ଆଞ୍ଚଳିକ ପରିବହନ ଅଧିକାରୀ ଗିରଫ

ଭୁବନେଶ୍ୱର,୬ା୭: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଢେଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ବେହେରାଙ୍କୁ ଗିରଫ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଶ୍ରୀ ବେହେରାଙ୍କ କଟକସ୍ଥିତ ସରକାରୀ ବାସଭବନ, ଭୁବନେଶ୍ୱର ଡୁମୁଡୁମାରେ ଥିବା ଫ୍ଲାଟ, କଟକ ରାଣୀହାଟ ବାସଭବନ, ଯାଜପୁରସ୍ଥିତ ସମ୍ପର୍କୀୟଙ୍କ ବାସଭବନ, ଢେଙ୍କାନାଳ କାର୍ଯ୍ୟାଳୟ ଉପରେ ଏକସଙ୍ଗେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଥିଲା । ଚଢଉ ବେଳେ ଶ୍ରୀ ବେହେରାଙ୍କ ଏକ ଫ୍ଲାଟ, କଟକ ଓ ଭୁବନେଶ୍ୱରରେ ୭ଟି ପ୍ଲଟ, ୪ଟି ଦାମୀ କାର, ବ୍ୟାଙ୍କ ଜମା, ସୁନା ଅଳଙ୍କାର, ନଗଦ ଅର୍ଥ ଜବତ ହୋଇଥିଲା । ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩ କୋଟି, ୮୫ଲକ୍ଷ, ୭୫ହଜାର ୩୨୬ ଟଙ୍କା ଆକଳନ କରାଯାଇଥିଲା । ତେବେ ଯାଞ୍ଚ ପରେ ଶ୍ରୀ ବେହେରା ଓ ତାଙ୍କ ପତ୍ନୀ ଆୟବ୍ୟୟ ହିସାବ ପରେ ୨.୯୭ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଆକଳନ କରାଯାଇଥିଲା । ଶ୍ରୀ ବେହେରାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁସାରେ ମାମଲା ରୁଜୁ ହେବା ସହ ତାଙ୍କୁ ଗିରଫ କରାଯାଇଥିଲା । ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ୧୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Share in top social networks!
Powered By Indic IME