ରକ୍ତଚାଉଳ ଧରି ପଣ କରିଛନ୍ତି ଡଙ୍ଗରିଆ, ଛାଡିବେନି ନିୟମଗିରି

କଳାହାଣ୍ଡି ଜିଲ୍ଲାର ନିୟମଗିରି ଉପରେ ବସବାସ କରୁଥିବା ଡଙ୍ଗରିଆ ଆଦିବାସୀମାନେ ପାରମ୍ପରିକ ଶୈଳୀରେ ନିୟମଗିରି ପର୍ବତ ଶିଖରରେ ନିୟମରାଜାଙ୍କ ପୂଜା କରିଛନ୍ତି । ଆଦିମ ଜନଜାତି ଏହି ଡଙ୍ଗରିଆ ମାନେ ପ୍ରକୃତିର ଉପାସକ ଏବଂ ଭୂମି ମାତଙ୍କୁ ଧରନୀ ପେନୁ, ଡଙ୍ଗର ଦେବତାଙ୍କୁ ହୋରୁପେନୁ, ଝରଣାକୁ ଏୟୁ ପେନୁ ଭାବେ ଉପାସନା କରି ପୂଜା କରିଥାନ୍ତି । ନିୟମଗିରି ପାହାଡ ହିଁ ତାଙ୍କର ନିୟମରାଜା ଦେବତା ବୋଲି ସେମାନଙ୍କ ଦୃଢ ବିଶ୍ୱାସ । ସେଥିପାଇଁ କେଉଁ ଅନାଦି କାଳରୁ ନିୟମରାଜା ପୂଜା କରିଆସୁଛନ୍ତି ଏହି ଡଙ୍ଗରିଆ ଆଦିବାସୀ ମାନେ । ନିୟମଗିରିକୁ ନେଇ ଡଙ୍ଗରିଆ ଆଦିବାସୀ ମାନଙ୍କ ଜୀବନ ଜୀବିକା ଓ ସଂସ୍କୃତି ପରିପୂର୍ଣ୍ଣ ଏବଂ ନିୟମଗିରି ସେମାନଙ୍କ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ । ହେଲେ ଦୁର୍ଭାଗ୍ୟକୁ ଏହି ନିୟମଗିରି ପାହାଡ ତଳେ ଭରି ରହିଛି ବହୁ ମୂଲ୍ୟବାନ ଖଣିଜ ପଥର ଯାହା ଉପରେ ବିଭିନ୍ନ କମ୍ପାନୀ ଓ ସରକାରଙ୍କ ଲୋଲୁପ ଦୃଷ୍ଟି ପଡିଛି । ଅବଶ୍ୟ ମାନ୍ୟବର ଅଦାଲତଙ୍କ ହସ୍ତକ୍ଷେପ ପରେ ୨୦୧୩ ମସିହାରେ କଳାହାଣ୍ଡିର ୫ଟି ଓ ରାୟଗଡାର ୭ଟି ଗ୍ରାମରେ ଗ୍ରାମସଭା କରି ଗ୍ରାମସଭାର ନିଷ୍ପତିକ୍ରମେ କେହି ଖଣି ଖନନ କରିପାରିବେ ନାହିଁ ବୋଲି ନିଷ୍ପତି ନିଆଯାଇଥିଲା ଏବଂ ଏହାକୁ ସର୍ବୋଚ୍ଚ ଅଦାଲତ ମଧ୍ୟ ଗ୍ରହଣ କରିଥିଲେ ।
ନିୟମଗିରି ସୁରକ୍ଷା ସମିତିର ଡାକରାରେ ପ୍ରତିବର୍ଷ ଫେବୃଆରୀ ମାସର ଶେଷ ସପ୍ତାହରେ ତିନି ଦିନ ଧରି ନିୟମରାଜା ପୂଜା ପର୍ବ ଆୟୋଜିତ ହୋଇଥାଏ । ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ନିୟମରାଜା ପୂଜା ପର୍ବରେ ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ଶହ ଶହ ଡଙ୍ଗରିଆ ଯୋଗ ଦେଇଥିଲେ । ସେମାନେ ମାଟିପୂଜା, ଜଳପୂଜା କରିବା ପରେ ନିୟମରାଜାଙ୍କ ଠାରେ ବୋଦା,ଘୁଷୁରୀ,କୁକୁଡା ଆଦି ବଳି ଦେଇଥିଲେ । ଡଙ୍ଗରିଆ ମାନେ ନାରୀ ଜାତିକୁ ଅଗ୍ରାଧିକାର ଦେଉଥିବାରି ପ୍ରଥମେ ଦିନବେଳା ନିୟମରାଜାଙ୍କୁ ବେଜେନ (ନାରୀ ପୂଜକ) ମାନେ ପୂଜାର୍ଚ୍ଚନା କରିବା ପରେ ରାତିରେ ଜାନୀ (ପୁରୁଷ ପୂଜକ) ମାନେ ପୂଜା କରିଥିଲେ । ତାପରେ ଡଙ୍ଗରିଆ ମାନେ ଦଳ ଦଳ ହୋଇ ଦେବତା ସ୍ଥଳ ବା ଦେବତା ଗୁଡି (ପାରମ୍ପରିକ ପୂଜାସ୍ଥଳ) ପାଖରେ କୁଇ ଭାଷାରେ ଢାପ ଓ ନିଶାନର ତାଳେ ତାଳେ ଗୀତ ଗାଇ ଗାଇ ନାଚିଥିଲେ । ନିୟମଗିରିର ସୁରକ୍ଷା ପାଇଁ ପ୍ରତିବଦ୍ଧତାର ସ୍ୱର ଥିଲା ସେହି ଗୀତର ସାରମର୍ମ । ଏପରିକି ଧାଙ୍ଗଡା ଧାଙ୍ଗଡି ମାନଙ୍କ ପ୍ରେମର ପହଲି ସ୍ପର୍ଶରେ ମଧ୍ୟ ସେମାନେ ମସଗୁଲ ହୋଇ ନାଚଗୀତ କରିଥାନ୍ତି । ଏହି ନିୟମରାଜା ପର୍ବ ଅବସରରେ ଡଙ୍ଗରିଆମାନେ ପୂଜା କରାଯାଇଥିବା ରକ୍ତ ଚାଉଲ, ସିନ୍ଦୁର ଧରି ନୋୟମଗିରିକୁ କୌଣସି ହାଲତରେ ଛାଡିବୁ ନାହିଁ ବୋଲି ବଜ୍ରଶପଥ ନେଇଥିଲେ । ଏହି ନିୟମଗିରି ସେମାନଙ୍କ ଜୀବନ ଦେଇଛି, ବଂଚିବାକୁ ସବୁ ପ୍ରକାର ରାହା ଯୋଗାଇଛି ତାକୁ ଛାଡି ଆମେ ଘଡିଏ ମଧ୍ୟ ରହି ପାରିବୁ ନାହିଁ ବୋଲି ଡଙ୍ଗରିଆ କନ୍ଧମାନେ ଶପଥ ନେଇଥିଲେ । ନିୟମଗିରି ରେ ଜଣେ ମଧ୍ୟ ଡଙ୍ଗହରିଆ ଆଦିବାସୀ ଥିବା ପର୍ଯ୍ୟନ୍ତ ଆମେ କେବେ ହେଲେ ନିୟମଗିରିକୁ ଛାଡି ପାରିବୁ ନାହିଁ ବୋଲି ଆଦିବାସୀମାନେ ଶପଥ ନେଇଛନ୍ତି ।

Share in top social networks!
Powered By Indic IME