ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ

ଭୁବନେଶ୍ୱର,୧୪ା୬: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଗୁରୁବାର ଚୋରାଚାଲାଣ ବେଳେ ୧୧ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ମୂଲ୍ୟର ସୁନା ଜବତ କରାଯାଇଛି । ତେବେ ଧରା ପଡିଥିବା ଯାତ୍ରୀଜଣକ ସୁନାଗୁଡିକୁ ଗୁଣ୍ଡ କରି କ୍ୟାପସୁଲ କରି ମଳଦ୍ୱାରରେ ଲୁଚାଇ ରଖିଥିଲେ । ସୀମାଶୁଳ୍କ ଆୟୋଗ ଶାଖାର ଅଧିକାରୀ ଜଣେ ଯାତ୍ରୀଙ୍କୁ ସନେ୍ଦହରେ ଅଟକ ରଖି ଯାଞ୍ଚ କରିବା ତାଙ୍କ ନିକଟରୁ ୩୫୫ ଗ୍ରାମରୁ ଅଧିକ ଓଜନର ସୁନାର ଗୁଣ୍ଡ ମିଳିଛି । ବ୍ୟାଙ୍ଗକକ୍‍ରୁ ଏୟାର ଏସିଆ ବିମାନରେ ଆସି ଭୁବନେଶ୍ୱରରେ ଓହ୍ଲାଇଥିବା କେରଳର ଖୋଜିକେଡ଼ିିର ଏହି ଯାତ୍ରୀ ଜଣକ ସୁନାକୁ ଗୁଣ୍ଡ କରି ବାଦାମି ରଙ୍ଗର ଏକ ପେଷ୍ଟରେ ମିଶାଇ ଏସବୁକୁ ୪ଟି କ୍ୟାପସୁଲ୍‍ ଭିତରେ ଭର୍ତ୍ତି କରି ମଳଦ୍ୱାର ଭିତରେ ଲୁଚାଇ ଆଣୁଥିଲେ । ସୀମାଶୁଳ୍କ ଅଧିକାରୀମାନେ ଯାଞ୍ଚ ବେଳେ ଏହି କ୍ୟାପସୁଲ୍‍ ଜବତ କରିଥିଲେ । ଏହି କ୍ୟାପସୁଲ୍‍କୁ ଲାବୋରେଟୋରିରେ ଯାଞ୍ଚ କରିବା ବେଳେ ସେଥିରୁ ସୁନା ଗୁଣ୍ଡ ମିଳିଥିଲା । ଯାହାର ଓଜର ୩୫୫.୧୨୦ଗ୍ରାମ ଥିଲା । ଜବତ ସୁନାର ମୂଲ୍ୟ ୧୧,୩୭,୦୯୪ ଟଙ୍କା ବୋଲି ସୀମାଶୁଳ୍କ ବିଭାଗର ଅଧିକାରୀ କହିଛନ୍ତି ।
ଏଟାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଏକାଧିକ ଚୋରା ସୁନା ବେପାରୀ ଧରାପଡିଛନ୍ତି । ସେମାନେ ବିଭିନ୍ନ ଉପାୟରେ ସୁନା ବିସ୍କୁଟ୍‍କୁ ଲୁଚାଇ ଆଣି ଆସୁଥିବା ସମୟରେ ଧରାପଡିଥିଲେ । ମାର୍ଚ୍ଚ ୬ରେ କୁଆଲାଲୁମ୍ପୁରରୁ ଆସୁଥିବା ଏୟାର ଏସିଆର ବିମାନରେ ଜଣେ ଯାତ୍ରୀ ୫ ଖଣ୍ଡ ସୁନା ବିସ୍କୁଟ୍‍କୁ ମଳଦ୍ୱାରରେ ଲୁଚାଇ ଆଣୁଥିବା ବେଳେ ଧରାପଡିଥିଲେ । ୬୦୦ ଗ୍ରାମ ଓଜନର ଏହି ସୁନା ବିସ୍କୁଟ୍‍ର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଥିଲା । ସେହିପରି ମାର୍ଚ୍ଚ ୨୯ରେ ଦୁଇଜଣ ଯାତ୍ରୀ ମଳଦ୍ୱାରରେ ୧୫ ଖଣ୍ଡ ସୁନାକୁ ଲୁଚାଇ ଆଣି ଆସୁଥିବା ବେଳେ ଧରାପଡିଥିଲେ । ସେମାନଙ୍କଠାରୁ ଜବତ ସୁନା ଖଣ୍ଡର ଓଜନ ୧୧୪୩.୭୮ ଗ୍ରାମ । ଯାହାର ମୂଲ୍ୟ ୩୪,୯୦,୮୧୬ ଟଙ୍କା ଥିଲା । ବିମାନବନ୍ଦରରୁ ବାହାରିବା ବେଳେ ସୀମାଶୁଳ୍କ ବିଭାଗର ଅଧିକାରୀମାନେ ଏହି ଦୁଇଯାତ୍ରୀଙ୍କୁ ଅଟକାଇ ଯାଞ୍ଚ କରିବା ବେଳେ ସୁନା ଖଣ୍ଡ ମିଳିଥିଲା ।

Share in top social networks!
Powered By Indic IME