ଶିଶୁପାଳଗଡ ଠାରୁ ପ୍ରାଚୀନ ସଭ୍ୟତାର ସନ୍ଧାନ

civilizationପୁନାସ୍ଥିତ ଡେକାନ୍ କଲେଜ ଉତ୍କଳ ବିଶ୍ଵବିଦ୍ୟାଳୟର ଭୁତତ୍ତ୍ଵ ବିଭାଗ ଏବଂ ସେଣ୍ଟର ଫର ହେରିଟେଜ୍ ଷ୍ଟାଡିଜ୍ ର ମିଳିତ ଆନୁକୂଲ୍ୟରେ ହରିରାଜପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଅଙ୍ଗଗ୍ରାମର ବନ୍ତଳମୁଣ୍ଡିଆରେ ଚାଲିଥିବା ପ୍ରତ୍ନତାତ୍ତ୍ଵିକ ଉତ୍ଖନନରୁ ମିଳିଥିବା ସାମଗ୍ରୀ ଗୁଡିକ ଅନୁଧ୍ୟାନ କରି ସେଠାରେ ଶିଶୁପାଳଗଡ ଠାରୁ ଅଧିକ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିଛି ବୋଲି ଗବେଷକମାନେ ଦାବି କରିଛନ୍ତି | ଏଠାରୁ ୩୫ ହଜାର ରୁ ୪ ହଜାର ବର୍ଷ ତଳର ପୂର୍ଣ୍ଣ ବିକଶିତ ମାନବ ଅସ୍ଥି କଙ୍କାଳ ଆବିଷ୍କୃତ ହୋଇଛି | ଏହା ସହିତ ବିଭିନ୍ନ ପ୍ରକାର ପାତ୍ର, ପଶୁପକ୍ଷୀଙ୍କ ହାଡ ସହିତ ପୁରାତନ, ତାମ୍ର ଓ ନୂତନ ପ୍ରସ୍ତର ଯୁଗର ବହୁ ସାମଗ୍ରୀ ଆବିଷ୍କୃତ ହୋଇଛି | ଏହାସହିତ ଏଠାରେ ପ୍ରାଚୀନ ଖମ୍ବର ଭଗ୍ନାବଶେଷ ମଧ୍ୟ ଆବିଷ୍କୃତ ହୋଇଛି | ଏଠାକାର ଉତ୍ଖନନ ପ୍ରକ୍ ଐତିହାସିକ ଯୁଗର ବସତି ସ୍ଥାପନ ଓ ପୁରକାଳର କୃଷିଜୀବୀ ମାନବ କିପରି ଭାବେ ପ୍ରକୃତିକ ସମ୍ପଦ ବିନିଯୋଗ କରୁଥିଲା ସେ ସମ୍ପର୍କରେ ଅନେକ ରୋମାଞ୍ଚକର ତଥ୍ୟ ଲୋକଲୋଚନକୂ ଆସିବ | ଏହା ଶିଶୁପାଳଗଡ ସ୍ଥାପନ ହେବାର ବହୁ ବର୍ଷ ପୂର୍ବରୁ ଏଠାରେ ପ୍ରାକ୍ ଐତିହାସିକ ଯୁଗର ବସତି ଦେଖାଦେଇଥିବାରୁ ଓଡିଶାର ସାଂସ୍କୃତିକ ଇତିହାସ ସମ୍ପର୍କରେ ବହୁ ପୁରାତନ ତଥ୍ୟ ଉନ୍ମୋଚିତ ହେବ ବୋଲି ସେମାନେ କହିଛନ୍ତି |

ଭାରତୀୟ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ୯୦ ଦଶକରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅନ୍ତର୍ଗତ ଗୋଲବାଇ ନିକଟସ୍ଥ ମଲାଗୁଣି ନଦୀ ଅବବାହିକା ଉତ୍ଖନନ କରାଯାଇଥିଲା | ଏଠାରୁ ପୁରାତନ ପ୍ରସ୍ତର ଯୁଗ, ତାମ୍ର ପ୍ରସ୍ତର ଯୁଗ ଓ ନୂତନ ପ୍ରସ୍ତର ଯୁଗରେ ମାନବ ସଭ୍ୟତାରେ ବ୍ୟବହୃତ ବହୁ ସାମଗ୍ରୀ ସହିତ ଏକ ମୁଣ୍ଡବିହୀନ ଶିଶୁର କଙ୍କାଳ ଆବିଷ୍କାର ହୋଇଥିଲା | ପ୍ରତ୍ନତାତ୍ତ୍ଵିକ ଉତ୍ଖନନରୁ ବଅଙ୍ଗଗ୍ରାମରେ ଆବିଷ୍କୃତ ମାନବ ଅସ୍ଥିକଙ୍କାଳ ଓଡିଶା ଇତିହାସରେ ଦ୍ଵିତୀୟ ଘଟଣା ହୋଇଥିଲେ ମଧ୍ୟ ପୂର୍ଣ୍ଣ ବିକଶିତ ମାନବ ଅସ୍ଥିକଙ୍କାଳ ଆବିଷ୍କାର ହେବା ପ୍ରଥମ | ଏଠାରୁ ଆବିଷ୍କୃତ ମାନବ ଅସ୍ଥିକଙ୍କାଳର ଉଚ୍ଚତା ୫.୭ଇଞ୍ଚ ହେବ | ପୁରାତନ ପ୍ରସ୍ତରଯୁଗ ଓ ନୂତନ ପ୍ରସ୍ତର ଯୁଗ ସମୟରେ ବ୍ୟବହୃତ ହେଉଥିବା ପାତ୍ର, ପଶୁପକ୍ଷୀଙ୍କ ହାଡ, ଚୁଲି, ଘର ଚଟାଣ, ତମ୍ବାରେ ତିଆରି ସାମଗ୍ରୀ ଓ ପଥର ଉପକରଣ ଇତ୍ୟାଦି ଏଠାରୁ ଆବିଷ୍କୃତ ହୋଇଛି; ଯାହାକି ଖୋର୍ଦ୍ଧା ଜିଲ୍ଲାର ଗୋଲବାଇ ଉତ୍ଖନନ ସାମଗ୍ରୀ ସହିତ ସାମଞ୍ଜସ୍ୟ ରହିଛି |

