ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ ହେଲା ଓଡିଶା ରିଲାଏନ୍ସ ଜିଓ

ଭୁବନେଶ୍ୱର, ୨୯ ସେପ୍ଟେମ୍ବର: ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଯୋଡିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ ହୋଇ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅବସ୍ଥିତ ଜିଓ କେନ୍ଦ୍ର କର୍ମଚାରୀମାନେ କେନ୍ଦ୍ର ନିକଟସ୍ଥ ଅଂଚଳ, ସ୍କୁଲ, ଅଙ୍ଗନବାଡି, ପାର୍କ ଆଦି ସର୍ବସାଧାରଣ ସ୍ଥାନରେ ସଫେଇ କାର୍ଯ୍ୟ କରିଛନ୍ତି ।

ଜିଓ ପକ୍ଷରୁ କରାଯାଉଥିବା ଏହି ସପ୍ତାହବ୍ୟାପୀ ସଫେଇ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗତ ସପ୍ତାହରେ ଆରମ୍ଭ ହୋଇଥିବା ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ଅଭ୍ୟାସ ସୃଷ୍ଟି କରିବା ଲକ୍ଷ୍ୟରେ ଜାରି ରହିଛି। ଏହି କ୍ରମରେ ଚଳିତ ସପ୍ତାହରେ ଓଡ଼ିଶାର ସବୁ ଜିଲ୍ଲାରେ ରହିଥିବା ୩୧ଟି ଜିଓ କେନ୍ଦ୍ର ଏବଂ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟର କର୍ମଚାରୀମାନେ ନିଜ ନିଜ ଅଞ୍ଚଳରେ ସଫେଇ ଅଭିଯାନରେ ସାମିଲ ହୋଇଛନ୍ତି । ଏଥିସହିତ ସମସ୍ତ କେନ୍ଦ୍ର ଏବଂ ଅଫିସରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଶୁକ୍ରବାର ଅପରାହ୍ନରେ କଟକ ଜିଓ କେନ୍ଦ୍ରର ଏକ ୩୦ ଜଣିଆ ଦଳ ଝାଡୁ, ଅଳିଆ ଉଠା ସରଞ୍ଜାମ, ଗ୍ଲୋବସ ଓ ମାସ୍କ ଭଳି ସୁରକ୍ଷା ଉପକରଣ ନେଇ ବିଡାନାସୀ ପ୍ରାଥମିକ ବିଦ୍ୟାଳୟ ହତା ଏବଂ ଚାରିପଟ ଅଞ୍ଚଳରେ ଝାଡୁ ଦ୍ୱାରା ସଫେଇ କରିବା ସହ ପାଣି ଜମିଥିବା ପାଚେରୀ କଡ଼ ଓ ଖୋଲା ସ୍ଥାନ ସଫା କରି ବ୍ଳଚିଂଗ ଗୁଣ୍ଡ ସିଞ୍ଚନ କରିଥିଲେ ।

ସେହିଭଳି ଆଜି ଜିଓ ତାଳଚେର କର୍ମଚାରୀମାନେ ରେଳଷ୍ଟେସନ ଅଂଚଳରେ ସଫେଇ କାର୍ଯ୍ୟ କରିଥିବା ବେଳେ ଭବାନୀପାଟଣା କର୍ମଚାରୀମାନେ ଜିଓ କେନ୍ଦ୍ର ନିକଟସ୍ଥ ଅଂଚଳ ସମେତ ସହରର ବାହାଦୂରପଡା ଅଂଚଳରେ ଏକ ଅଙ୍ଗନବାଡି କେନ୍ଦ୍ରରେ ସଫେଇ କାର୍ଯ୍ୟ କରିଛନ୍ତି । ପୁରୀ ବେଳାଭୂମିରେ ଜିଓ କର୍ମଚାରୀମାନେ ପଲିଥିନ ଓ ପ୍ଲାଷ୍ଟିକ ସଫା କରିବା ସହିତ ଏଥିନେଇ ଉଠାଦୋକାନୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ଅନ୍ୟାନ୍ୟ ଅଂଚଳ ମଧ୍ୟରେ ଢେଙ୍କାନାଳ, ବଲାଙ୍ଗୀର, ଝାରସୁଗୁଡା, ରାଉରକେଲା, ସମ୍ବଲପୁର, ବଡ଼ବିଲ, ଭଦ୍ରକ, ଭୁବନେଶ୍ୱର, ବାରିପଦା, ରାଜଗାଙ୍ଗପୁର, ସୁନ୍ଦରଗଡ, ସୁନାବେଡା, ଖୋର୍ଦ୍ଧା, ଜଟଣୀ, ଅନୁଗୁଳ, କେନ୍ଦୁଝର, କେନ୍ଦ୍ରାପଡା, ବ୍ରହ୍ମପୁର, ବ୍ରଜରାଜନଗର, ଯାଜପୁର ରୋଡ଼ ଆଦି ସ୍ଥାନରେ ଜିଓ କର୍ମଚାରୀଙ୍କ ଦ୍ୱାରା ଏହିଭଳି ସଫେଇ କାର୍ଯ୍ୟ କରାଯାଇଥିବା ବେଳେ କେତେକ ସ୍ଥାନରେ ଆସନ୍ତାକାଲି ସଫେଇ କାର୍ଯ୍ୟକ୍ରମର ଯୋଜନା ରଖାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ ଅନୁଯାୟୀ ସ୍ୱଚ୍ଛତା ଅଭିଯାନ ଜରିଆରେ ପ୍ରାୟ ତିନି ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ଏବଂ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟାରେ ୩୦ ପ୍ରତିଶତ ହ୍ରାସ ହୋଇପାରିବ ।

Share in top social networks!
Powered By Indic IME