ଦୟାଙ୍କ ଦୌରାତ୍ମ୍ୟରେ ଥରହର ବାର ମାଲିକ

ଭୁବନେଶ୍ୱର(ଜିତେନ ସାହୁ): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ବାର, ମସାଜ ସେଣ୍ଟର, ସ୍ପାରେ ଚାଲିଥିବା ଅନୈତିକ କାମକୁ ରୋକିବା ଲାଗି କମିଶନରେଟ ପୁଲିସ ପୂରା ଦମରେ ଲାଗିଛି । ଅନେକାଂଶରେ ଏଥିରେ ସଫଳ ମଧ୍ୟ ହୋଇଛି । ନିୟମକାନୁନ୍‍ ନ ମାନି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ବାର ଉପରେ ରୋକ ଲାଗିଛି । ଏହାକୁ ସାଧାରଣରେ ସ୍ୱାଗତ ମଧ୍ୟ କରାଯାଉଛି । ସୂଚନାଯୋଗ୍ୟ ଯେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଅଧିକ ବାର ରହିଛି । ଗତ ମାସକ ମଧ୍ୟରେ ଘନ ଘନ ଚଢଉ ଫଳରେ କଟକ ରୋଡ ଅଞ୍ଚଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ବାରଗୁଡିକ ରାତି ସାଢେ ୧୧ଟା ପରେ ବନ୍ଦ ହୋଇଯାଉଛି । ଏହି ପରିବର୍ତ୍ତନ ସମସ୍ତ ସାବାସି ଯାଉଛି ଲକ୍ଷ୍ମୀସାଗର ଥାନାଧିକାରୀଙ୍କୁ । ମାତ୍ର ଥାନାଧିକାରୀଙ୍କ ମାତ୍ରାଧିକ କାର୍ଯ୍ୟକଳାପ ଓ ନିର୍ଦ୍ଧିଷ୍ଟ ଦୁଇଟି ବାରକୁ ସୁହାଇଲା ଭଳି ପଦକ୍ଷେପ ବାର ମାଲିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ ଯେ ଗତ କିଛିଦିନ ଧରି ଲକ୍ଷ୍ମୀସାଗର ଥାନାଧିକାରୀ ଦୟାବାବୁ ରେନ ଦ କ୍ଲବ ଓ ଲିଭ୍‍ ଇଟ୍‍ ଅପ୍‍ ବାର ଆଖପାଖରେ ଥିବା ସମସ୍ତ ବାର ଉପରେ ଦିନେ ଛଡା ଦିନକ ପରେ ଚଢାଉ କରୁଛନ୍ତି । ଏହାପୂର୍ବରୁ ଉପରୋକ୍ତ ଦୁଇଟି ବାରକୁ ଚଢାଉ ସମ୍ପର୍କରେ ସୂଚନା ଦିଆଯାଉଛି । ଫଳରେ ଉପରୋକ୍ତ ବାର ଚଢାଉ ସମୟରେ ବନ୍ଦ ରହୁଛି । ଚଢାଉ ପରେ ପୁଣି ଆରମ୍ଭ ହୋଇଯାଉଛି ବାର । କେବଳ ସେତିକି ନୁହେଁ ପୁଲିସ ସୁରକ୍ଷା ମଧ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବେଧଡକ ଭାବେ ବାର ଦୁଇଟି ଚାଲିଛି । ଏପରିକି ଗ୍ରାହକ ଚାହୁୁଁଥିବା ଯୁବତୀଙ୍କୁ ଯୋଗାଇ ଦିଆଯାଉଛି । ପୁଲିସକୁ ଫୋନ କଲେ ଉତ୍ତର ମିଳୁଛି ଆମେ ଚଢାଉ କରିଛୁ, ସେଠାରେ ସେମିତି