

Share in top social networks!
Powered By Indic IME