ପେଟ୍ରୋଲିୟମ ମନ୍ତ୍ରୀଙ୍କ ଉପସ୍ଥିତିରେ ମାଙ୍ଗାଲୋର ତୈଳ ବିଶୋଧନାଗାର ପାଇଁ ଆବୁଧାବୀରୁ ପ୍ରଥମ ଆଡ଼ନୋକ୍ ଅଶୋଧିତ ତୈଳ ପରିବହନ କାର୍ଯ୍ୟ ଆରମ୍ଭ


କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ କୌଶଳ ବିକାଶ ଓ ଉଦ୍ୟୋମୀତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କର ସଂଯୁକ୍ତ ଆରବ ଏମିରେଟ୍ସ ପ୍ରତିପକ୍ଷ ଡ଼କ୍ଟର ସୁଲତାନ ଅଲ୍ ଜାବେର ଦୁବାଇଠାରେ ଆଡ଼ନୋକ୍ ପକ୍ଷରୁ ମାଙ୍ଗାଲୋର ଅଭିମୁଖେ ପ୍ରେରଣ କରାଯାଉଥିବା ଅଶୋଧିତ ତୈଳ ବୋଝେଇ କାର୍ଯ୍ୟ ପର୍ଯ୍ୟବେକ୍ଷଣ କରିଛନ୍ତି । ଆଜି ମାଙ୍ଗାଲୋର କାଭେର୍ଣ୍ଣକୁ ଦୁବାଇଠାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ ପ୍ରେରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ଆଡ଼ନୋକ୍ ଗ୍ରୁପର ସିଇଓ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫେବୃୟାରୀ 2018ର ୟୁଏଇ ଗସ୍ତ ପରେ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଗସ୍ତରେ ଯାତ୍ରା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଭାରତୀୟ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭସ ଲିମିଟେଡ଼ (ଆଇଏସପିଆରଏଲ) ଏବଂ ୟୁଏଇର ଆବୁଧାବି ଜାତୀୟ ତୈଳ କମ୍ପାନୀ (ଆଡ଼ନୋକ୍) ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଏହି ରାଜିନାମା ଅନୁସାରେ ଭାରତୀୟ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ (ଏସପିଆର)ରେ ଆଡ଼ନୋକ୍ 5.86 ନିୟୁତ ବ୍ୟାରେଲ ଆଶୋଧିତ ତୈଳ ଗଚ୍ଛିତ ରଖିବ । ଏହି ବ୍ୟବସ୍ଥା ମାଙ୍ଗାଲୋରଠାରେ ରହିଛି ଏବଂ ଏହାର ସଂରକ୍ଷଣ ଖର୍ଚ୍ଚ ଆଡ଼ନୋକ୍ ବହନ କରିବ ।

ISPRL ଭାରତର ବିଶାଖାପାଟଣା, ମାଙ୍ଗାଲୋର ଏବଂ ପାଡ଼ୁରଠାରେ 5.33 ନିୟୁତ ଟନ୍ ଷ୍ଟ୍ରାଟେଜିକ୍ ଅଶୋଧିତ ତୈଳ ( ପ୍ରାୟ 39 ନିୟୁତ ବ୍ୟାରେଲ) ଭଣ୍ଡାର କରିବାର ବ୍ୟବସ୍ଥା ନିର୍ମାଣ କରିଛି । ବିଶାଖାପାଟଣା ଭଣ୍ଡାରର କ୍ଷମତା 1.33 ନିୟୁତ ଟନ୍ ( 9.77 ନିୟୁତ ବ୍ୟାରେଲ), ମାଙ୍ଗାଲୋରର କ୍ଷମତା 1.5 ନିୟୁତ ଟନ୍ ( 11 ନିୟୁତ ବ୍ୟାରେଲ) ଏବଂ ପାଡ଼ୁର ଭଣ୍ଡାରର କ୍ଷମତା 2.5 ନିୟୁତ ଟନ୍ ( 18.37 ନିୟୁତ ବ୍ୟାରେଲ) । ଆପାତକାଳନୀ ପରିସ୍ଥିତିରେ ଚୁକ୍ତିନାମାର ସର୍ତ୍ତାବଳୀ ଅନୁସାରେ ଭାରତ ମାଙ୍ଗାଲୋରଠାରେ ଗଚ୍ଛିତ ଥିବା ଆଡ଼ନୋକର ସମସ୍ତ ଅଶୋଧିତ ତୈଳକୁ ନିଜ ପାଇଁ ବ୍ୟବହାର କରିପାରିବ । ସେହିଭଳି ISPRLର ରାଜିନାମା ଅନୁସାରେ ଆଡ଼ନୋକ ତାର ଗଚ୍ଛିତ ଅଶୋଧିତ ତୈଳର କିଛି ଅଂଶ ଭାରତୀୟ ବିଶୋଧନାଗାରକୁ ବ୍ୟବସାୟିକ ଭିତ୍ତିରେ ବିକ୍ରି କରିପାରିବ ଏବଂ ଏଥିପାଇଁ ପାରସ୍ପରିକ ସର୍ବନିମ୍ନ ଅଶୋଧିତ ତୈଳ ଭଣ୍ଡାର ରାଜିନାମା ଅନୁସାରେ କରାଯିବ । ଏହି ତୈଳ ନିର୍ଦ୍ଦିଷ୍ଟ ଭାବେ ଭାରତ ସରକାର ବ୍ୟବହାର କରିପାରିବେ ।

