ବିଶ୍ୱ କପ୍ ହକି ପୂର୍ବରୁ ସଡ଼କ ସୌନ୍ଦର୍ଯ୍ୟକରଣ; ବିଡ଼ିଏ ପକ୍ଷରୁ ୪୦ କିମି ମୁଖ୍ୟ ରାସ୍ତାରେ ଉଦ୍ୟାନୀକରଣ ଯୋଜନା

ବିଶ୍ୱ କପ୍ ହକି ଆୟୋଜନର ଅବ୍ୟବହିତ ପୂର୍ବରୁ ସହରର ପ୍ରମୁଖ ସଡ଼କଗୁଡ଼ିକରେ ବ୍ୟାପକ ଉଦ୍ୟାନୀକରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜରିଆରେ ରାଜଧାନୀର ୪୦ କିମି ରସ୍ତାର ସୌନ୍ଦର୍ଯ୍ୟକରଣ ପାଇଁ ଭୁବନେଶ୍ୱର ଉନ୍ନୟନ କତୃପକ୍ଷଙ୍କ ପକ୍ଷରୁ ଯୋଜନା କରାଯାଇଛି ।

ଏଥିନେଇ ଆନୁÂାନିକ ପ୍ରକ୍ରିୟା ଆରମ୍ଭ କରି ବିଡ଼ିଏ ପକ୍ଷରୁ ଖୁବ୍ଶୀଘ୍ର ଟେଣ୍ଡର ପ୍ରକାଶ କରାଯିବ । ସହରର ବିଭିନ୍ନ ପ୍ରମୁଖ ସଡ଼କ ଓ ଟ୍ରାଫିକ ଛକ, ରାସ୍ତା ମିଡ଼ିଆନ୍ ଇତ୍ୟାଦିରେ ଉଦ୍ୟାନୀକରଣ କରାଯାଇ ବିବିଧ ପ୍ରକାରର ଗଛ, ଗଛ କୁଣ୍ଡ, ବାଡ଼ ଓ ଡଷ୍ଟବିନ୍ ଇତ୍ୟାଦି ରଖାଯିବ । ସବୁଜିକରଣ ପ୍ରକ୍ରିୟାରେ ପୁଷ୍ପ ଶଯ୍ୟା, ଘାସ ଲନ୍, ବୁଦାଳିଆ ଗଛ, ସବୁଜ ବାଡ଼ ଏବଂ ବିଭିନ୍ନ କିସମର ଗଛ ରୋପଣ କରାଯିବ । ତେବେ ଟେଣ୍ଡର ପ୍ରକ୍ରିୟାରେ ଚୁଡ଼ାନ୍ତ ହେବାକୁଥିବା ସଂସ୍ଥା ବୃକ୍ଷରୋପଣ, ଜଳ ସିଞ୍ଚନ, ରକ୍ଷଣାବେକ୍ଷଣ ସମେତ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଚାରିବର୍ଷ ଯାଏଁ ତଦାରଖ କରିବା ସହିତ ଯଥେଷ୍ଟ ସଂଖ୍ୟାରେ ମାଳୀ ନିଯୁକ୍ତ କରି ଉପଯୁକ୍ତ ଯତ୍ନ ନେବା ବ୍ୟବସ୍ଥା କରିବେ ।

ସାଧାରଣତଃ ଗାଇଗୋରୁ ଖାଉନଥିବା ଟାଣ କିସମର ଗଛ ଓ ଘାସ ରୋପଣ କରାଯିବା ପାଇଁ ଯୋଜନା ରଖାଯାଇଛି । ଅଧିକାଂଶ ସ୍ଥାନୀୟ ପ୍ରଜାତିର ଗଛଗୁଡ଼ିକୁ ଉଦ୍ୟାନୀକରଣ ପ୍ରକ୍ରିୟାରେ ସାମିଲ୍ କରାଯାଇଥିବାବେଳେ କାଠ ଚମ୍ପା, ରେନ୍ ଟ୍ରି, ଏବଂ ବିଭିନ୍ନ କିସମର ପାମ୍ ଗଛ ସମେତ ଅନ୍ୟନ୍ୟ ଗଛ ମଧ୍ୟ ରୋପଣ କରାଯିବ ।