କିଛି ହେଉନାହିଁ । ଲିଭ୍‍ ଇଟ ଅପ ଓ ରେନ ଦ କ୍ଲବ ମାଲିକ ଅବକାରୀ ମନ୍ତ୍ରୀଙ୍କ ପାଖଲୋକ ବୋଲାଉଥିବା ବାପୁ ଲେଙ୍କାଙ୍କ ବଳରେ ବଳିୟାନ ହୋଇଛନ୍ତି । କାହାକୁ ଲାଇସେନ୍ସ ମିଳିବ, କିଏ କେତେ ଟଙ୍କା ଦେବ, ଏସବୁର ଡିଲ୍‍ ଏହି ବାର ମାଲିକଙ୍କ ଜରିଆରେ ବାପୁ ଲେଙ୍କା କରିଥାନ୍ତି । ଯଦି ଏହା ସତ ହୋଇଥାଏ ତେବେ ସାଂଘାତିକ । ଶୁକ୍ରବାର ରାତିରେ ଉପରୋକ୍ତ ଦୁଇଟି ବାର ପାଖାପାଖି ଅଞ୍ଚଳରେ ଥିବା ପ୍ରାୟ ୬ଟି ବାରକୁ ବନ୍ଦ କରିବାକୁ ଲକ୍ଷ୍ମୀସାଗର ଥାନାବାବୁ ନିର୍ଦେଶ ଦେଇଥିଲେ । ଥାନାବାବୁଙ୍କ ନିର୍ଦେଶକୁ ସମ୍ମାନ ଦେଇ ବାରମାଲିକ ମାନେ ବନ୍ଦ କରି ଦେଇଥିଲା ବେଳେ ଉପରୋକ୍ତ ଦୁଇଟି ବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ଦୁଇଟି ବାରର ବେପାର ବଢାଇବା ଲାଗି ଥାନାଧିକାରୀ ମାଲିକଙ୍କ ସହ ହାତ ମିଳାଇଛନ୍ତି । ଥାନାବାବୁଙ୍କ ଏମିତି ଟଙ୍କା ଲୋଭ ହୋଇଯାଇଛି ଯେ ସେ ଉପରିସ୍ଥ ଅଧିକାରୀଙ୍କ ନିର୍ଦେଶକୁ ମଧ୍ୟ ମାନୁନାହାନ୍ତି । ଉପରିସ୍ଥ ଅଧିକାରୀଙ୍କ ଅନୁପସ୍ଥିତିରେ ବାର ମାଲିକଙ୍କୁ ତାଗିଦ୍‍ କରୁଛନ୍ତି । ଜନୈକ ବାର କର୍ମଚାରୀଙ୍କ ସୂଚନା ଅନୁସାରେ ବାବୁଙ୍କଠାରୁ ପ୍ରତିମାସରେ ଥାନାଧିକାରୀ ୫ହଜାର ଟଙ୍କା ନେଇଥାନ୍ତି । ଏହାବାଦ ଥାନାକୁ ୬ହଜାର ଟଙ୍କା ଦିଆଯାଇଥାଏ । ତେବେ ଥାନାବାବୁଙ୍କୁ ଗେହ୍ଲାପୁଅ ପାଲଟିଥିବା ଦୁଇ ବାରମାଲିକ ଅଧିକ ଟଙ୍କା ଦେଇଥାନ୍ତି । ସେଥିପାଇଁ ତାଙ୍କ ବାର ଉପରେ ଚଢାଉ ହୁଏନାହିଁ । ଯେଉଁ ବାର ମାଲିକ ଏ ସମ୍ପର୍କରେ ପ୍ରଶ୍ନ କରିଥାନ୍ତି ସେମାନଙ୍କୁ ଲାଇସେନ୍ସ ରଦ୍ଧ କରିଦେବାର ଧମକ ମିଳିଥାଏ । ଏ ଦିଗରେ ବାପୁ ଲେଙ୍କା ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ପୁଲିସ କମିଶନର ଓ ଭୁବନେଶ୍ୱର ଡିସିପି ଦୟା ବାବୁଙ୍କ ଆତଙ୍କକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ ।

Share in top social networks!
Powered By Indic IME