ଓଡିଶାର ବିକାଶ ପାଇଁ ଦରକାର ଓଡିଆ ଲୋକଙ୍କ ହୃଦୟ ବୁଝୁଥିବା, ଓଡିଆ ଭାଷା ବୁଝୁଥିବା ମୁଖ୍ୟମନ୍ତ୍ରୀ : ଅମିତ ଶାହ

ଏବେ ସମୟ ଆସିଛି ଓଡିଶାର ବିକାଶ ପାଇଁ ନିଷ୍ପତି ନେବା ପାଇଁ । ବହୁତ ହୋଇଗଲା ୧୯ ବର୍ଷର ଗୋଟିଏ ସ୍ଥାଣୁ ଓ ଅପାରଗ ସରକାର । ଏହି ନିର୍ବାଚନ ଦେଶ ଏବଂ ଓଡିଶାର ଭାଗ୍ୟ ନିର୍ଧାରଣ କରିବ । ଦେଶରେ କାହାର ଏବଂ ଭୁବନେଶ୍ୱରରେ କାହାର ସରକାର ହେବ ତାହା ସ୍ଥିର କରିବ । ସମସ୍ତ ସ୍ଥାନରେ ବିଜେପି ସରକାର କରିବ ବୋଲି ଲୋକ କହୁଛନ୍ତି । କେନ୍ଦ୍ରରେ ମୋଦୀଙ୍କ ସରକାର ହେବା ନିଶ୍ଚିନ୍ତ । ଓଡିଶାରେ ଓଡିଆ ଭାଇ ଭଉଣୀମାନେ ଏପରି ଏକ ମୁଖ୍ୟମନ୍ତ୍ରୀ ବାଛନ୍ତୁ ଯେ ଆପଣଙ୍କ ଭାଷା, ଦୁଃଖ ଏବଂ କଷ୍ଟକୁ ସହିପାରିବ । ଏହି ସଭାରୁ ଯିବା ପରେ ଏକ ସଂକଳ୍ପ ନେବାକୁ ପଡିବ କି ଇଂରାଜୀ କହୁଥିବା ଲୋକ ଚଳିବ ନାହିଁ । ୧୯ ବର୍ଷ ଶାସନ କଲେ ନବୀନ କିନ୍ତୁ ବିକାଶ ପାଇଁ କିଛି ହେଲାନାହିଁ । ଓଡିଶାର ବିକାଶ ପାଇଁ ଓଡିଆ ଲୋକଙ୍କ ହୃଦୟ ବୁଝୁଥିବା, ଓଡିଆ ଭାଷା ବୁଝୁଥିବା ମୁଖ୍ୟମନ୍ତ୍ରୀ ଦରକାର ବୋଲି ପାରଳାଖେମୁଣ୍ଡିରେ ବିଜେପିର ବିଜୟ ସଂକଳ୍ପ ସଭାରେ ଉଦବୋଧନ ଦେଇ କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ।
ଅମିତ କହିଛନ୍ତି ଯେ ମୋ ପାଇଁ ଆଜି ଏକ ସୌଭାଗ୍ୟର ଦିନ, ଏପ୍ରିଲ ୧ରେ ଓଡିଶା ଆସିଛି । ଆଜିର ଦିନରେ ଭାଷାଭିତିକରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ନିର୍ମାଣ ହୋଇଥିଲା । କିନ୍ତୁ ୧୯ ବର୍ଷ ଓଡିଶା ପାଇଁ ଦୁର୍ଭାଗ୍ୟର ବିଷୟ । ମୁଖ୍ୟମନ୍ତ୍ରୀ ଓଡିଆ ଭାଷା କହିପାରୁନାହାନ୍ତି । ବହୁତ ହୋଇଗଲା । ନବୀନଙ୍କ ସରକାରଙ୍କୁ ଫିଙ୍ଗିବାକୁ ହେବ ଏବଂ ଅଧିକ ଆସନରେ ପଦ୍ମ ଫୁଟାଇ ବିଜେପିର ସାଂସଦ ମାନଙ୍କୁ ଲୋକସଭା ପଠାଇବାକୁ ହେବ । ଓଡିଶାରେ ରୋଜଗାର ନପାଇ ଯୁବକମାନେ ବାହାରକୁ ଯାଉଛନ୍ତି । ବିଜେପି ସରକାର ଆସିଲେ ଓଡିଆ ଯୁବକ ରୋଜଗାର ପାଇଁ ଆଉ ବାହାରକୁ ଯିବେ ନାହିଁ । ରାଜ୍ୟରେ ମୋଦୀଙ୍କ ପ୍ରଧାନମନ୍ତ୍ରୀ ହେବା ପରେ ବହୁତ କାର୍ଯ୍ୟକ୍ରମ ହୋଇଛି । କିନ୍ତୁ ନବୀନ ସଉତୁଣୀ ଭଳି ବ୍ୟବହାର କରୁଛନ୍ତି । ଓଡିଶାର ଲୋକମାନେ କେନ୍ଦ୍ରୀୟ ଯୋଜନାର ସମ୍ପୃର୍ଣ୍ଣ ଲାଭ ପାଇ ପାରୁନାହାନ୍ତି ।
