ଜଣେ ବ୍ୟକ୍ତିକୁ ୧୦୦ଦିନ କାମ ଦେବାକୁ କେନ୍ଦ୍ର ସରକାରଙ୍କୁ ମନ୍ତ୍ରୀ କଳ୍ପତରୁ ଦାସଙ୍କ ପ୍ରସ୍ତାବ

kalpatarudassssଓଡିଶାର ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ କଳ୍ପତରୁ ଦାସ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର କେତେକ ଆନୁସଙ୍ଗିକ ସମସ୍ୟା ପାଇଁ ରାଜ୍ୟରେ ଏହି ଯୋଜନା ସମ୍ପୂର୍ଣ ଭାବେ ସଫଳ ହୋଇପାରୁ ନଥିବା ପ୍ରକାଶ କରିଛନ୍ତି | ନୂଆଦିଲ୍ଲୀର ଭବନଠାରେ ଆୟୋଜିତ ଅଷ୍ଟମ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଦିବସ ପାଳନ ଅବସରରେ ମନ୍ତ୍ରୀ ଶ୍ରୀ ଦାସ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ କହିଲେ ଯେ, ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ୍ ସଂଖ୍ୟା କମ୍ ଥିବା ଦୃଷ୍ଟିରୁ ବ୍ୟାଙ୍କ ସେବା ପାଇବା ପାଇଁ ଶ୍ରମିକମାନଙ୍କୁ କେତେକ ସ୍ଥାନରେ ଶହେ କିଲୋମିଟର ଯିବାକୁ ପଡୁଛି | ଡାକଘର ସେବା ପ୍ରଦାନରେ ମଧ୍ୟ ଅନେକ ସମସ୍ୟା ରହୁଛି | ଯେଉଁଠି ବ୍ୟାଙ୍କ କିମ୍ବା ଡାକଘର ସେବା ଉପଲବ୍ଧ ସେଠାରେ କର୍ମଚାରୀ ନଥିବା ଦର୍ଶାଇ ମଜୁରୀ ପ୍ରଦାନ କ୍ଷେତ୍ରରେ ଆହେତୁକ ବିଳମ୍ବ କରାଯାଉଛି | ଫଳରେ ଶ୍ରମିକମାନେ ଉଚିତ ସମୟରେ ମଜୁରୀ ପାଇପାରୁ ନାହାନ୍ତି ବୋଲି ତାଙ୍କ ବ୍ୟକ୍ତବ୍ୟରେ ସେ ଦର୍ଶାଇ ସେ ଓଡିଶାର ଗ୍ରାମ୍ୟାଞ୍ଚଳରେ ବ୍ୟାଙ୍କ ଓ ଡାକଘର ସଂଖ୍ୟା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ |

ସେହିପରି ରାଜ୍ୟର ଦାଦନ ଶ୍ରମିକ ଚାଲାଣ ପ୍ରବଣ ନୂଆପଡା ଓ ବଲାଙ୍ଗୀର ଭଳି ଜିଲ୍ଲାମାନଙ୍କରେ ଶ୍ରମିକ ଚାଲାଣ ରୋକିବା ପାଇଁ ପରିବାର ପିଛା ୧୦୦ ଦିନ ପରିବର୍ତ୍ତେ ୧୫୦ ଦିନ କମ ଯୋଗାଇବାକୁ ପୂର୍ବରୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି | ଏଥିପାଇଁ ଆବଶ୍ୟକ ଅଧିକ ଅର୍ଥ ରାଜ୍ୟ ତହସିଲରୁ ଭରଣା କରାଯିବ | ମନ୍ତ୍ରୀ ଶ୍ରୀ ଦାସ ନରେଗା ଆଇନରେ ପରିବର୍ତ୍ତନ କରି ସମନ୍ଵିତ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ ହେଉଥିବା ଜିଲ୍ଲାମାନଙ୍କରେ ପରିବାର ପିଛା ୨୦୦ ଦିନ କିମ୍ବା ଜଣେ ବ୍ୟକ୍ତିକୁ ୧୦୦ କାମ ଦେବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି |

ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ କ୍ଷେତ୍ରରେ ଅର୍ଥ ପର୍ଯ୍ୟାପ୍ତ ହେଉ ନଥିବା ଦର୍ଶାଇ ବୈଠକରେ ସେ ସିମେଣ୍ଟ, ଲୁହାଛଡର ଦାମ ଓ ଶ୍ରମ ମଜୁରୀ ଆଦି ବୃଦ୍ଧି ପାଇଥିବା ହେତୁ ଏହି ଅନୁଦାନ ରାଶିକୁ ଗ୍ରାମ ପଞ୍ଚୟାତ ପାଇଁ ୧୦ ଲକ୍ଷରୁ ୧୨ ଲକ୍ଷକୁ ଏବଂ ପଞ୍ଚାୟତ ସମିତି ସ୍ତରରେ ୧୫ଲକ୍ଷରୁ ୩୦ଲକ୍ଷକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଥିଲେ | ସେହିଭଳି ସାମାଜିକ ସମୀକ୍ଷା, ସୂଚନା, ଶିକ୍ଷା ଓ ଯୋଗାଯୋଗ, ବ୍ୟାଙ୍କ ଖର୍ଚ୍ଚ ଭରଣା, ଦକ୍ଷତା ବୃଦ୍ଧି ତାଲିମ୍, ସାଧାରଣ ନାଗରିକଙ୍କୁ ସାମିଲ କରିବା, ସୂଚନା ଓ ପ୍ରଯୁକ୍ତି ଖର୍ଚ୍ଚ ପ୍ରଭୃତି ଭରଣା ଭଳି ଅନେକ ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟ ରହିଥିବା ଦୃଷ୍ଟିରୁ ଏହା ପ୍ରକୃତ ପକ୍ଷେ ଯଥେଷ୍ଟ ହେଉ ନାହିଁ, ତେଣୁ ଏହି ବାବଦକୁ ଥିବା ୬ ଭାଗକୁ ୮ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ମଧ୍ୟ ସେ ପ୍ରସ୍ତାବ ରଖିଥିଲେ | ମନ୍ତ୍ରୀଙ୍କ ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଯଦି ଓଡିଶା, ବିହାର ଓ ଝାଡଖଣ୍ଡ ପ୍ରଭୃତି ନକ୍ସଲ ପ୍ରବଣ ରାଜ୍ୟ ପ୍ରସ୍ତାବ ଦିଅନ୍ତି ତେବେ ଏଥି ପ୍ରତି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ |

ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ମନମୋହନ ସିଂହ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ଜୟରାମ ରମେଶ, ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ଜୈନ, ଲାଲଚାନ୍ଦ କାଟାରିଆ, ସଚିବ ଏସ୍. ବିଜୟ କୁମାରଙ୍କ ସମେତ ବିଭିନ୍ନ ରାଜ୍ୟର ପଞ୍ଚାୟତିରାଜ ମନ୍ତ୍ରୀ, ମନୋନୀତ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ସରପଞ୍ଚ ପ୍ରଭୃତି ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେଇଥିଲେ |

Share in top social networks!
Powered By Indic IME