ତହସିଲଦାର ଓ ରାଜସ୍ୱ ନିରୀକ୍ଷକ ଗିରଫ

ଭୁବନେଶ୍ୱର,୧୪ା୬:ପଥର ଖଣି ଓ ବାଲିଘାଟ ପଟ୍ଟାଧାରୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ କଟକ ଭିଜିଲାନ୍ସ ସେଲ ଲାଠିକଟା ତହସିଲଦାର ବିଜୟ କୁମାର ବେହେରା ଓ ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ପ୍ରମୋଦ କୁମାର ବେଉରାଙ୍କୁ ଗିରଫ କରିଛି । ଉଭୟଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁସାରେ ମାମଲା ରୁଜୁ ହୋଇଥିଲା ବେଳେ ତଦନ୍ତ ଜାରି ରହିଛି । ଉଭୟଙ୍କ ନିକଟରୁ ୭ଲକ୍ଷ ୫୩ହଜାର ୯୦୦ ଟଙ୍କା ଜବତ ହୋଇଛି ।
ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ ଶ୍ରୀ ବେହେରା ପଥର ଖଣି ଓ ବାଲି ପଟ୍ଟାଧାରୀଙ୍କଠାରୁ ଲାଞ୍ଚ ଆକାରରେ ୫ଲକ୍ଷ ୫୪ହଜାର ୯୦୦ ଟଙ୍କା ଆଦାୟ କରିଥିଲେ । ଏହି ଟଙ୍କାକୁ ଧରି ତହସିଲର ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ(ଆରଆଇ) ପ୍ରମୋଦ କୁମାର ବେଉରାଙ୍କ ସହ ଏକ କାର ଯୋଗେ ବୁଧବାର ଛତ୍ରପୁର ଅଭିମୁଖେ ଆସୁଥିଲେ । ଏ ସମ୍ପର୍କରେ ସୂଚନା ପାଇ କଟକ ଭିଜିଲାନ୍ସ ସେଲ ଅଧିକାରୀମାନେ ଶ୍ରୀ ବେହେରାଙ୍କ ପିଛା କରିଥିଲେ । ତହସିଲଦାର ଓ ଆରଆଇ ଅନୁଗୋଳ ପାଲଲହଡା ଦେଇ ଯାଇଥିବା ଜାତୀୟ ରାଜପଥ ୪୫ କଡରେ ଥିବା ଏକ ଢାବାରେ ଖାଇବାକୁ ଅଟକିଥିଲେ । ଏହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ନିକଟରେ ଥିବା ନଗଦ ଟଙ୍କା ସମ୍ପର୍କରେ ପଚାରିଥିଲେ । ମାତ୍ର ଶ୍ରୀ ବେହେରା ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ । ଏହାବ୍ୟତୀତ ଆର.ଆଇ. ଶ୍ରୀ ବେଉରାଙ୍କ ନିକଟରୁ ମଧ୍ୟ ୧ଲକ୍ଷ ୯୮ହଜାର ଟଙ୍କା ଜବତ ହୋଇଥିଲା । ସେ ମଧ୍ୟ ଏତେଗୁଡିଏ ଟଙ୍କା ସମ୍ପର୍କରେ ସଠିକ୍‍ ଉତ୍ତର ଦେଇ ପାରି ନ ଥିଲେ । ଶ୍ରୀ ବେହେରାଙ୍କ ଲାଠିକଟାସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ, ଗଞ୍ଜାମ ଛତ୍ରପୁରସ୍ଥିତ ବାସଭବନ ଓ ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ଅଚୁ୍ୟତପୁର ଗ୍ରାମରେ ଥିବା ପୈତୃକ ବାସଭବନ ଉପରେ ଏକସଙ୍ଗେ ଚଢଉ କରାଯାଇଥିଲା । ଚଢାଉ ସମୟରେ ଶ୍ରୀ ବେହେରାଙ୍କ ଗୋଟିଏ କାର, ଦୁଇଟି ବାଇକ୍‍ ଜବତ ହୋଇଥିଲା ବେଳେ ଭୁବନେଶ୍ୱର ଓ ଛତ୍ରପୁରରେ ଏକାଧିକ ପ୍ଲଟ, ବ୍ୟାଙ୍କ ଜମା, ବୀମା କମ୍ପାନୀରେ ନିବେଶ ସମ୍ପର୍କିତ କାଗଜପତ୍ର ଜବତ ହୋଇଛି । ସେହିପରି ଶ୍ରୀ ବେଉରାଙ୍କ ରାଉରକେଲା କୁଆଁରମୁଣ୍ଡାସ୍ଥିତ ଭଡାଘର ଏବଂ ପାଟକୁରାସ୍ଥିତ କୁସୁମପୁରରେ ଥିବା ପୈତୃକ ବାସଭବନ ଉପରେ ଚଢାଉ କରାଯାଇଥିଲା । ତଦନ୍ତ ଜାରି ରହିଥିବାରୁ ଶ୍ରୀ ବେଉରାଙ୍କ ସମ୍ପତ୍ତି ତାଲିକା ମିଳିପାରିନାହିଁ । ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ବେଳେ ଭିଜିଲାନ୍ସ ଅଦାଲତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦେଇଛନ୍ତି ।

Share in top social networks!
Powered By Indic IME