ଓଡିଶାରେ କଲେକ୍ଟର, ଏସପି, ନେତାମାନେ ଜନତାଙ୍କଠାରୁ କମିଶନ ନେଉଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କର ରତ୍ନଭଣ୍ଡାର ମଧ୍ୟ ସୁରକ୍ଷିତ ନୁହେଁ ନବିନ ବାବୁଙ୍କ ଶାସନରେ । ନବୀନଙ୍କୁ ଲାଗୁଛି ଏହା ଛୋଟ କଥା । କିନ୍ତୁ ଏହା ଓଡିଶାର ସମ୍ପତି ଏବଂ ସମୃଦ୍ଧି । ବିଜେଡି ଏଠାରେ ଶାସନ କରୁଛି । ଆଦିବାସୀ ଲୋକଙ୍କ ପଟ୍ଟା ଦେଇପାରୁ ନାହିଁ, ମହେନ୍ଦ୍ରତନୟା ଏବଂ ବଂଶଧରା ଯୋଜନା ଫେଲ ମାରିଛି, ରାୟଗଡାରୁ ପାରଳାଖେମୁଣ୍ଡି ଯାଏଁ ଜଳସେଚନ ଫେଲ ହୋଇଛି । ଗଜପତିରେ ଜନଜାତିଙ୍କୁ ମଧ୍ୟ ଉପେକ୍ଷା କରିଛି । ଶୁଦ୍ଧ ପାଣି ଯୋଗାଇବାରେ ମଧ୍ୟ ଓଡିଶାର ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଶ୍ରୀ ଶାହ କହିଛନ୍ତି ।
ଶାହା ଆହୁରି କହିଛନ୍ତି ଯେ, ହସ୍ପିଟାଲରେ ଡାକ୍ତର ନାହାନ୍ତି, ୨୪ ଘଂଟା ବିଜୁଳି ନାହିଁ, ଗ୍ରାମରେ ରାସ୍ତା ନାହିଁ । ନବୀନ ଦୁର୍ନୀତି ଛଡା ଆଉ କିଛି କରିନାହାନ୍ତି । ରାହୁଲ ଗାନ୍ଧି ଓଡିଶାକୁ ଆସୁଛନ୍ତି । ୧୦ ବର୍ଷ ସରକାରରେ ଥିଲେ କିନ୍ତୁ କଂଗ୍ରେସ ସରକାର ୮୦ହଜାର କୋଟି ଦେଇଥିଲା । ହେଲେ ମୋଦୀ ସରକାର ୫ବର୍ଷରେ ୫ଲକ୍ଷ ୫୬ହଜାର ୫୬୫କୋଟି ଟଙ୍କା ଦେଇଛନ୍ତି । ରେଳବାଇ ପାଇଁ ୪୩ହଜାର କୋଟି, ଜଳମାର୍ଗ ପାଇଁ ୨୦୦୦କୋଟି, ଅମୃତ ଯୋଜନା ପାଇଁ ୧୫୯୦ ଏବଂ ସାଗରମାଳା ପାଇଁ ୨୫ହଜାର କୋଟି ଟଙ୍କା ପ୍ରଦାନ ହୋଇଛି । ଉଜ୍ଜଳା ଯୋଜନାରେ ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ମିଳିଛି । ୪୮ଲକ୍ଷ ମହିଳାଙ୍କୁ ଓଡିଶାରେ ମାଗଣା ଗ୍ୟାସ ମିଳିଛି । ଦେଶରେ ୭କୋଟି ଗ୍ୟାସ ମିଳିଛି । ୮କୋଟି ପରିବାରରେ ଶୌଚାଳୟ କରାଯାଇଛି । ୨କୋଟି ୩୫ ଲକ୍ଷଙ୍କ ଘରେ ପହଁଚାଯାଇଛି ।