ଉଦ୍ୟାନୀକରଣ ଯୋଜନା କରାଯାଇଥିବା ପ୍ରମୁଖ ରାସ୍ତାଗୁଡ଼ିକ ମଧ୍ୟରେ ରହିଛି ଶିଶୁ ଭବନ ଛକରୁ ରାମ ମନ୍ଦିର ଛକ, ବିମାନବନ୍ଦର ନିକଟସ୍ଥ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଠାରୁ କିଟ୍ ଛକ ଯାଏଁ ରାସ୍ତା, ରାଜମହଲ ଛକରୁ ଏଜି ଛକ, ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ, ଏୟାରପୋର୍ଟ ଛକରୁ ଶିଶୁଭବନ ଛକ, ଉଦ୍ୟାନ ମାର୍ଗ, ରାଜଭବନ ଛକରୁ ଶିରପୁର ଛକ, ଆଚାର୍ଯ୍ୟ ବିହାର ଛକରୁ କଳିଙ୍ଗ ହସ୍ପିଟାଲ୍ ଛକ, ଆଚାର୍ଯ୍ୟ ବିହାର ଠାରୁ ବରମୁଣ୍ଡା ବସ୍ ଷ୍ଟାଣ୍ଡ, ଏକାମ୍ର ଛକରୁ ଶିରିପୁର ଛକ ଏବଂ ଏକାମ୍ର ଛକରୁ ପଳାଶପଲ୍ଲୀ ଛକ ରାସ୍ତା ଇତ୍ୟାଦି ।

ସେହିପରି ଉଦ୍ୟାନୀକରଣ ହେବାକୁ ଥିବା ବିଭିନ୍ନ ଟ୍ରାଫିକ୍ ଛକ ମଧ୍ୟରେ ରହିଛି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରହିଥିବା ଏୟାରପୋର୍ଟ ଗୋଲେଇ, ଏକାମ୍ର ଛକ ଟ୍ରାଫିକ୍ ସନ୍ନିକଟ ସ୍ଥାନ ସମୂହ, ଏଜି ଛକ ଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଚାରିପାଖ ସ୍ଥାନ, ଗଭର୍ଣ୍ଣର ହାଉସ୍ ଛକସ୍ଥିତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଚାରିପାଖ ସ୍ଥାନ, ପାୱର୍ ହାଉସ୍ ଜଙ୍କସନ୍, ଜୟଦେବ ବିହାର ଛକ ଓ ସନ୍ନିକଟ ଅଂଚଳ, କଳିଙ୍ଗ ହସ୍ପିଟାଲ୍ ଛକ ଓ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ଚାରିପାଖ ସ୍ଥାନ, କିଟ୍ ଛକ, ମାଷ୍ଟର କ୍ୟାଣ୍ଟିନ ୍ ଗୋଲେଇ, ରାମମନ୍ଦିର ଛକ, ବାଣୀବିହାର ଛକ, ଗୋପବନ୍ଧୁ ଛକ, କ୍ୟାପିଟାଲ୍ ହସ୍ପିଟାଲ୍ ଛକ, ପିଏମ୍ଜି ଅଫିସ୍ ଛକ, ନିକୋପାର୍କ ଛକ, ଆଚାର୍ଯ୍ୟ ବିହାର ଛକ, ଡମଣା ଛକ, ଇନ୍ଫୋସିଟି ଛକଏବଂ ଦ ୱାର୍ଲ୍ଡ ଛକ ଇତ୍ୟାଦି ।

Share in top social networks!
Powered By Indic IME