ତେଣୁ ଶିସୁପାଳଗଡ ସ୍ଥାପନ ହେବା ବହୁ ପୂର୍ବରୁ ଏସବୁ ଅଞ୍ଚଳରେ ଜନବସତି ଗଢି ଉଠିଥିବା ଅନୁମାନ କରାଯାଉଛି | ଶିଶୁପାଳଗଡ (ଖ୍ରୀ.ପୂ ୫୦୦ ରୁ ୬୦୦)ରୁ ଆବିଷ୍କୃତ ସାମଗ୍ରୀଗୁଡିକଠାରୁ ଏହା ଢେର ପୁରାତନ ଓ ଏଠାରେ ଏକ ସହରୀ ସଭ୍ୟତା ଥିବା ସନ୍ଧାନ ମିଳୁଛି | ହୁଏତ ଏହା ସର୍ବପ୍ରଥମ ସହରୀ ସଭ୍ୟତାର ଜନପଦ ହୋଇଥାଇ ପାରେ | ସେମାନଙ୍କ ସାଂସ୍କୃତିକ ବିଭବ ଓ କୃଷିଭିତ୍ତିକ ପ୍ରାକୃତିକ ସମ୍ପଦର ବ୍ୟବହାର ସମ୍ପର୍କରେ ଅଧିକ ଖନନ ପରେ ବହୁ ତଥ୍ୟ ଲୋକଲୋଚନକୂ ଆସିବ ବୋଲି ପ୍ରଫେସର କିଶୋର କୁମାର ବାସା ମତବ୍ୟକ୍ତ କରିଛନ୍ତି | ଉତ୍ଖନନ ସମୟରେ ମିଳିଥିବା ପୂର୍ଣ୍ଣ ବିକଶିତ ମାନବ ଅସ୍ଥିକଙ୍କାଳ ୩୫୦୦ ରୁ ୪୦୦୦ ବର୍ଷ ତଳର ହେବ ବୋଲି ଅନୁମାନ କରାଯାଉଛି |

ଏହି ପ୍ରତ୍ନତାତ୍ତ୍ଵିକ ଉତ୍ଖନନ ରୁ ମିଳିଥିବା ମାନବ ଅସ୍ଥିକଙ୍କାଳ, ପଶୁପକ୍ଷୀ ହାଡ, ପାତ୍ର ଓ ପ୍ରସ୍ତରଗୁଡିକୁ ସଂଗ୍ରହ କରାଯାଇ ସେଗୁଡିକର ଡିଏନ୍ଏ ଟେଷ୍ଟ ଓ କାର୍ବନ୍ ଡେଟିଙ୍ଗ କରାଯାଇ ଏହା କେତେ ବର୍ଷ ତଳର ପୁରୁଣା ତାହା ଆକଳନ କରାଯିବ | ହରିରାଜପୁର ପ୍ରସିଦ୍ଧ ସୋମନାଥ ମନ୍ଦିର ଅଳ୍ପଦୂରରେ ଥିବା ବନ୍ତଳମୁଣ୍ଡିଆରେ ଦେଢ ମିଟର ଚଉଡା ଓ ଦୁଇ ମିଟର ଲମ୍ବର ପାଞ୍ଚଟି ଟ୍ରେଞ୍ଚ ଖୋଲାଯାଇଛି | ଏଠାରେ ପ୍ରତ୍ନତାତ୍ତ୍ଵିକ ଉତ୍ଖନନ ପାଇଁ ଆଉ ଦୁଇଟି ସ୍ଥାନ ଚିହ୍ନଟ କରାଯାଇଛି | ଡେକାନ୍ କଲେଜର ଗବେଷକ ଶାନ୍ତନୁ ବୈଦ୍ୟ ଓ ଉତ୍କଳ ବିଶ୍ଵବିଦ୍ୟାଳୟ ନୃତତ୍ତ୍ଵ ବିଭାଗର ବରିଷ୍ଠ ଅଧ୍ୟାପକ ଦୈତାରୀ ସାହୁ ଏଠାକାର ପ୍ରତ୍ନତାତ୍ତ୍ଵିକ ଉତ୍ଖନନର ତଦାରଖ କରୁଛନ୍ତି | ଉତ୍କଳ ବିଶ୍ୱବିଦ୍ୟାଳୟ ନୃତତ୍ତ୍ଵ ବିଭାଗ ପ୍ରଫେସର କିଶୋର କୁମାର ବାସା ଓ ପୁନା ଡେକାନ୍ କଲେଜର ପ୍ରଫେସର ଆର୍.କେ. ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୮ଜଣ ଛାତ୍ର ଗତ ଜାନୁଆରୀ ୧୮ ତାରିଖରୁ ଏହି ପ୍ରତ୍ନତାତ୍ତ୍ଵିକ ଉତ୍ଖନନରେ ନିଯୋଜିତ ହୋଇଛନ୍ତି ବୋଲି ପ୍ରଫେସର ବାସା ପ୍ରକାଶ କରିଛନ୍ତି |