ଓଡ଼ିଆ ଉଇକିପିଡ଼ିଆର ନ‌ବମ ଜନ୍ମତିଥି ଅବସରରେ କର୍ମଶାଳା: ଇମିଡ଼ିଆରେ ଓଡ଼ିଆ ଭାଷାର ପ୍ର‌ୟୋଗ

Odia Wikipedia 9th Anniversary-3ଓଡ଼ିଆ ଉଇକିପିଡ଼ିଆ (http://or.wikipedia.org) ଓଡ଼ିଆ ଭାଷାରେ ଇଣ୍ଟରନେଟରେ ଉପଲବ୍ଧ ଏକ ଖୋଲା ଜ୍ଞାନକୋଷ । ଏହାର ନ‌ବମ ଜନ୍ମତିଥି ଅବସରରେ ଏକାଡେମି ଫର ମିଡ଼ିଆ ଲର୍ଣିଂ (ଏଏମ୍ଏଲ୍) ପରିସରରେ ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି ଆନୁକୁଲ୍ୟରେ ଏକ କର୍ମଶାଳାର ଆୟୋଜନ ହୋଇ‌ଯାଇଛି । କର୍ମଶାଳାର ଆଲୋଚ୍ୟ ବିଷୟ ଥିଲା- “ଇ-ମିଡ଼ିଆରେ ଓଡ଼ିଆ ଭାଷାର ପ୍ରୟୋଗ” ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରସନ୍ନ କୁମାର ମହାନ୍ତି ବକ୍ତବ୍ୟ ଦେଇଥିଲେ ଯେ, “ପ୍ରଥମେ ଭାଷାର ଶୁଦ୍ଧ ରୂପ, ସ୍ଥିର ଚିତ୍ର, ତା’ପରେ ତାହାକୁ ମିଡ଼ିଆ ମାଧ୍ୟମରେ ସାଧାରଣରେ ପ‌ହଞ୍ଚାଇବାର ପ୍ର୍‌ୟାସ କରିବାକୁ ପଡ଼ିବ । ଏଥିସ‌ହିତ ଚିରାଚରିତ ଢଙ୍ଗରେ ପ୍ରଚଳିତ ହୋଇଆସୁଥିବା ଭୁଲଧାରଣାକୁ ସଂଶୋଧନ କରିବାର ପ୍ର‌ୟାସ କରାଯାଉନାହିଁ । ଯେ କେହି ବି ଏ କ୍ଷେତ୍ରରେ ପ୍ରୟାସ କରି କିଛି ନୂତନ ଦିଗର ଉନ୍ମୋଚନ କରୁଥିଲେ ମଧ୍ୟ ତାହାକୁ ଗ୍ରହଣ କରାଯାଉନାହିଁ । ସରକାରୀ ସ୍ତରରେ ଏବଂ ଉଚ୍ଚଶିକ୍ଷିତମାନଙ୍କ ଦ୍ୱାରା ହେଉଥିବା ଭୁଲ ଯୋଗୁଁ ଓଡ଼ିଆ ଭାଷାର ପ୍ରକୃତ ରୂପ ପ‌ହଞ୍ଚିପାରୁନା‌ହିଁ । ଏହି ହୀନମନ୍ୟତାକୁ ଦୂରକରାଯାଇପାରିଲେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିପାରିବାର ବାଟ ସୁଗମ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ସରକାରୀ ସ୍ତରରେ ଓଡ଼ିଆ ଭାଷାର ବିକାଶ ପାଇଁ ଆର୍ଥିକ ସ୍ୱଚ୍ଛଳତା ଥିଲେ ବି ଉପ‌ଯୁକ୍ତ ପ୍ରସ୍ତାବର ଅଭାବ ରହିଛି । ବିଦ୍ଧିବଦ୍ଧ ପ୍ରସ୍ତାବ ଆସିଲେ ସରକାର ଏହାକୁ ସୁଚାରୁ ରୂପେ ସମ୍ପାଦନ କରିବେ ।”

ବିଶିଷ୍ଠ ଓଡ଼ିଆ ଭାଷାବିଦ ପ୍ରଫୁଲ୍ଲ ତ୍ରିପାଠୀ, ଓଡ଼ିଆ ଭାଷା ଆନ୍ତର୍ଜାତୀୟ ସ୍ତରରେ ୩୧ ତମ ସ୍ଥାନରେ ଥିଲେ ବି ଏହାକୁ ଶାସ୍ତ୍ରୀୟ ମାନ୍ୟତା ମିଳିନ‌ଥିବାରୁ କ୍ଷୋଭପ୍ରକାଶ କରିଥିଲେ । ଏହା ପଛରେ ଚାରିକୋଟି ଓଡ଼ିଆଙ୍କର ସ୍ୱାର୍ଥ ନିହିତ ରହିଛି । ଆମର ବ୍ୟକ୍ତିଗତ ଚରିତ୍ର, ସାମାଜିକ ଚାଲିଚଳଣିରେ ବ୍ୟବ‌ହୃତ କ‌ଥିତ ଭାଷାର ସଠିକ ଲିଖିତ ପ୍ରକାଶ ହୋଇପାରୁନାହିଁ । ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଓଡ଼ିଆ ଭାଷାର ସ୍ୱରୂପକୁ ନେଇ ଉପୁଜିଥିବା ଦ୍ୱନ୍ଦ ଓଡ଼ିଆ ଭାଷାକୁ ବିଶ୍ୱବିଦିତ କରିବାରେ ପ୍ରତିବନ୍ଧକ ସାଜିଛି । ଲିପି-ବ୍ୟାକରଣର ପ୍ରକୃତ ଉପଯୋଗୀତାକୁ ହୃଦୟଙ୍ଗମ କରି ତାହାକୁ ବ୍ୟବ‌ହାର କଲେ ଓଡ଼ିଆ ଭାଷା ସର୍ବାଦୃତ ହୋଇ ପାରିବ । ଏଥିସ‌ହିତ ଆଲୋକର ଗତି ସଙ୍ଗେ ଧ୍ୱନିର ଗତିକୁ ତୀବ୍ର କରିବାକୁ ପଡ଼ିବ । ସାଧରଣ ଲୋକଙ୍କ ବ୍ୟବ‌ହାରରେ ସୁବିଧା ପାଇଁ ଫୋନେଟିକ ବା ଉଚ୍ଚାରଣଭିତ୍ତିକ ଟାଇପିଂ ପଦ୍ଧତି, ଇନସ୍କ୍ରିପ୍ଟ ଟାଇପିଂ ପଦ୍ଧତି, ଯୁନିଭର୍ସାଲ ଇଣ୍ଟରନେଟ ଯୋଗାଯୋଗ, ଇଣ୍ଟରାକ୍ଟିଭ ଓଡ଼ିଆ ଲର୍ଣିଂ, ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରସାର, ଉନ୍ନ‌ତ ଶିକ୍ଷାଦାନର ପ୍ରଣାଳୀ ଆଦି ଉପରେ ଆଲୋକପାତ କରିଥିଲେ ।

