କୋଟିପତି ଡିଏଫଓ ଭିଜିଲାନ୍ସ ଜାଲରେ

ଭୁବନେଶ୍ୱର: ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କୋଟିପତି ଡିଏଫଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗଞ୍ଜାମ ଜିଲା ଘୁମୁସର (ଦକ୍ଷିଣ) ଡିଏଫଓ ବିଜୟକେତନ ଆଚାର୍ଯ୍ୟଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢଉ ହେବା ପରେ ତାଙ୍କର ୩କୋଟିରୁ ଅଧିକ ମୂଲ୍ୟର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଜଣାପଡିଛି । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଶ୍ରୀ ଆଚାର୍ଯ୍ୟଙ୍କ ଭଞ୍ଜନଗରସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ, ଭୁବନେଶ୍ୱରର ସହିଦନଗର ଓ ପଟିଆସ୍ଥିତ ଘର ଏବଂ କଟକ କଲ୍ୟାଣନଗର ବାସଭବନ ଉପରେ ଏକକାଳୀନ ଚଢଉ କରାଯାଇଥିଲା । ଚଢଉ ସମୟରେ ପଟିଆ ଏବଂ ସହିଦନଗରରେ ତିନିମହଲା କୋଠା, ପଟିଆରେ ବୁକିଂ ହୋଇଥିବା ଏକ ଫ୍ଲାଟ, ମଦନପୁର, ପଟିଆ, ବଡରଘୁନାଥପୁର ଓ ଯାଁଳାରେ ୪ଟି ବାସୋପଯୋଗୀ ଜମି ଥିବା ଜଣାପଡିଥିଲା । ସେହିପରି ପ୍ରାୟ ୯ଲକ୍ଷ ଟଙ୍କା ମୂଲ୍ୟର ଗୃହୋପକରଣ, ସୁନା ଅଳଙ୍କାର ଓ ବିସ୍କୁଟ, ଦୁଇଟି ବାଇକ୍‍, ୮ଟି ବ୍ୟାଙ୍କରେ ଥିବା ପାସବୁକ୍‍ (ଯେଉଁଥିରେ ୯୯ଲକ୍ଷ ୮୮ହଜାର ୬୪୪ଟଙ୍କା ଜମା ରହିଥିଲା), ବିଭିନ୍ନ ବୀମା କମ୍ପାନୀ କାଗଜପତ୍ର, ଡାକଘର ଜମାଖାତା ଓ ମୁ୍ୟଚୁଆଲ ଫଣ୍ଡ ଏବଂ ସେୟାର କାଗଜପତ୍ର ଜବତ ହୋଇଥିଲା । ଶ୍ରୀ ଆଚାର୍ଯ୍ୟଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩କୋଟି ୪୮ଲକ୍ଷ ୨୬ହଜାର ୨୦ ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି । ଏହାବ୍ୟତୀତ ତାଙ୍କର ପଟିଆସ୍ଥିତ କାନାରା ବ୍ୟାଙ୍କ ଓ ଷ୍ଟେଟ ବ୍ୟାଙ୍କରେ ଲକର ଥିବା ଜଣାପଡିଛି, ଯାହାକି ଖୋଲାଯାଇ ନାହିଁ । ଚଢଉ ଜାରି ରହିଥିବାରୁ ଆୟ ବହିର୍ଭୂତ ସମ୍ପତ୍ତିର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି ।

Share in top social networks!
Powered By Indic IME