ଗସ୍ତ ଦିବସରେ ମନ୍ତ୍ରୀ ଶ୍ରୀ ପ୍ରଧାନ ୟୁଏଇର ମନ୍ତ୍ରୀ ଡ଼କ୍ଟର ଜାବେରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଏହି ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ସେ ଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନଭଦୀପ ସୁରୀ, ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମର ସିଇଓ ତଥା ଅନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଉଭୟ ପକ୍ଷ ଦୁଇ ଦେଶ ମଧ୍ୟରେ ହାଇଡ଼୍ରୋକାର୍ବନ କ୍ଷେତ୍ରରେ ଜାରି ରହିଥିବା ସହଯୋଗର କ୍ଷେତ୍ରକୁ ବ୍ୟାପକ କରିବା ତଥା ଏହି ସହଯୋଗର କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ସଂପର୍କରେ ଆଲୋଚନା କରିଥିଲେ । ଭାରତୀୟ ଡ଼ାଉନଷ୍ଟ୍ରୀମ ସେକ୍ଟର ଏବଂ ଭାରତର ବିଶାଳ ପେଟ୍ରୋଲିୟମ ସେକ୍ଟର ଭିତ୍ତିଭୂମି ପ୍ରକଳ୍ପରେ ୟୁଏଇ କମ୍ପାନୀମାନଙ୍କ ଅଂଶଗ୍ରହଣ ସଂପର୍କରେ ଉଭୟ ପକ୍ଷ ଆଲୋଚନା କରିଥିଲେ । ଭାରତର ସମଗ୍ର ହାଇଡ଼୍ରୋକାର୍ବନ ଭାଲ୍ୟୁଚେନରେ ବିଶେଷ ସହଯୋଗୀ ଭାବେ ଅଂଶ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ୟୁଏଇ କମ୍ପାନୀମାନଙ୍କୁ ଆମନ୍ତ୍ରଣ ଜଣାଇଥିଲେ ।

ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ୟୁଏଇରେ କାର୍ଯ୍ୟରତ 250ରୁ ଉର୍ଦ୍ଧ୍ଵ ଭାରତୀୟ ପ୍ରଫେସନାଲ, ବିଜିନେସ ଲିଡ଼ର ତଥା ଗୋଷ୍ଠୀ ପ୍ରତିନିଧିମାନଙ୍କ ସହ ଭାବ ବିନିମୟ କରିଥିଲେ । ଆବୁ ଧାବିସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ୍ସ ଅଫ୍ ଇଣ୍ଡିଆ (ଆଇସିଏଆଇ)ର ଦୁବାଇ ଶାଖା ଏବଂ ଆଇବିପିଜି- ଆବୁଧାବି ସହଯୋଗ କରିଥିଲେ ।

Share in top social networks!
Powered By Indic IME