ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ସମଗ୍ର ରାଜ୍ୟ ନିର୍ବାଚନୀ ବାତାବରଣରେ ସରଗରମ୍ ଥିବା ବେଳେ ଅନୁଭବୀ
ରାଜନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦୁଇଟି ନୂଆ ପୁସ୍ତକ ଲୋକାର୍ପିତ ହୋଇଛି ।
ଦଳମତ ନିର୍ବିଶେଷରେ ବହୁ ବୁଦ୍ଧିଜୀବି ରାଜଧାନୀରେ ଏକ ନିରାଡମ୍ବର ସମାବେଶରେ ଏକତ୍ରିତ ହୋଇ
ଏହି ପୁସ୍ତକର ଲୋକାର୍ପଣ କରିଛନ୍ତି ।
‘ସ୍ୱଚ୍ଛ ଶାସନର ଗହନ କଥା’ ଶୀର୍ଷକ ପୁସ୍ତକରେ ଶ୍ରୀ ହରିଚନ୍ଦନଙ୍କର ୨୬ଟି ସନ୍ଦର୍ଭ ରହିଛି । ଏଥିରେ ମଦ
ବିରୋଧୀ ଅଭିଯାନ ଠାରୁ ଆରମ୍ଭ କରି ପ୍ରେତ ଲୋକରୁ ଇତିଶ୍ରୀର ଚିଠି, କୁନ୍ଦୁଲି ପୀଡ଼ିତାର କରୁଣ ନିବେଦନ
ସମେତ ଟଙ୍କିକିଆ ଚାଉଳର ଯାଦୁ, ଚାଷୀ ଆତ୍ମହତ୍ୟା, ଚିଟ୍ଫଣ୍ଡ ଉପାଖ୍ୟାନ, ଆମେ ଗୁହାରି କରିବୁ
କାହାକୁ, ସ୍ୱପ୍ନ ବିଭୋର ଉଡ୍ରାଧିପତି, ଆମ ରାଜାଘର ଖାନା, କଳା ଓଢଣୀର କାଳଗ୍ରାସୀ ରୂପ ପ୍ରଭୃତି ସ୍ଥାନ
ପାଇଛି ।
ଶ୍ରୀ ହରିଚନ୍ଦନଙ୍କ ସଦ୍ୟ ଲୋକାର୍ପିତ ଅନ୍ୟ ପୁସ୍ତକଟି ହେଉଛି ‘ଏ ମାଟିର ଡାକ’ । ଏଥିରେ ୫୩ଟି ନିବନ୍ଧ
ରହିଛି । ମାଟି, ମା’, ମଣିଷ ଓ ଆମ ସରକାର, ମନ୍ତ୍ରୀ, ଚାକର ଓ ନିଷ୍ପ୍ରଭ ଗଣତନ୍ତ୍ର, ଜନତାର କାଠଗଡ଼ାରେ
ରାଜ୍ୟ ସରକାର, ନେତା, ନେତୃତ୍ୱ ଓ ନୈତିକତା, ସଂରକ୍ଷଣ ରାଜନୀତି, ରାଜ୍ୟ ଯୁବନୀତି, ଚାଷୀ ଆତ୍ମହତ୍ୟା,
ମାନବିକ ଅଧିକାର, ଶିକ୍ଷା ସମସ୍ୟା, ଭାଷା ସମସ୍ୟା, ପ୍ରଦୂଷଣଜନିତ ବିଭୀଷିକା, ମହାନଦୀ ବିବାଦ, ପାଇକ
ବିଦ୍ରୋହ, ବିପର୍ଯ୍ୟସ୍ତ ନ୍ୟାୟିକ ବ୍ୟବସ୍ଥା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏ ମାଟିର ଡାକରେ ରହିଛି ।
ଏଠାରେ ଉଲ୍ଲେଖନୀୟ ଯେ ତିନିମାସ ତଳେ ଶ୍ରୀ ହରିଚନ୍ଦନଙ୍କ ଆତ୍ମଜୀବନୀ ‘ସଂଗ୍ରାମ ସରିନାହିଁ’ ଲୋକାର୍ପିତ
ହୋଇଥିଲା ଏବଂ ଏବେ ଏହାର ଦ୍ୱିତୀୟ ସଂସ୍କରଣ ପ୍ରସ୍ତୁତି ଚାଲିଛି । ଏହା ପୂର୍ବରୁ ସେ ମହାସଂଗ୍ରାମର
ମହାନାୟକ ଓ ମରୁ ବତାଶ ଭଳି ପୁସ୍ତକ ରଚନା କରିଛନ୍ତି ।

Share in top social networks!
Powered By Indic IME