କୋଲଗେଟ ସ୍କାମ: ସିବିଆଇ ପଶିଲା

ଯେଉଁ ଡର ସରକାରଙ୍କୁ ଘାରି ଥିଲା, ଶେଷକୁ ସେଇଆ ହିଁ ହେଲା । 12 ବର୍ଷର ନିରଙ୍କୁଶ ଶାସନରେ ଜମାଟ ବାନ୍ଧିଥିବା ଦୁର୍ନୀତିର ଗନ୍ଧବାରି ଦ୍ଵିତୀୟ ଥର ପାଇଁ ସିବିଆଇ ଓଡିଶାରେ ପଶିଛି । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ରେ 700 କୋଟିର ଦୁର୍ନୀତିକୁ ଅଣ୍ଡାଳୁ ଥିବା ସିବିଆଇ, ଏବେ କୋଲଗେଟ ଦୁର୍ନୀତିକୁ  ତନ୍ନ ତନ୍ନ କରି ଯାଞ୍ଚ କରିବା । ଏଥିପାଇଁ ସିବିଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ମିଳି ସାରିଛି । ଆଉ ପ୍ରଥମ ପର୍ଯ୍ୟାୟରେ କିଛି ନିର୍ଦିଷ୍ଟ ପ୍ରଶ୍ନର ଉତ୍ତର ଓଡିଶା ପ୍ରସ୍ତୁତ କରି, ତା’ର କପି ସିବିଆଇ ନିକଟକୁ ପଠାଇ ସାରିଛି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ 12 ତାରିଖରେ ସିବିଆଇ ଏ ନେଇ ଓଡିଶା ସରକାରଙ୍କୁ ଚିଠି ଲେଖି ଥିଲା । ଯେଉଁଥିରେ କେତେକ ନିର୍ଦିଷ୍ଟ ବିଷୟ ଉପରେ ପ୍ରାରମ୍ଭିକ ଭାବେ ସରକାରଙ୍କଠାରୁ ସ୍ପଷ୍ଟିକରଣ ଲୋଡି ଥିଲା । କେଉଁ ଆଧାରରେ କୋଲ ବ୍ଲକ ଆବଣ୍ଟନ କରାଗଲା, ସେଥିପାଇଁ କେଉଁ ମାପଦଣ୍ଡ ସରକାର ଆପଣାଇ ଥିଲେ, ସେ ସମ୍ପର୍କରେ ଓଡିଶା ସରକାରଙ୍କୁ ଚିଠି ଲେଖିଥିଲା ସିବିଆଇ । ଏହାଛଡା କୋଲ ବ୍ଲକ ଆବଣ୍ଟନ ନିମନ୍ତେ ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ ବିଷୟରେ ରାଜ୍ୟ ସରକାର କେନ୍ଦ୍ରକୁ ଯେଉଁ ସବୁ ପତ୍ର ଲେଖିଥିଲେ, ତା’ର ନକଲ ବି ସିବିଆଇ ମାଗିଥିବା ଜଣା ପଡିଛି ।

ସିବିଆଇ ଓଡିଶା ସରକାରଙ୍କ ଠାରୁ ଯେଉଁସବୁ ଚିଠିର ନକଲ ମାଗିଛି, ସେଇ ତାଲିକାରେ ରହିଛି- 17/08/05 ରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠି ( ନମ୍ବର- ୟୁଏମ-1/05-404-ସିଏମ, ୟୁଏମ 1/06-69/ସିଏମ), ମୁଖ୍ୟମନ୍ତ୍ରୀଙ୍କ ନିକଟରୁ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ନିକଟକୁ ଲେଖା ଯାଇଥିବା ଚିଠି ( ୟୁଏମ 45/07-79/ସିଏମ – 15/02/2007, ୟୁଏମ 38/09-314/ସିଏମ/31/10/09) । ଏହାଛଡା ବିଭିନ୍ନ ସମୟରେ କେନ୍ଦ୍ର କୋଇଲା ବିଭାଗ ନିକଟକୁ ଲେଖା ଯାଇଥିବା ଚିଠି ( ନମ୍ବର 407-12/01/2007, 422-12.01/2007, 427-12/01/2007), 431-12/01/2007, 514-16/06/2007, 9593-5/09/2007, 8877-9/10/2007, 9594-22/05/2009) । ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ବାଦ ଦେଲେ ବାକି ସମସ୍ତ ଚିଠି ଶକ୍ତି ବିଭାଗ ପକ୍ଷରୁ କେନ୍ଦ୍ର ନିକଟକୁ ଲେଖା ଯାଇଥିଲା । 2005 ରୁ  2009 ମସିହା ମଧ୍ୟରେ ଏହି ସବୁ ଚିଠି କୋଇଲା ବ୍ଲକ ଆବଣ୍ଟନ ନିମନ୍ତେ ସୁପାରିସ ଭାବେ ପଠା ଯାଇଥିଲା ।