ଓଡିଶାକୁ ଏକ ଯୁବ ମୁଖ୍ୟମନ୍ତ୍ରୀ ଦରକାର । ବିକାଶର ରାସ୍ତାକୁ ନେବା ଭଳି ମୁଖ୍ୟମନ୍ତ୍ରୀ ଦରକାର । କେନ୍ଦ୍ରରୁ ଟଙ୍କା ଆସୁଛି କିନ୍ତୁ ତଳସ୍ତରରେ ପହଁଚୁନାହିଁ କାରଣ ନବୀନଙ୍କ ଅଫିସର ଏହାକୁ ବାଟମାରଣା କରୁଛନ୍ତି । ଏହି ବ୍ୟବସ୍ଥା ବଦଳିବା ଦରକାର । ଦେଶ ଏବଂ ରାଜ୍ୟରେ ଡବଲଇଂଜିନର ବ୍ୟବସ୍ଥା କରିବା ଦରକାର ବୋଲି ଶ୍ରୀ ଶାହ କହିଛନ୍ତି ।
ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ବଳିଦାନକୁ ଓଡିଶାର ଲୋକ କେବେ ଭୁଲି ପାରିବେ ନାହିଁ । କଂଗ୍ରେସ ଦଳ ସମଝୋତା ଏକ୍ସପ୍ରେସକୁ ନେଇ ଯେଉଁ ରାଜନୀତି କରୁଥିଲା ତାହାର ସତ୍ୟ ଦେଶର ଜନତା ଜାଣି ସାରିଲେଣି । ରାହୁଲ ଗାନ୍ଧି ହିନ୍ଦୁଙ୍କୁ ଆତଙ୍କବାଦୀ କହୁଛନ୍ତି । କଂଗ୍ରେସ ଭୋଟବ୍ୟାଙ୍କ ପାଇଁ ହିନ୍ଦୁ ମାନଙ୍କୁ ଆତଙ୍କବାଦି ଆଖ୍ୟା ଦେଇପାରେ । ଦେଶର ସୁରକ୍ଷା ସହ କଂଗ୍ରେସ ସାଲିସ କରିଛି । ପୁଲୱାମାକୁ ନେଇ ଭାରତ ପାକ୍ ଘରେ ପଶି ଆକ୍ରମଣ କଲା କିନ୍ତୁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ପାକିସ୍ତାନ ସହ କଥା ମିଳାଇ ସେନାକୁ ପ୍ରମାଣ ମାଗୁଛନ୍ତି । ଆତଙ୍କବାଦୀ ଗୁଳି ଚଳାଇଲେ ଆମେ ବୋମା ମାଡ କରି ଏହାର ଜବାବ ଦେବୁ । ମୋଦୀ ୨୪ ଘଂଟାରୁ ୧୮ଘଂଟା କାମ କରନ୍ତି । ସେ ଜଣେ ପ୍ରାମାଣିକ, ପାରଦର୍ଶୀ ପ୍ରଧାନମନ୍ତ୍ରୀ । ଆଜି ଭାରତର ଗୌରବ ବୃଦ୍ଧି ପାଇଛି । ବିଜେପିକୁ ଗୋଟିଏ ସୁଯୋଗ ଦିଆଯାଉ । ୫ ବର୍ଷରେ ଦେଶରେ ଏକ ନମ୍ବର ରାଜ୍ୟ ହେବ ଓଡିଶା ବୋଲି ଶ୍ରୀ ଶାହ କହିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପ ସଭାପତି ଓ ମୁଖପାତ୍ର ଶ୍ରୀ ବୈଜୟନ୍ତ ପଣ୍ଡା, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗୋ, ବରିÂ ନେତା ଦାମୋଦର ରାଉତ, ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀ, ଜିଲ୍ଲା ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME