‘ଅସୀମ ଓଡ଼ିଶା’ ପକ୍ଷରୁ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ବୈଠକ

ଦେଶବିଦେଶର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଆ ସଂଗଠନମାନଙ୍କୁ ନେଇ ଗଠିତ ‘ଅସୀମ ଓଡ଼ିଶା’ (ଓଡବ୍ଲ୍ୟୁବି) ଅନୁଷ୍ଠାନର ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଲାଗି ମାନସମନ୍ଥନ କରାଯିବ। ଏହି ସଂଗଠନ ଆଗାମୀ ଦିନରେ ଓଡ଼ିଆମାନଙ୍କର ସାମାଜିକ ଓ ସାଂସ୍କୃତିକ ଜୀବନ ସହିତ କିଭଳି ଅଧିକ ଘନିଷ୍ଠ ଭାବେ ଯୋଡ଼ି ହୋ‍ଇପାରିବ, ସେ ଦିଗରେ ଲକ୍ଷ୍ୟ ଓ କାର୍ଯ୍ୟକ୍ରମ ସ୍ଥିର କରାଯିବ।
ଗୁରୁବାର ଦିନ ଭୁବନେଶ୍ୱରସ୍ଥିତ ଓଡ଼ିଶା ପ୍ରେସ କ୍ଲବଠାରେ ‘ଅସୀମ ଓଡ଼ିଶା’ର ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ନେଇ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋ‍ଇଥିଲା। ସଂଗଠନର ଜାତୀୟ ସଭାପତି କ୍ଷୀରୋଦ କୁମାର ଜେନା ଏଥିରେ ଅଧ୍ୟକ୍ଷତା କରିଥିଲେ। ଆଗାମୀ ଦିନରେ ଦେଶବିଦେଶରେ ଥିବା ପ୍ରମୁଖ ଓଡ଼ିଆ ସଂଗଠନଗୁଡ଼ିକର ସହଯୋଗକ୍ରମେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବା ପ୍ରସଙ୍ଗରେ ବିଚାର ବିମର୍ଷ କରାଯାଇଥିଲା।
‘ଅସୀମ ଓଡ଼ିଶା’ ସଂଗଠନ ସହ ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ବୁଦ୍ଧିଜୀବୀ ଏବଂ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ଯୋଡ଼ିବା ପାଇଁ ଉଦ୍ୟମ କରିବା ଉପରେ ମତପ୍ରକାଶ ପାଇଥିଲା। ବିଶେଷକରି ଆଗାମୀ ଦିନରେ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଜୋର ଦିଆଯିବ ବୋଲି ସଂଗଠନର ଜାତୀୟ ସଭାପତି କ୍ଷୀରୋଦ କୁମାର ଜେନା ସୂଚନା ଦେଇଛନ୍ତି। ଏଥିପାଇଁ ଆବଶ୍ୟକସ୍ଥଳେ ସରକାର ତଥା ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଘରୋ‍ଇ ଏବଂ ସାମାଜିକ ଅନୁଷ୍ଠାନ ସହ ଯୋଡ଼ିହୋ‍ଇ କାମ କରିବାକୁ ‘ଅସୀମ ଓଡ଼ିଶା’ ପ୍ରସ୍ତୁତ ବୋଲି ସେ କହିଛନ୍ତି।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ‘ଅସୀମ ଓଡ଼ିଶା’ର ଓଡ଼ିଶା ଜୋନ୍‍ ସଭାପତି ଦିଲ୍ଲୀପ ଶତପଥୀ, କାର୍ଯ୍ୟନିର୍ବାହୀ ସମ୍ପାଦକ ନିରଞ୍ଜନ ମିଶ୍ର, ମୁଖ୍ୟ ସମ୍ପାଦକ ଗୁରୁକଲ୍ୟାଣ ମହାପାତ୍ର, ସଂଗଠନ ସମ୍ପାଦକ ପିଙ୍କିସ୍‍ ପ୍ରଧାନ ଏବଂ ସଂଗଠନର ବ୍ରାଣ୍ଡ ଆମ୍ବାସାଡର ତଥା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।