ସିପିଆଇର ନିର୍ବାଚନ ଇସ୍ତାହାର ଉନ୍ମୋଚିତ

ଆସନ୍ତା ସପ୍ତଦଶ ଲୋକସଭା ଓ ଷୋଡ଼ଶ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ କମୁ୍ୟନିଷ୍ଟ
ପାର୍ଟି, ଓଡ଼ିଶା ରାଜ୍ୟ ପରିଷଦର ନିର୍ବାଚନ ଇସ୍ତାହାର ପ୍ରକାଶିତ ଓ ଉନ୍ମୋଚିତ ହୋଇଛି । ଆଜି ପୂର୍ବାହ୍ନରେ
ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ
ସଂପାଦକ ଆଶିଷ କାନୁନ୍ଗୋ, କେନ୍ଦ୍ର କାର୍ଯ୍ୟକାରୀ କମିଟି ସଭ୍ୟ ଦିବାକର ନାୟକ ଓ ରାଜ୍ୟ ସଂପାଦକମଣ୍ଡଳୀ
ସଭ୍ୟ ଡ଼ଃ ସୌରୀବଂଧୁ କର ଏହି ନିର୍ବାଚନ ଇସ୍ତାହାରକୁ ଉନ୍ମୋଚନ କରିଛନ୍ତି ।
ଏହି ନିର୍ବାଚନ ଇସ୍ତାହାରରେ ସିପିଆଇର ପ୍ରାର୍ଥୀମାନେ ବିଜୟଲାଭକରି ଲୋକସଭା ଓ ବିଧାନସଭାକୁ
ଗଲେ– କୃଷିଋଣ ଛାଡ଼ ସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ହଜାର ଟଙ୍କା ଧାର୍ଯ୍ୟ; ୬୦ ବର୍ଷରୁ ଉଦ୍ଧ୍ୱର୍
ଚାଷୀ ଓ ମୂଲିଆଙ୍କୁ ମାସିକ ୬ ହଜାର ଟଙ୍କା ଓ ଶ୍ରମିକଙ୍କୁ ୯ ହଜାର ଟଙ୍କା ପେନ୍ସନ୍; ମୂଲିଆ ମାନଙ୍କୁ ୩୦୦
ଦିନର କାମ; କ୍ଷୁଦ୍ର, ମଧ୍ୟମ ଓ କୁଟୀର ଶିଳ୍ପକୁ ପ୍ରେତ୍ସାହନ ଦେଇ ବ୍ୟାପକ କର୍ମ ନିଯୁକ୍ତି ସହ ଓଡ଼ିଶାରେ ୬ ମାସ
ମଧ୍ୟରେ ୩ଲକ୍ଷ ଯୁବକ-ଯୁବତୀଙ୍କୁ ସରକାରୀ ଚାକିରୀରେ ନିଯୁକ୍ତି; ବନ୍ଦ ହୋଇଯାଇଥିବା କେବିକେ ଯୋଜନାର
ପୁନଃ ପ୍ରଚଳନ; ପାର୍ଲାମେଣ୍ଟ-ବିଧାନସଭା ଓ ସରକାରୀ -ବେସରକାରୀ ଚାକିରୀରେ ମହିଳାଙ୍କ ପାଇଁ ୩୩ଭାଗ
ସଂରକ୍ଷଣ; ବିଧବା ଭତ୍ତା ୩ହଜାର ଟଙ୍କାକୁ ବୃଦ୍ଧି; ଶିକ୍ଷା କ୍ଷେତ୍ରରେ ମୋଟ ଜିଡ଼ିପିର ୧୦ଭାଗ ଓ ସ୍ୱାସ୍ଥ୍ୟପାଇଁ
୬ଭାଗ ବ୍ୟୟ ବରାଦ; ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ; ଅଙ୍ଗନୱାଡ଼ି, ଆଶା, ଶିକ୍ଷାକର୍ମୀ, ଶିକ୍ଷାସହାୟକ,
ଗାଁସାଥୀ, କୃଷକସାଥୀ, ମିଶନଶକ୍ତି, ପାଚିକା ଓ ଯୋଶଦା କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ
ପାଇଁ ସଂଗ୍ରାମ ଚଳାଇବା ସହିତ ସିପିଆଇ ଓ ବାମପନ୍ଥୀଙ୍କ ସମର୍ଥନରେ କେନ୍ଦ୍ର ଓ ରାଜ୍ୟରେ ସରକାର ହେଲେ
ବିକାଶର ଏହି ବିକଳ୍ପ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ହେବ ବୋଲି ଘୋଷଣା କରାଯାଇଛି ।
ଏହା ବ୍ୟତୀତ ଓଡ଼ିଶାରେ ଆସିକା ଲୋକସଭା ଏବଂ ଛତ୍ରପୁର, ବୌଦ୍ଧ ଓ ବ୍ରଜରାଜନଗର ବିଧାନସଭା
ନିର୍ବାଚନମଣ୍ଡଳୀରେ ସିପିଆଇ ପ୍ରାର୍ଥୀମାନଙ୍କୁ ଦାଆ-ଧାନ କେଣ୍ଡା ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରିବା ସହ
ଅନ୍ୟତ୍ର କଂଗ୍ରେସ, ସିପିଏମ୍ ଓ ଜେଏମ୍ଏମ୍ ପ୍ରାର୍ଥୀମାନଙ୍କୁ ଭୋଟ ଦେବାପାଇଁ ନିବେଦନ କରାଯାଇଛି ।

Share in top social networks!
Powered By Indic IME