ଏସେଲ ମାଇନିଙ୍ଗରେ ସ୍ଵଚ୍ଛତା ପକ୍ଷ ପାଳନ

Essel Photo
ଯୋଡା ଖଣିମଣ୍ଡଳ ଅଧିନସ୍ଥ ଏସେଲ ମାଇନିଙ୍ଗ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡର ଜିଲିଙ୍ଗ ଲଙ୍ଗାଲଟା ଲୌହଖଣି ପରିସରରେ ସ୍ଵଚ୍ଛତା ପକ୍ଷ ପାଳନ ହୋଇଛି | କେନ୍ଦ୍ର ସରକାରଙ୍କ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟର ନିର୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଚାଇଁବାସାସ୍ଥ ଖଣିସୁରକ୍ଷା ଉପମଣ୍ଡଳ ପକ୍ଷରୁ ଏହାକୁ ପ୍ରତ୍ୟେକ ଖଣି ଅଞ୍ଚଳରେ ବ୍ୟାପକ ଭାବେ ପାଳନ କରିବାପାଇଁ ନିଷ୍ପତ୍ତି ନିଆଯାଇଛି | ଚଳିତ ମେ ମାସ ୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଖଣିରେ ଅନୁଷ୍ଠିତ ହେବାକୁଥିବା ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଏସେଲ ମାଇନିଙ୍ଗର କୋଇଡା ଲୌହଖଣି ପରିସରରେ ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ଯୋଡା ବ୍ଲକ ଉନ୍ନୟନ ଅଧିକାରୀ ଅରୁଣ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଵଚ୍ଛତାପକ୍ଷ ପତାକା ଉତ୍ତୋଳନ କରିଥିଲେ | ସ୍ଵଚ୍ଛ ଭାରତ ଗଠନ ପାଇଁ ଏକ ଶପଥପାଠ କରାଯାଇ ନିଜେ ନିଜର ପରିବେଶ ସୁସ୍ଥ ରଖିବା ସହ ପଡୋଶୀମାନଙ୍କୁ ଏଥିରେ ସାମିଲ କରିବାପାଇଁ ନିବେଦନ କରଯାଇଥିଲା | ପରେ ଏହି ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ କମ୍ପାନୀର ସୁରକ୍ଷା ପ୍ରବନ୍ଧକ ପ୍ରମୋଦ କୁମାର ମିଶ୍ର ସ୍ଵଚ୍ଛତାପକ୍ଷ ସମ୍ବନ୍ଧରେ ସୂଚନା ଦେଇଥିଲେ | ଭୂତତ୍ତ୍ଵ ବିଭାଗର ମୁଖ୍ୟ ଖଗେଶ୍ଵର ମହାନ୍ତ ଜନଜୀବନର ପରିପାଳନ ପାଇଁ ସ୍ଵଚ୍ଛତାର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ | କମ୍ପାନୀର ମାନବ ସମ୍ବଳ ମୁଖ୍ୟ ଅଶୋକ କୁମାର ପତି ସୁରକ୍ଷା, ସ୍ୱାସ୍ଥ୍ୟ ଓ ସ୍ଵଚ୍ଛତା ମଧ୍ୟରେ ଥିବା ସାମଞ୍ଜସ୍ୟ ବର୍ଣନା କରିବାସହ ସ୍ଵଚ୍ଛତା କିପରି ଏ ସବୁ ସମସ୍ୟାର ସମାଧାନ କରିପାରିବ ତାହା ଉପରେ ଗୁରୁତ୍ଵ ଆରୋପ କରିଥିଲେ | କମ୍ପାନୀର ପରିଚାଳନା ମୁଖ୍ୟ ଭି॰ ଶ୍ରୀକାନ୍ଥ ସ୍ଵଚ୍ଛତାକୁ ଅଙ୍ଗୀକାରବଦ୍ଧତାର ସହ ପାଳନ କରିବାକୁ ପରାମର୍ଶ ଦେଇଥିଲେ | ମୁଖ୍ୟ ଅତିଥି ଶ୍ରୀ ମଲ୍ଲିକ ବିଭିନ୍ନ ଉଦାହରଣ ସହ ସ୍ଵଚ୍ଛ ଜୀବନଯାପନ ପ୍ରଣାଳୀ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ | ଶେଷରେ ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା | ଜିଲିଙ୍ଗ ଖଣିର ପ୍ରବନ୍ଧକ ଅଜିତ କୁମାର ପାତ୍ର ସ୍ଵଚ୍ଛତାକୁ ଏକ ପରମ୍ପରା ଭାବେ ଗ୍ରହଣ କରିବାରୁ ପରାମର୍ଶ ଦେବା ସହ ଏହା ହାସଲ କରିବାପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ | ଏହି କାର୍ଯ୍ୟକ୍ରମରେ କମ୍ପାନୀରେ କାର୍ଯ୍ୟରତ ୩୦୦ରୁ ଅଧିକ କର୍ମଚାରୀ, ସହଯୋଗୀ ଓ ଶ୍ରମଜୀବୀ ଭାଗନେଇଥିଲେ |

Share in top social networks!
Powered By Indic IME