ଲେଖିକା ମନିକା ଦାସଙ୍କ ପୁସ୍ତକ ଲୋକାର୍ପଣ

ନୂଆଦିଲ୍ଲୀ ସ୍ଥିତ ସୋସିଆଲ ଡେଭେଲପମେଣ୍ଟ ସଭାଗୃହ(CSD)ରେ ଫକୀରମୋହନଙ୍କ ଅଣନାତୁଣୀ ଲେଖିକା ଡ. ମନିକା ଦାସଙ୍କ ରଚିତ ଏବଂ ଅଥର୍ସ ପ୍ରେସ୍ ପ୍ରକାଶନ ସଂସ୍ଥା, ନୂଆ ଦିଲ୍ଲୀଦ୍ଵାରା ପ୍ରକାଶିତ ‘Memoirs and more, woven around the relics of Fakirmohan Senapati’ ଇଂରାଜୀ ପୁସ୍ତକଟି ଲୋକାର୍ପିତ ହୋଇଯାଇଛି । ଏଥିରେ ବହୁ ନାମୀଦାମୀ ସାହିତ୍ୟିକ ତଥା ବୁଦ୍ଧିଜୀବୀ ଯୋଗଦେଇ ମନିକା ଦାସଙ୍କର ଭୂୟସୀ ପ୍ରଶଂସା କରିଥିଲେ । ଏଥିରେ ସଭାପତିତ୍ବ କରିଥିଲେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଶ୍ରୀଯୁକ୍ତ ଅନଙ୍ଗ ପଟ୍ଟନାୟକ ଏବଂ ମୁଖ୍ୟବକ୍ତା ଭାବରେ ବକ୍ତବ୍ୟ ରଖିଥିଲେ ସି.ଏସ୍.ଡି.ର ନିର୍ଦ୍ଦେଶକ ତଥା ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଖ୍ୟାତନାମା ପ୍ରଫେସର ମନୋରଞ୍ଜନ ମହାନ୍ତି । ମୁଖ୍ୟଅତିଥି ଭାବେ ଆସନ ଅଳଙ୍କୃତ କରି ଭାରତର ପୂର୍ବତନ ରାଷ୍ଟ୍ରଦୂତ ଲଳିତ ମାନସିଂହ ଲେଖିକା ମନିକାଙ୍କୁ ଫକୀରମୋହନୀୟ ବଂଶ ପରମ୍ପରାର ସୁଯୋଗ୍ୟ ଦାୟାଦ ଭାବରେ ତର୍କଣା କରିଥିଲେ । ଭାରତୀୟ ପ୍ରାଶାସନିକ ସେବାର ପୂର୍ବତନ ପଦାଧିକାରୀ ଶ୍ରୀଯୁକ୍ତ ଗୋକୁଳ ପଟ୍ଟନାୟକ ଏବଂ ଜାମିଆ ମାଲିୟା ବିଶ୍ବବିଦ୍ୟାଳୟର ପ୍ରଫେସର ବୁଲ୍ ବୁଲ୍ ଧର୍ ଜେମ୍ସ ପୁସ୍ତକଟିର ବିଭିନ୍ନ ଅଧ୍ୟାୟକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପୁସ୍ତକଟି କିପରି ଫକୀରମୋହନଙ୍କ ବୁନିଆଦୀର ଅନାଲୋଚିତ ଐତିହ୍ୟକୁ ଧରି ରଖିବାରେ ସାମର୍ଥ୍ୟ ହାସଲ କରିଚି ତାହା ଉପରେ ଆଲୋକପାତ କରାଯାଇଥିଲା । ପ୍ରଫେସର ଯତୀନ୍ଦ୍ର କୁମାର ନାୟକଙ୍କ ଭୂମିକା ଶୀରୋନାମାରେ ଉଲ୍ଲେଖିତ “ସାମାଜିକ ଇତିହାସ ଉପରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଏହି ପୁସ୍ତକଟି କିପରି ଉପଯୋଗୀ ହେବ” ପ୍ରସଙ୍ଗ ଚର୍ଚ୍ଚା ପରିସରଭୁକ୍ତ ହୋଇଥିଲା । ଫକୀରମୋହନ ଫାଉଣ୍ଡେସନ, ନୂଆଦିଲ୍ଲୀ ର ମ୍ୟାନେଜିଂ ଟ୍ରଷ୍ଟି ମନିକା ଦାସଙ୍କ ଲିଖିତ ଏହି ପୁସ୍ତକ ନିଶ୍ଚିତ ଭାବରେ ଯୁବପିଢ଼ିଙ୍କ ପାଇଁ ଉପାଦେୟ ହେବ ବୋଲି ଉପସ୍ଥିତ ବିଦ୍ବାନମାନେ ମତବ୍ୟକ୍ତ କରିଥିଲେ । ଏହି ଇଂରାଜୀ ପୁସ୍ତକଟିର ଓଡ଼ିଆ ଅନୁବାଦ ଯଥାଶୀଘ୍ର ଲୋକାର୍ପିତ ହେବ ବୋଲି ଶେଷରେ ସୂଚନା ପ୍ରଦାନ କରାଯାଇଥିଲା ।