ଆସନ୍ତାକାଲିଠାରୁ ଆରମ୍ଭ ହେବ ଓଡ଼ିଆ ଭାଷାରେ ସଂଗ୍ରହାଳୟ ପଦଯାତ୍ରା

ଓଡ଼ିଶାର ଅନନ୍ୟ ହସ୍ତଶିଳ୍ପ ଓ ହସ୍ତତନ୍ତର ପ୍ରତ୍ୟକ୍ଷ ଅନୂଭବ ନେବାପାଇଁ ଇଚ୍ଛା ରଖିଥିବା ଓଡ଼ିଆ ଲୋକମାନଙ୍କ ପାଇଁ ଏକ ଖୁସିର ଖବର ନେଇଆସିଛି ଭୁବନେଶ୍ୱରର ଗଣ୍ଡମୂଣ୍ଡାସ୍ଥିତ ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୁମି ।
କଳାଭୁମି ପକ୍ଷରୁ ନିକଟରେ ଆରମ୍ଭ କରାଯାଇଥିବା ଲୋକପ୍ରିୟ ସଂଗ୍ରହାଳୟ ପଦଯାତ୍ରାରେ ଆଉ ଏକ ନୂଆ ଫର୍ଦ ଯୋଡ଼ି ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଆ ଭାଷାରେ ବିଶ୍ଳେଷଣ ସହିତ ଦୈନିକ ସଂଗ୍ରହାଳୟ ପଦଯାତ୍ରା । ଏକାମ୍ର ପଦଯାତ୍ରାର ଅଂଶଭାବରେ ପ୍ରତି ରବିବାର ଅପରାହ୍ନରେ ଆୟୋଜିତ ହେଉଥିବା ବର୍ତମାନର ସାପ୍ତାହିକ ସଂଗ୍ରହାଳୟ ପଦଯାତ୍ରାରେ ବିଭିନ୍ନ ହସ୍ତଶିଳ୍ପର ଇଂରାଜୀରେ ବିଶ୍ଳେଷଣ ପ୍ରଦାନ କରାଯାଉଥିବା ବେଳେ ଆସନ୍ତା କାଲିଠାରୁ ଏକ ଭିନ୍ନ ସମୟରେ ଓଡ଼ିଆ ଭାଷାରେ ବର୍ଣ୍ଣନା ଆରମ୍ଭ ହେବା ଦ୍ୱାରା ଓଡ଼ିଆରେ ଶୁଣିବାକୁ ଇଚ୍ଛା ରଖୁଥିବା ଦର୍ଶକ ଉପକୃତ ହେବେ । ପ୍ରତି ସପ୍ତାହର ସୋମବାର ଦିନ ସଂଗ୍ରହାଳୟ ବନ୍ଦ ରହୁଥିବାବେଳେ ଅନ୍ୟ ସବୁଦିନ ପଦଯାତ୍ରା ସୂତ୍ରଧର (ଗାଇଡ୍)ଙ୍କ ଓଡ଼ିଆ ଭାଷ୍ୟ ସହିତ ସଂଗ୍ରହାଳୟ ପଦଯାତ୍ରା ଅପରାହ୍ନ ୩ ଟାରୁ ୪ ଟା ପର୍ଯ୍ୟନ୍ତ ଜାରି ରହିବ ।
ଓଡ଼ିଆ ଭାଷାରେ ହେବାକୁ ଯାଉଥିବା ଏହି ସଂଗ୍ରହାଳୟ ପଦଯାତ୍ରାରେ କଳାଭୁମିରେ କାର୍ଯ୍ୟରତ ଦୁଇଜଣ କ୍ୟୁରେଟର ଗାଇଡ୍ଭାବେ ଦାୟିତ୍ୱ ନିର୍ବାହ କରିବେ ଏବଂ ଏହା ସମ୍ପୂର୍ଣ୍ଣଭାବେ ସଂଗ୍ରହାଳୟ କତୃପକ୍ଷଙ୍କଦ୍ୱାରା ପରିଚାଳିତ ହେବ । ଏଥିସହିତ ସୁମଧୁର ସଙ୍ଗୀତ ଓ ବାଦ୍ୟର ତାଳେ ତାଳେ ଦର୍ଶକମାନେ ସଂଗ୍ରହାଳୟର କଳାକୃତି ସଙ୍ଗେ ପରିଚିତ ହୋଇପାରିବେ ।