ଭାଷାର ବ୍ୟବ‌ହାରିକ ଜ୍ଞାନ କେବଳ ଶିକ୍ଷାଜୀବୀମାନଙ୍କ ମଧ୍ୟରେ ସୀମିତ ନରହି ତୃଣମୂଳ ସ୍ତରରେ ପହଞ୍ଚିବା ନିହାତି ଆବଶ୍ୟକ ରହିଛି । ଭାଷା ଉପରେ କାହାରି ବ୍ୟକ୍ତିଗତ ଅଧୀକାର ନାହିଁ । କିନ୍ତୁ ଏହି ଭାଷା ଧନୀ, ମାନୀ, ଶିକ୍ଷିତ ଅଶିକ୍ଷିତ ସଭିଙ୍କୁ ଏକ‌ତ୍ର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ତେଣୁ ଏହି ଭାଷାର ସୁରକ୍ଷା କୌଣସି ବ୍ୟକ୍ତି ମଧ୍ୟରେ ସୀମିତ ନରହି ପ୍ରତିଟି ମଣିଷର କର୍ତ୍ତବ୍ୟ ହେବା ଉଚିତ । ବର୍ତ୍ତମାନ ଜଗତୀକରଣ ସମୟରେ ଇଣ୍ଟରନେଟର ଯୋଗାଯୋଗର କ୍ଷୀପ୍ର ଓ ସ‌ହଜ ମାଧ୍ୟମ ପାଲଟିଛି । କଳା, ସାହିତ୍ୟ ଓ ବିଜ୍ଞାନ ଇଣ୍ଟରନେଟ ଯୋଗେ ସମସ୍ତଙ୍କ ଭିତରେ ସଚେତନ‌ତା ସୃଷ୍ଟି କରିପାରିଛି । ଏସବୁ ଇଂରାଜୀ ଭାଷାରେ ପ୍ରସାରିତ ହେଉଥିବା ବେଳେ ଆମ ମାତୃଭାଷା ଓଡ଼ିଆ ପଛରେ ରହିଯାଇଛି । ଓଡ଼ିଆ ଭାଷାକୁ ଇଣ୍ଟରନେଟ ମାଧ୍ୟମରେ ସାରା ଜଗତରେ ପ‌ହ‌ଞ୍ଚାଇବାର ପ୍ରୟାସ ଉଇକିପିଡ଼ିଆ ମାଧ୍ୟମରେ ସଚେତିତ ଓଡ଼ିଆମାନେ ଚେଷ୍ଟା କରିଛନ୍ତି । କାଗଜର ବ‌ହୁଳତା କମିବା ସଙ୍ଗେସଙ୍ଗେ ଅନଲାଇନରେ ଚାହିଦା ବଢ଼ିବାରେ ଲାଗିଛି । ଆଗାମୀ ଭବିଷ୍ୟତ ପାଇଁ ଅନଲାଇନ ହିଁ ସୂଚନା ପ୍ରସାରଣର ଏକମାତ୍ର ମାଧ୍ୟମ ।

ଏଥିରେ ଭାଗନେଇ ଶିକ୍ଷାବିଦ ପ୍ରଫେସର ଧନ‌ଦାକାନ୍ତ ମିଶ୍ର କମ୍ପ୍ୟୁଟର କ୍ଷେତ୍ରରେ ମାଗଣା ଲିନ‌କ୍ସ (Linux)ର ଉପ‌ଯୋଗୀତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସ‌ହିତ ଓଡ଼ିଆମାନଙ୍କ ଭିତରେ ଥିବା ଇଚ୍ଛା ଓ ଆବେଗକୁ ଅନଲାଇନ ମାଧ୍ୟମରେ ପ୍ରବାସୀ ଭାରତୀୟଙ୍କ ନିକଟରେ ପ‌ହ‌ଞ୍ଚାଇବାର ଓଡ଼ିଆ ଉଇକିପିଡ଼ିଆର ପ୍ରୟାସକୁ ସାଧୁବାଦ ଜଣାଇଥିଲେ । ଭବିଷ୍ୟତରେ ସେ ଉଇକିପିଡ଼ିଆ ପାଇଁ ସହଯୋଗର ହାତ ନିଶ୍ଚିତ ବଢ଼ାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Share in top social networks!
Powered By Indic IME