କୋଲ ଗେଟ ଦୁର୍ନୀତି ଏବେ ଜାତୀୟ ରାଜନୀତିରେ ବି ହଇଚଇ ସୃଷ୍ଟି କରିଛି । କିଛି ମାସ ତଳେ ସିଏଜି ଏ ସମ୍ପର୍କିତ ଦୁର୍ନୀତି 1.8 ଲକ୍ଷ କୋଟି ଟଙ୍କା ହେବ ବୋଲି ନିଜ ରିପୋର୍ଟରେ ଦର୍ଶାଇ ଥିଲେ । ପରେ ଏହି ପ୍ରସଙ୍ଗରେ ଚାରିଟି ରାଜ୍ୟର ଭୂମିକକୁ ନେଇ ସନ୍ଦେହ ଉଠିଥିଲା ଏବଂ ସିବିଆଇ ସେଠରେ ତଦନ୍ତ କରିବ ବୋଲି ଚର୍ଚା ବଢିବାରେ ଲାଗିଥିଲା । ସେଇ ଚାରୋଟି ରାଜ୍ୟ ହେଲେ, ଓଡିଶା, ପଶ୍ଚିମବଙ୍ଗ, ଛତିଶଗଡ ଏବଂ ଝାଡଖଣ୍ଡ । ସିଏଜିଙ୍କ ରିପୋର୍ଟ ଅନୁସାରେ ଏହି ଦୁର୍ନୀତିରୁ ଘରୋଇ କମ୍ପାନୀ ଗୁଡିକ ପାଖାପାଖି ପ୍ରଚୁର ଫାଇଦା ଉଠାଇ ଥିଲେ ।

ତେବେ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଏହାକୁ ମିଶାଇ ଦ୍ଵିତୀୟ ଥର ପାଇଁ ସିବିଆଇ ଓଡିଶାରେ ପଶିଛି । ମନରେଗା ପୂର୍ବରୁ 700 କୋଟି ଟଙ୍କାର ଦୁର୍ନୀତିର ତଦନ୍ତ ସିବିଆଇ କରୁଛି । ସୁପ୍ରୀମ କୋର୍ଟଙ୍କ ନିର୍ଦେଶ ଅନୁଯାୟୀ ସେଇ ତଦନ୍ତ ଚାଲୁ ରହିଛି । ଏବେ ପୁଣି ମହା ଏକ ଦୁର୍ନୀତିର ତଦନ୍ତ ସିବିଆଇ ଆରମ୍ଭ  କରିବା ଓଡିଶା ସରକାରଙ୍କ ପାଇଁ ବିରାଟ ସମସ୍ଯା ସୃଷ୍ଟି କରିବ ବୋଲି ଅନୁମାନ କରା ଯାଉଛି । ଦଳୀୟ ରାଜନୀତି ଭିତରେ ଏବେ ବି ବନ୍ଧା ପଡିଥିବା ସରକାର ଏହାଦ୍ବାରା ଆହୁରି ଶକ୍ତ ଭାବେ ଛନ୍ଦି ହୋଇ ଯିବେ ।

Share in top social networks!