କଳାଭୁମି ପକ୍ଷରୁ ଏଯାଏଁ ଅନୁÂିତ ହୋଇଥିବା ୯ ଟି ସାପ୍ତାହିକ ସଂଗ୍ରହାଳୟ ପଦଯାତ୍ରାରେ ୫୦୦ ରୁ ଅଧିକ ଦର୍ଶକ ଭାଗନେବା ସହିତ କଳାଭୁମିର ଉଚ୍ଚକୋଟୀର କଳା ସଂଗ୍ରହରେ ଅଭିଭୁତ ହୋଇଛନ୍ତି । ସଂଗ୍ରହାଳୟ ଭ୍ରମଣ କରୁଥିବା ଓଡ଼ିଆ ଦର୍ଶକମାନଙ୍କ ମଧ୍ୟରେ ନିଜ ମାତୃଭାଷାରେ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ବିଷୟରେ ଶୁଣିବାର ଆଗ୍ରହକୁ ଦୃଷ୍ଟିରେ ରଖି କଳାଭୁମି ପକ୍ଷରୁ ଓଡ଼ିଆରେ ଏହି ସଂଗ୍ରହାଳୟ ପଦଯାତ୍ରା ଆରମ୍ଭ କରାଯାଇଥିବା ସୂଚନା ଦିଆଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କତୃପକ୍ଷ, ପର୍ଯ୍ୟଟନ ବିଭାଗ ଏବଂ ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗର ମିଳିତ ଆନୁକୁଲ୍ୟରେ ଏକାମ୍ର ପଦଯାତ୍ରାର ଅଂଶଭାବରେ ପ୍ରତି ରବିବାର ଅପରାହ୍ନ ୩.୩୦ ରୁ ୫ ଟା ଯାଏଁ ଅନୁÂିତ ହେଉଥିବା ସଂଗ୍ରହାଳୟ ପଦଯାତ୍ରାକୁ ଡିଟୁର୍ ଓଡ଼ିଶା ସଂଯୋଜନା କରିଛି ।
ଆଗାମୀ ଦିନରେ ସୋମବାରକୁ ଛାଡ଼ି ଅନ୍ୟଦିନମାନଙ୍କରେ ପୂର୍ବାହ୍ନରେ ଇଂରାଜୀ ଭାଷ୍ୟ ସହିତ ସଂଗ୍ରହାଳୟ ପଦଯାତ୍ରା ଆରମ୍ଭ କରିବା ପାଇଁ କଳାଭୁମି ପକ୍ଷରୁ ଯୋଜନା ରହିଥିବା ଜଣାଯାଇଛି ।
ଉଲ୍ଲେଖନୀୟଯେ ସଂଗ୍ରହାଳୟ ପଦଯାତ୍ରା ସମ୍ପୂର୍ଣ୍ଣ ଦେୟମୁକ୍ତ ହୋଇଥିବାବେଳେ ଅଂଶଗ୍ରହଣକାରୀମାନଙ୍କୁ କେବଳ ସଂଗ୍ରହାଳୟ ପ୍ରବେଶ ଶୁଳ୍କ ଦେବାକୁ ପଡ଼ିଥାଏ । ବୟସ୍କ ମାନଙ୍କ ପାଇଁ ପ୍ରବେଶ ଶୁଳ୍କ ୫୦ ଟଙ୍କା ରହିଥିବା ବେଳେ ପରିଚୟ ପତ୍ର ରଖିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଜଣ ପିଛା ୨୦ ଟଙ୍କା ଏବଂ ୧୨ ବର୍ଷରୁ କମ୍ ପିଲାମାନଙ୍କ ପାଇଁ କୌଣସି ପ୍ରବେଶ ଶୁଳ୍କ ରଖାଯାଇନାହିଁ ।